କୋଶଲ ରାଜ୍ୟ ଯୁବ ସମନ୍ୱୟ ସମିତିର ଜଳ ସତ୍ୟାଗ୍ରହ, ବାଦୀପଡ଼ା ପୋଲ କାମ ତୁରନ୍ତ ସମାପ୍ତ କରିବାକୁ ଦାବି

କଂଗ୍ରେସ ଓ ବିଜେପିର ସମର୍ଥନ
ଅଧିକାରୀ ନଆସିବାରୁ ଜାତୀୟ ରାଜପଥ-୨୬ ଅବରୋଧ କଲେ ଲୋକେ

ସଇନ୍ତଳା : ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବାଦୀପଡ଼ା ପୋଲ ନିର୍ମାଣ କାମ ମନ୍ଥର ଗତିରେ ଚାଲିଥିବାରୁ କୋଶଲ ରାଜ୍ୟ ଯୁବ ସମନ୍ବୟ ସମିତି ଆନ୍ଦୋଳନକୁ ଓହ୍ଲାଇଛି। ପୂର୍ବ ନିଷ୍ପତ୍ତି ଅନୁସାରେ ସୋମବାର ଦିନ ପ୍ରାୟ ୧୦ଟା ସମୟରେ ସମିତି ତରଫରୁ ଏକ ଶୋଭାଯାତ୍ରା ସ୍ଥାନୀୟ ବସଷ୍ଟାଣ୍ଡରୁ ବାହାରି ଲାନ୍ଥନଦୀରେ ନିର୍ମାଣ ହେଉଥିବା ସେତୁ ନିକଟରେ ପହଂଚିଥିଲା। ସେଠାରେ ଜଳ ସତ୍ୟାଗ୍ରହ କରାଯାଇଥିଲା। ଏହାକୁ ଡୁଙ୍ଗୁରୀପାଲି, ଆମ୍ବପାଲି, ସଇନ୍ତଳା, ଘୁନସର, କଅଁସର ପଞ୍ଚାୟତ ଅଂଚଳର ଶହ ଶହ ଜନସାଧାରଣ ସମର୍ଥନ କରିଥିଲେ। କଂଗ୍ରେସ ଦଳର ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ, ବିଜେପିର ମହେନ୍ଦ୍ର ଠାକୁର ଉପସ୍ଥିତ ରହି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ଆନ୍ଦୋଳନସ୍ଥଳକୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କୌଣସି ଅଧିକାରୀ ନଆସିବାରୁ ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ-୨୬କୁ ବହୁ ସମୟ ଧରି ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଯାନବାହନ ଅଟକି ରହିଥିଲା।

ପରେ ଟିଟିଲାଗଡ଼ ଏସଡ଼ିପିଓ ସୁରେନ୍ଦ୍ରନାଥ ଶତପଥୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ମଧୁସୂଦନ ମେହେର ପହଂଚି ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଉପରିସ୍ଥ ଅଧିକାରୀଙ୍କ ସହ ଫୋନ୍‌ ଯୋଗେ କଥା ହୋଇଥିଲେ। ଆସନ୍ତା ଏକମାସ ମଧ୍ୟରେ କାମ ଆରମ୍ଭ ହେବା ସହ ସେତୁ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସମାପ୍ତ ହେବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗର ଉପରିସ୍ଥ ଅଧିକାରୀ ଫୋନ ଯୋଗେ ପ୍ରତିଶ୍ରୁତି ଦେବା ପରେ ଜନସାଧାରଣ ରାସ୍ତାରୋକରୁ ଓହରିଥିଲେ। ସମିତିର ସଇନ୍ତଳା ସଭାପତି ଶାନ୍ତନୁ ରଣା, ଜିଲ୍ଲା ଯୁବ ସଭାପତି ବନମାଳୀ ନାଏକ, ସମ୍ପାଦକ ରଂଜନ ବୁଡ଼େକ ଓ ରାଜ୍ୟ ସାଧାରଣ ସମ୍ପାଦକ ସିପୁନ ଖମାରୀ ଜଳ ସତ୍ୟାଗ୍ରହ କରିଥିଲେ। ପୂର୍ବ ମନ୍ତ୍ରୀ ଶ୍ରୀ ସିଂ ଭୋଇ, ବ୍ଲକ୍‌ କଂଗ୍ରେସ ସଭାପତି ଗୁଣସାଗର ମାଝୀ, ସୁବ୍ରତ ବେହେରା, ବିଜେପିର ଶ୍ରୀ ଠାକୁରଙ୍କ ସମେତ ଡୁଙ୍ଗୁରୀପାଲି, ଆମ୍ବପାଲି, ସଇନ୍ତଳା, ଘୁନସର, କଅଁସର ପଂଚାୟତ ଅଂଚଳବାସୀ ଉପସ୍ଥିତ ରହି ଜଳ ସତ୍ୟାଗ୍ରହ କରୁଥିବା କମିଟିର ସଦସ୍ୟଙ୍କ ମନୋବଳ ବୃଦ୍ଧି କରିଥିଲେ। ସତ୍ୟାଗ୍ରହ ସମୟରେ ସଇନ୍ତଳା ତହସିଲଦାର ସୁରେନ୍ଦ୍ର ମେହେର, ବିଡିଓ ଚନ୍ଦ୍ରମଣି ନାଗ, ଥାନା ଅଧିକାରୀ ଅବନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର