କୋମନା: କୋମନା ଥାନା ମହୁଲଭଟା ଗାଁରେ ୪ରୁ ଅଧିକ ମଦକୋଠି ରହିଛି। ଫଳରେ ଗାଁର ବହୁ ଲୋକ ମଦ ପିଇ ଅଶାନ୍ତି ସୃଷ୍ଟି କରୁଛନ୍ତି। ତୁରନ୍ତ ଗାଁରେ ମଦ ବିକ୍ରି ବନ୍ଦ କରିବାକୁ ଦାବି କରାଯାଇଛି। ଏନେଇ ଗାଁର ୧୦ରୁ ଅଧିକ ଏସ୍ଏଚ୍ଜି ଗୋଷ୍ଠୀ ସଦସ୍ୟା କୋମନା ଥାନାର ଦ୍ଵାରସ୍ଥ ହୋଇଛନ୍ତି। ପୂର୍ବରୁ ମଦ ବନ୍ଦ କରିବା ପାଇଁ ଗାଁରେ ବୈଠକ କରାଯାଇଥିଲା। ଉକ୍ତ ୪ ମଦକୋଠିର କର୍ମଚାରୀ ଆସିଥିଲେ। ସେମାନଙ୍କ ମଧ୍ୟରୁ ୩ଟି କୋଠିକୁ ବନ୍ଦ କରିବା ପାଇଁ ସେମାନେ ରାଜି ହୋଇଥିବା ବେଳେ ନେତ୍ର ନାଗ ତାଙ୍କ କୋଠିକୁ ଖୋଲିବାକୁ ଜିଦ୍ ଧରିଥିଲେ।
ଏଥିସହ ବୈଠକରେ ମହିଳାଙ୍କୁ ଦୁର୍ବ୍ୟବହାର କରି ଗାଁର ଭଦ୍ରବ୍ୟକ୍ତିଙ୍କୁ ଗାଳିଗୁଲଜ କରିଥିଲେ। ଫଳରେ ବୈଠକରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ପୁଲିସ୍ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଗାଁରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦୃଷ୍ଟି ଦେବାକୁ ମହିଳାମାନେ ଦାବି କରିଛନ୍ତି। ଏହି ଦାବି ସମାବେଶରେ ଭଗବତୀ ଶବର, ନନ୍ଦିନୀ ଭୋଇ, ପାର୍ବତୀ ଶବର, ଲୋଚନା ପ୍ରଧାନ, ସ୍ବର୍ଣ୍ଣକାନ୍ତି ବିଶ୍ବାଳ, ସଂଯୁକ୍ତା ଭୋଇ, କ୍ଷୀର ନାଗ, ସକୁନ୍ତଳା ପ୍ରଧାନ, ସଂଗୀତା ସାହୁ, ରୁକ୍ମଣି ଶବର, ମିନତି ସାହୁଙ୍କ ସମେତ ଶତାଧିକ ମହିଳା ସମେତ ଗାଁର ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ।