ନୂଆପଡ଼ା : ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ନୂଆପଡ଼ା ଜିଲ୍ଲାରେ ମରୁଡ଼ି ପରିସ୍ଥିତ ସୃଷ୍ଟି ହୋଇଛି। ତେଣୁ ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଗୋବର୍ଦ୍ଧନ ସାହୁଙ୍କ ଆହ୍ବାନକ୍ରମେ ସୋମବାର ଜିଲ୍ଲାପାଳ ଅଫିସ ଘେରାଉ କରି ୧୧ଦଫା ଦାବିପତ୍ର ଅତିରକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନଙ୍କୁ ଦିଆଯାଇଛି। ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀଙ୍କ ନେତୃତ୍ବରେ ନୂଆପଡ଼ା ମିନି ଷ୍ଟାଡିୟମ୍ରୁ ଶତାଧିକ ଚାଷୀ ବିରାଟ ରାଲିରେ ବାହାରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ପହଞ୍ଚି ଥିଲେ।
ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣ କରିବା, ଆର୍ଆଇ ଓ ଗ୍ରାମସେବକ ଦ୍ବାରା ସରଜମିନ୍ ତଦନ୍ତ କରି ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ। ଜିଲ୍ଲାରେ ଲୋ ଭୋଲ୍ଟେଜ୍ ସମସ୍ୟାର ସମାଧାନ, ଜିଲ୍ଲା ମୁଖ୍ୟାଳୟରେ ବୀମା କମ୍ପାନିର ଅଫିସ ଖୋଲିବା, ଚାଷୀଙ୍କୁ ୟୁରିଆ ସାର ଯୋଗାଇଦେବା, ଚଳିତ ବର୍ଷ ଧାନବିକ୍ରି ପାଇଁ ପଞ୍ଜୀକରଣ ସମୟସୀମା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି, ଯୋଗ୍ୟ ଚାଷୀଙ୍କ ତୁରନ୍ତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ସାମିଲ କରିବା ଆଦି ସମସ୍ୟା ନେଇ ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟ କିଷାନ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଜିଲ୍ଲା ବିଜେପି ସଭାପତି ସୁବ୍ରତ ଠାକୁର, କମଲେଶ ଦୀକ୍ଷିତ, ହୋମ ସିଂହ ମାଝୀ, ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡା, ସଦାନନ୍ଦ ଯୋଷୀ, ଚତୁର୍ଭୁଜ ଶର୍ମା, ଭଗତ ସିଂ, ଗୋଲ୍ଡି ଅଗ୍ରୱାଲ, ସୁଶାନ୍ତ ପତି, ଅର୍ଜୁନ ଜଗତ, ତୁଲସ ପଟେଲ, ଗୋଲୁ ଦଣ୍ଡସେନା ସହ ଶତାଧିକ ଚାଷୀ ଘେରାଉରେ ସାମିଲ ଥିଲେ।