ଆଖି ବୁଜିଲେ ମାଲକାନଗିରି ପୀଡ଼ିତା, ରାୟଗଡ଼ା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ

ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

ରାୟଗଡ଼ା/ମାଳକାନଗିରି: ଜୀବନ ଯୁଦ୍ଧରେ ହାରିଗଲେ ମାଲକାନଗିରି ପୀଡ଼ିତା। ୪ଦିନର ସଂଘର୍ଷ ପରେ ଗତକାଲି ବିଳମ୍ବିତ ରାତିରେ ଆଖି ବୁଜିଛନ୍ତି। ଅଧିକ ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ରାୟଗଡ଼ା ନିକଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ପୁଲିସ ପୀଡ଼ିତାଙ୍କ ଶବକୁ ଜବତ କରି ଡାକ୍ତରଖାନାରେ ରଖିବା ପରେ ଆଜି ସକାଳେ ମାଜିଷ୍ଟ୍ରେଟ୍ ଓ ଡାକ୍ତରୀ ଟିମ୍ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି।

ପୀଡ଼ିତାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି ଯେ, ମାଲକାନଗିରି ପୁଲିସ୍ କ୍ୟାଣ୍ଟିନରେ ପତ୍ନୀ କାମ କରୁଥିଲା। ୭ ତାରିଖରେ ସ୍ତ୍ରୀ ଘରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଖବର ପାଇ ଘରେ ପହଞ୍ଚିଲାବେଳକୁ ସେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ସହ ସମ୍ବେଦନଶୀଳ ଅଙ୍ଗରେ ଗଭୀର କ୍ଷତ ଦେଖିଥିଲେ। ତେଣୁ ସେ ତୁରନ୍ତ ତାଙ୍କୁ ଚିକିତ୍ସ‌ା ପାଇଁ ମାଲକାନଗିରି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ୩ ଦିନର ଚିକିତ୍ସା ପରେ ମଧ୍ୟ ପୀଡ଼ିତାଙ୍କ ଚେତା ନ ଫେରିବାରୁ ୧୧ ତାରିଖ ସକାଳେ ପୀଡ଼ିତାଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରା ଯାଇଥିଲା। ସ୍ବତନ୍ତ୍ର ଡାକ୍ତରୀ ଟିମ୍ ପୀଡ଼ିତାଙ୍କ ଚିକିତ୍ସା କରିବା ସତ୍ତ୍ବେ କିଛି ସୁଫଳ ନ ମିଳିବାରୁ ଗତକାଲି ରାତିରେ ବ୍ରହ୍ମପୁର ବଡ଼ ମେଡିକାଲକୁ ଡାକ୍ତର ସ୍ଥାନାନ୍ତର କରିଥିଲେ। ଆମ୍ବୁଲାନସ୍ ଯୋଗେ ପୀଡ଼ିତାଙ୍କୁ ବ୍ରହ୍ମପୁର ନିଆଯାଉଥିବା ବେଳେ ରାୟଗଡ଼ାରେ ପୀଡ଼ିତା ଆଖି ବୁଜିଥିଲେ। ଡାକ୍ତରଖାନାରେ ଭର୍ତ୍ତି ହେବା ପରଠାରୁ ପୀଡ଼ିତାଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ସ୍ବାମୀ ଅଭିଯୋଗ କରିଛନ୍ତି। ଏଥି ସହିତ ପୀଡ଼ିତା ଗଣଦୁଷ୍କର୍ମର ଶିକାର ହୋଇଥିବା ଯୋଗୁ ପୁଲିସ୍ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ଅପରପକ୍ଷରେ ମଧ୍ୟାହ୍ନ ୧୨ଟାରେ ମାଜିଷ୍ଟ୍ରେଟ୍ ନିର୍ମଳ ଚନ୍ଦ୍ର ସାହୁ, ଟାଉନ୍ ଥାନା ଏସଆଇ ରିଗାନ୍ କିଣ୍ଡୋ, ପୁଲିସ୍ ଅଧିକାରୀ ସିପ୍ରା କୁମାରୀଙ୍କ ଉପସ୍ଥିତିରେ ଶବ ପଞ୍ଚନାମା ସହ ସ୍ବାମୀଙ୍କ ବୟାନ୍ ରେକର୍ଡ କରାଯିବା ପରେ ଶବ ବ୍ୟବ‌ଚ୍ଛେଦ କରାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ସହ ସ୍ବତନ୍ତ୍ର ଗାଡ଼ିରେ ମାଲକାନଗିରିକୁ ପଠାଇଛି। ଗତ ୯ ତାରିଖରେ ପୀଡ଼ିତାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ମାଲକାନଗିରି ଥାନାରେ ଅଭିଯୋଗ ପରେ ପୁଲିସ୍ ମାମଲା ରୁଜୁ କରିଥିଲା।

ସ୍ବାମୀଙ୍କ ବୟାନ୍ ଆଧାରରେ ପୁଲିସ୍ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ପୀଡ଼ିତା ମାଲକାନଗିରି ପୁଲିସ୍ କ୍ୟାଣ୍ଟିନରେ କାମ କରୁଥିଲେ। ଗତ ୬ ତାରିଖରେ କ୍ୟାଣ୍ଟିନ୍ ଦାୟିତ୍ବରେ ଥିବା ଅଧିକାରୀ ପୀଡ଼ିତାଙ୍କୁ ଘରକୁ ଯାଇଥିଲେ। ଚାବି ଦେବା ପରେ ଦେହ ଭଲ ନଥିବାରୁ କାମ କରିବାକୁ ଯିବେ ନାହିଁ ବୋଲି ପୀଡ଼ିତା କହିଥିଲେ। ୭ ତାରିଖରେ କିଛି ମହିଳା ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଦେଖି କ୍ୟାଣ୍ଟିନ ପରିଚାଳକଙ୍କୁ ଖବର ଦେବା ପରେ ସ୍ବାମୀ ଘରେ ପହଞ୍ଚି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏବେ ପୀଡ଼ିତାଙ୍କ ମୃତ୍ୟୁ ସହ ଏହି ଘଟଣା ଆହୁରି ରହସ୍ୟ ଜନକ ହୋଇଯାଇଛି। କାରଣ ପୀଡ଼ିତା ଜଣେ ହିଁ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲେ। ତେଣୁ ତାଙ୍କ ବୟାନ ଏହି ଘଟଣାରେ ବହୁ ଗୁରୁତ୍ବ ରଖୁଥିଲା। ସେହିପରି ମାଲକାନଗିରି ପୁଲିସ ତଦନ୍ତ କରୁଥିଲେ ମଧ୍ୟ ଆଜି ସୁଦ୍ଧା କୌଣସି ସୁରାକ ପାଇ ନାହିଁ। ସିସିଟିଭି କ୍ୟାମେରା ଯାଞ୍ଚ ପରେ ବିଶେଷ କିଛି ତଥ୍ୟ ପୁଲିସକୁ ମିଳିନାହିଁ। ସେହିପରି ୬ତାରିଖ ଅପରାହ୍ନରୁ ୭ତାରିଖ ଦିନ ସ୍ବାମୀ ଘରେ ପହଞ୍ଚିବା ମଧ୍ୟରେ କଣ ହୋଇଥିଲା ସେନେଇ ପାଖ ପଡ଼ୋଶୀ କେହି କିଛି କହିପାରୁ ନାହାନ୍ତି। ମେଡିକାଲ ରିପୋର୍ଟ ହିଁ ଏହି ଘଟଣା ପଛର ରହସ୍ୟ ଉପରୁ ପର୍ଦା ଉଠାଇବ ବୋଲି ମତ ପ୍ରକାଶ ପାଇଛି। ତେବେ ଏହି ରିପୋର୍ଟ ମିଳିବ କେବେ? ଏମିତି ଅନେକ ଅସମାହିତ ପ୍ରଶ୍ନ ଉଠିଛି।

ଗଣଦୁଷ୍କର୍ମ ମାମଲାର ତଦନ୍ତ କରିବେ ଅତିରିକ୍ତ ଏସ୍‌ପି
ରାୟଗଡ଼ା: ମାଲକାନଗିରି ଗଣଦୁଷ୍କର୍ମ ମାମଲାର ତଦନ୍ତ କରିବେ ମାଲକାନଗିରି ଅତିରିକ୍ତ ଏସ୍‌ପି। ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ବରେ ୨ ଜଣ ଆଇଆଇସି, ଜଣେ ଏସଆଇଙ୍କୁ ନେଇ ଗଠିତ ହୋଇଛି ସ୍ବତନ୍ତ୍ର ଟିମ୍। ଶବ ବ୍ୟବଚ୍ଛେଦ, ମେଡିକାଲ୍ ରି ପୋର୍ଟ ଆଧାରରେ ପୁଲିସ୍ ତଦନ୍ତ କରି ରିପୋର୍ଟ ଦେବା ପରେ ଦୋଷୀଙ୍କ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଆଜି ରାୟଗଡ଼ା ଗସ୍ତରେ ଆସି ଏହି ସୂଚନା ଦେଇଛନ୍ତି ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଷେଫିନ୍ ଅହମ୍ମଦ କେ.। ଡିଆଇଜି କହିଛନ୍ତି, ଏହି ଘଟଣାକୁ ପୁଲିସ୍ ଗୁରୁତ୍ବର ସହ ନେଇଛି। ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଛି କି ନାହିଁ ସେ ଦିଗରେ ତଦନ୍ତ କରିବ ପୁଲିସ୍। ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀ ଯିଏ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିଆଇଜି।

ସମ୍ବନ୍ଧିତ ଖବର