କରୋନା ଚିକିତ୍ସା ପାଇଁ ଅଡ଼ୁଆରେ ଆର୍ତ୍ତତ୍ରାଣ, ଗିରଫ ଦାବିରେ ଡିଜିଙ୍କୁ ଭେଟିଲା ହେତୁବାଦୀ ସମାଜ

ଆର୍ତ୍ତତ୍ରାଣଙ୍କୁ ଗିରଫ ଦାବି କଲେ ବିଶିଷ୍ଟ ଲେଖିକା ପ୍ରତିଭା ରାୟ

କଟକ : କରୋନା ରୋଗୀଙ୍କୁ ଛୁଇଁ ଆରୋଗ୍ୟ କରିଦେବାକୁ ଦାବି କରୁଥିବା ବାବା ଆର୍ତ୍ତତ୍ରାଣଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଗଣମାଧ୍ୟମ ମାଧ୍ୟମରେ ବାବା ଏଭଳି ଦାବି କରୁଥିବାରୁ ତୁରନ୍ତ ତାଙ୍କୁ ଗିରଫ କରିବା ପାଇଁ ଓଡ଼ିଶା ହେତୁବାଦୀ ସମାଜ ପକ୍ଷରୁ ଦାବି ଉଠିଛି। ଆଜି ପୁଲିସ ଡିଜି ଅଭୟଙ୍କୁ ହେତୁବାଦୀ ସମାଜ ପକ୍ଷରୁ ଏକ ପ୍ରତିନିଧି ଦଳ ଭେଟି ଗିରଫ ଦାବି କରିଛି।

ଅଭିଯୋଗ ଅନୁଯାୟୀ, ଭୁବନେଶ୍ବର ଚନ୍ଦ୍ରଶେଖରପୁର ଲୁମ୍ବିନୀବିହାରରେ ରହୁଥିବା ଜଗତସିଂହପୁରର ଆର୍ତ୍ତତ୍ରାଣ ଦାସ ଓରଫ ବାବା ଆର୍ତ୍ତତ୍ରାଣ କରୋନ ରୋଗୀଙ୍କୁ ଛୁଇଁ ଭଲ କରିଦେବାକୁ ପ୍ରଚାର କରୁଛନ୍ତି। ଏଭଳି ଗୁଜବରେ ବିଶ୍ବାସ କରି ବହୁ ଲୋକ ବାବାଙ୍କ ନିକଟକୁ ଆସି ଠକାମିର ଶିକାର ହେଉଛନ୍ତି। ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଓଡ଼ିଶା ହେତୁବାଦୀ ସମାଜର ପ୍ରତିନିଧିମଣ୍ଡଳ ଡିଜିଙ୍କ ନିକଟରେ ଦାବି କରିଛନ୍ତି। ଏହି ପ୍ରତିନିଧି ଦଳରେ ସଭାପତି ଡକ୍ଟର ପ୍ରତାପ କୁମାର ରଥ, ସମ୍ପାଦକ ଦେବେନ୍ଦ୍ର ସୂତାର, ପ୍ରଶାନ୍ତ କୁମାର ଦାସ, ଭିକାରି ଚରଣ ଦାସ, ରାଜେନ୍ଦ୍ର ପ୍ରସାଦ ସିଂହ, ଶ୍ୟାମସୁନ୍ଦର ମହାନ୍ତି, କାଶୀନାଥ ସ୍ବାଇଁ, ରୋହନ ମହାନ୍ତି, କ୍ଷୀରୋଦ ରାଉତ, ପ୍ରଦୀପ କୁମାର ସିହ୍ନା, ନରେନ୍ଦ୍ର କୁମାର ଦାସ, କୁଞ୍ଜବିହାରୀ ପଣ୍ଡା, ଆମର୍ତ୍ତ୍ୟ ଅନୁରାଗ ପ୍ରମୁଖ ଡିଜିଙ୍କୁ ଭେଟିଥିଲେ। କରୋନା ମହାମାରୀ ସମୟରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସାଧାରଣ ଲୋକ ଶୋଷଣ ଓ ସଂକ୍ରମଣରୁ ବଞ୍ଚିପାରିବେ ବୋଲି ସମାଜ ମତ ରଖିଛି।

ଆର୍ତ୍ତତ୍ରାଣଙ୍କୁ ଗିରଫ ଦାବି କଲେ ବିଶିଷ୍ଟ ଲେଖିକା ପ୍ରତିଭା ରାୟ

କରୋନା ମହାମାରୀ ସମୟରେ ଏଭଳି ଭଣ୍ତ ବାବା ଅନ୍ଧ ବିଶ୍ବାସ ତିଆରି କରି ସାଧାରଣ ଲୋକଙ୍କ ମନସ୍ତତ୍ତ୍ବକୁ ନେଇ ଖେଳ ଖେଳୁଛନ୍ତି। ତେଣୁ ତୁରନ୍ତ ଆର୍ତ୍ତତ୍ରଣଙ୍କୁ ଗିରଫ କରିବା ପାଇଁ ଜ୍ଞାନପୀଠ ବିଜୟିନୀ ବିଶିଷ୍ଟ ଲେଖିକା ପ୍ରତିଭା ରାୟ ଦାବି କରିଛନ୍ତି।

ସେ କହିଛନ୍ତି ଯେ,  ଗମ୍ଭୀର ପରିସ୍ଥିତିରେ ସରକାର କରୋନା ନିୟନ୍ତ୍ରଣ ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। କିନ୍ତୁ ଏତିକିବେଳେ ଏଭଳି ଆତ୍ମଘୋଷିତ ବାବାଙ୍କ ଦାବି ଲୋକଙ୍କୁ ବିଭ୍ରାନ୍ତ କରୁଛି। ଅନ୍ୟପଟେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି ଯେ,  ଏନେଇ କାର୍ଯ୍ୟାନୁଷ୍ଠାନ ପାଇଁ ସେ ପୁଲିସ ପ୍ରଶାସନକୁ କହିଛନ୍ତି। ଜଗତସିଂହପୁର ଏସ୍‌ପି ପ୍ରକାଶ ଆର୍ କହିଛନ୍ତି ଯେ, ଏଥିପ୍ରତି ଦୃଷ୍ଟି ଦିଆଯାଉଛି ଏବଂ  ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଦକ୍ଷେପ ନିଆଯାଉଛି।

ସମ୍ବନ୍ଧିତ ଖବର