ଭୁବନେଶ୍ବର: ରାଜ୍ୟରେ ଚାଷୀ ଓ ଅନ୍ୟାନ୍ୟ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କୁ ସମବାୟ ମାଧ୍ୟମରେ ସହାୟତା ଯୋଗାଇ ଦେବା ପାଇଁ ୧୫୪୨ଟି ନୂଆ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଓ ବୃହତ୍ ଆଦିବାସୀ ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପ୍ସ) ଗଠନ କରାଯାଇଛି। ଏଥିପାଇଁ ପ୍ରତ୍ୟେକ ନବଗଠିତ ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସକୁ ୫ ଲକ୍ଷ ଲେଖାଏଁ ମୂଳଧନ ଦିଆଯିବ। ଏ ସଂପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁରି ଦେଇଛନ୍ତି। ୧୫୪୨ଟି ପ୍ୟାକ୍ସ ଓ ଲ୍ୟାମ୍ପ୍ସକୁ ମୂଳଧନ ଭାବରେ ୭୬.୮୦ କୋଟି ଟଙ୍କା ଦିଆଯିବ। ଏହା ଦ୍ୱାରା ରାଜ୍ୟର ସମବାୟ କ୍ଷେତ୍ର ସୁଦୃଢ଼ ହେବା ସହିତ ଚାଷୀ ଭାଇମାନେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।
ପାଚକ, ପାଚିକାଙ୍କ ପାରିଶ୍ରମିକ ବଢ଼ିଲା
ଭୁବନେଶ୍ବର: ପି.ଏମ୍ ପୋଷଣ ଯୋଜନାରେ (ମଧ୍ୟାହ୍ନ ଭୋଜନ) କାମ କରୁଥିବା ଏକ ଲକ୍ଷରୁ ଅଧିକ ପାଚକ, ପାଚିକାଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କ ମାସିକ ପାରିଶ୍ରମିକ ହଜାରେ ଟଙ୍କା ବୃଦ୍ଧି କରିଛନ୍ତି। ପାଚକ, ପାଚିକାମାନଙ୍କ କାମ, ଦକ୍ଷତା ଓ ପରିଶ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସେମାନଙ୍କ ମାସିକ ପାରିଶ୍ରମିକ ୨୦୦୦ଟଙ୍କାରୁ ୩୦୦୦ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହାଦ୍ୱାରା ପି.ଏମ୍ ପୋଷଣ ଯୋଜନାରେ ରାଜ୍ୟରେ ନିୟୋଜିତ ହୋଇଥିବା ୧,୧୨,୦୯୦ ଜଣ ପାଚକ, ପାଚିକା ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୧୨ କୋଟି ୯ ଲକ୍ଷ ଟଙ୍କା ବ୍ୟୟ କରିବେ। ସୂଚନାଯୋଗ୍ୟ ଯେ ଏହି ପାଚକ, ପାଚିକାମାନେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ୫୦,୬୧୮ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪୨.୪୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ରନ୍ଧା ଖାଦ୍ୟ ପରିବେଷଣ କରୁଛନ୍ତି।
ଶସ୍ୟ ପରିବହନ: ସର୍ବାଧିକ ମୂଲ୍ୟ ୧୫୦ ଟଙ୍କାକୁ ବୃଦ୍ଧି
ଭୁବନେଶ୍ବର: ପରିପୂରକ ପୁଷ୍ଟି କାର୍ଯ୍ୟକ୍ରମରେ ଚାଉଳ ଓ ଗହମ ପରି ଶସ୍ୟ ପରିବହନ ପାଇଁ ରାଜ୍ୟ ସରକାର କ୍ୱିଣ୍ଟାଲ୍ ପିଛା ସର୍ବାଧିକ ମୂଲ୍ୟ ୭୫ଟଙ୍କାରୁ ୧୫୦ଟଙ୍କାକୁ ବୃଦ୍ଧି କରିଛନ୍ତି। ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅନୁମୋଦନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ପରିପୂରକ ପୁଷ୍ଟି କାର୍ଯ୍ୟକ୍ରମରେ ଗରମ ରନ୍ଧା ଖାଦ୍ୟ ପାଇଁ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ଚାଉଳ ଯୋଗାଇ ଦିଆଯାଏ। ଏହା ସହିତ ଘରକୁ ରାସନ ଯୋଗାଇବାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଗହମ ପ୍ରଦାନ କରାଯାଇଥାଏ। ଏହି ଚାଉଳ ଓ ଗହମ ପରିବହନ କରିବା ପାଇଁ ପରିବହନ
ଏଜେଣ୍ଟମାନଙ୍କୁ ନିୟୋଜିତ କରାଯାଇଥାଏ। ୨୦୧୧ ମସିହା ପରଠାରୁ ଏହି ମୂଲ୍ୟରେ ଆଉ ବୃଦ୍ଧି କରାଯାଇ ନଥିଲା। ତେଣୁ ବଢ଼ୁଥିବା ଇନ୍ଧନ ଖର୍ଚ୍ଚ ଓ ଅନ୍ୟାନ୍ୟ ଦରଦାମ୍ ବୃଦ୍ଧିକୁ ଦୃଷ୍ଟିରେ ରଖି ପରିବହନ ମୂଲ୍ୟରେ ବୃଦ୍ଧି କରାଯାଇଛି। ହେଲେ ଏହି ବର୍ଦ୍ଧିତ ମୂଲ୍ୟ ବର୍ତ୍ତମାନ ନିୟୋଜିତ ଥିବା ପରିବହନ ଏଜେଣ୍ଟମାନେ ଦାବି କରିପାରିବେ ନାହିଁ। କେବଳ ନୂତନ ଭାବେ ନିୟୋଜିତ ହେବାକୁ ଥିବା ଏଜେଣ୍ଟମାନଙ୍କ ପାଇଁ ଏହା ଲାଗୁ ହେବ। ପରିବହନ ପାଇଁ ଯେଉଁ ନୂଆ ଏଜେଣ୍ଟମାନଙ୍କୁ ନିୟୋଜିତ କରାଯିବ, ଟେଣ୍ଡର ପ୍ରକ୍ରିୟା ଜରିଆରେ ଏହାର ପ୍ରକୃତ ମୂଲ୍ୟ ନିର୍ଦ୍ଧାରଣ କରାଯିବ। ପରିବହନର ମୂଲ୍ୟ କ୍ୱିଣ୍ଟାଲ ପିଛା ୧୫୦ ଟଙ୍କାରୁ ଅଧିକ ହୋଇପାରିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/10/21/b13D48Sx0wN8zmZYDGij.png)