ଦାବି ସବଳ, ନେତା ଦୁର୍ବଳ: ଶାଣିତ ହେଉନି ମିଳିତ ଦାବିର ସ୍ବର, ହାତଛଡ଼ା ହେଉଛି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ

ରାଉରକେଲା: ରାଉରକେଲାରେ ଆଇଆଇଏମ୍‌ ସ୍ଥାପନ ପାଇଁ ଦାବି ହେଲା, କିନ୍ତୁ ଶେଷରେ ଏହା ଅନୁଷ୍ଠାନ ପାଇଁ ସମ୍ବଲପୁରକୁ ବଛାଗଲା। ଜିଲ୍ଲାରେ ଆଦିବାସୀ ବିଶ୍ବବିଦ୍ୟାଳୟ ଦାବି ଉଠିଥିଲା, ଏବେ ତାହା ଶୀତଳଭଣ୍ଡାରରେ। ଏମିତିକି ଜିଲ୍ଲାରେ ଏମ୍‌ସ ସ୍ଥାପନ, ରାଉରକେଲା ସରକାରୀ ଡାକ୍ତରଖାନାକୁ ଜିଲ୍ଲା ମୁଖ୍ୟ ହସପିଟାଲ ମାନ୍ୟତା ଦାବି ହୋଇଥିଲା, ସଂପ୍ରତି ଏହି ଦାବି ବି ପ୍ରାୟତଃ ଉଭାନ ହୋଇଗଲାଣି। ଅଧୁନା ରାଉରକେଲାରେ ରେଳ ଡିଭିଜନ ସ୍ଥାପନ ଦାବି ହେଉଛି, ତେବେ ଏହା କେତେ ସଫଳ ହେବ ତାହା ସମୟ କହିବ। ଏଭଳି ଏକାଧିକ ପ୍ରକଳ୍ପ ପାଇଁ ବିଗତ ଦିନରେ ଦାବି ହୋଇଥିଲା, କିନ୍ତୁ ରାଉରକେଲା‌ ସବୁଥିରେ ଉପେକ୍ଷିତ ହୋଇଛି। ଏହାର କାରଣ କେବଳ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କ୍ରମାଗତ ଅବହେଳା ନୁହେଁ, ବରଂ ସ୍ଥାନୀୟ ନେତୃବୃନ୍ଦଙ୍କ ମିଳିତ ଦାବିର ଅଭାବ। ଦାବି ପ୍ରତି ସାଧାରଣରେ ଯେଭଳି ଦାବିର ସ୍ବର ଶାଣିତ ହେବାକଥା ତାହା ଦେଖିବାକୁ ମିଳୁନି। ମୋଟାମୋଟିଭାବେ କହିବାକୁ ଗଲେ ରାଉରକେଲାର ଦାବି ନ୍ୟାଯ୍ୟ ଓ ସବଳ, କିନ୍ତୁ ନେତା ବେଶ୍‌ ଦୁର୍ବଳ ଅଛନ୍ତି; ଯଦ୍ବାରା ଦାବିପୂରଣ ହେଉନି।

ବର୍ତ୍ତମାନ, ରାଉରକେଲାରେ ରେଳ ଡିଭିଜନ ପ୍ରସଙ୍ଗକୁ ଦେଖିଲେ ସ୍ଥାନୀୟ ନେତୃତ୍ବଙ୍କର ଉଦାସୀନତା ମନୋଭାବ ସ୍ପଷ୍ଟ ବାରି ହୋଇପଡ଼େ। ଦକ୍ଷିଣ ପୂର୍ବ ରେଳବାଇ ଅନ୍ତର୍ଗତ ଚକ୍ରଧରପୁର ଡିଭିଜନର ରାଜସ୍ବର ସିଂହଭାଗ ସୁନ୍ଦରଗଡ଼ ଜିଲ୍ଲାରୁ ଆଦାୟ ହେଉଛି। ଏମିତିକି ଅନୁଦାନ ଦେବାରେ ବି ରାଉରକେଲାକୁ ଅଣଦେଖା କରାଯାଉଛି। ନୂଆ ପ୍ରକଳ୍ପ ନାହିଁ କିମ୍ବା ରେଳସେବାକୁ ତ୍ବରାନ୍ବିତ ବି କରାଯାଉନି। ଏଣୁ ରାଉରକେଲାକୁ ପୂର୍ବତଟ ରେଳବାଇ ଅଧିନକୁ ଆଣିବା ଓ ଏଠାରେ ସ୍ବତନ୍ତ୍ର ରେଳ ଡିଭିଜନ ସ୍ଥାପନ ଦାବି ଯୁକ୍ତିସଙ୍ଗତ। ତେବେ ଏହି ଦାବି ପୂରଣ କରିବାରେ ସ୍ଥାନୀୟ ନେତୃବୃନ୍ଦ, ବୁଦ୍ଧିଜୀବୀ ମହଲରେ ଆବଶ୍ୟକୀୟ ତତ୍ପରତା ଦେଖିବାକୁ ମିଳୁନି। ଅବଶ୍ୟ, ଏହି ଦାବି ପୂରଣ ନେଇ ରେଳମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲାରେ ଏମ୍‌ସ ପ୍ରତିଷ୍ଠା ମଧ୍ୟ କେବଳ ଦାବିରେ ସୀମିତ ରହିଛି। ଆଗାମୀ ଦିନରେ ଜିଲ୍ଲାରେ ଏମ୍‌ସ ପ୍ରତିଷ୍ଠା ହେବ ନା ନାହିଁ, ତାହା ମଧ୍ୟ ଅନିଶ୍ଚିତତାରେ। ତେବେ ଏହି ଦାବିପୂରଣ ପାଇଁ ଯେଉଁ ଢ଼ଙ୍ଗରେ ମିଳିତ ଦାବି ସ୍ବର ଉଠିବାକଥା, ତାହା ଦେଖିବାକୁ ମିଳୁନି। ବିଗତ ଦିନରେ ଆଇଆଇଏମ୍‌ ସ୍ଥାପନ ପାଇଁ ଦାବି କରାଯାଇଥିଲା। ସେତେବେଳେ ମଧ୍ୟ ଏଠାକାର ଦାବି ସମ୍ବଲପୁର ତୁଳନାରେ ଅପେକ୍ଷାକୃତ କମ୍‌ ରହିବାରୁ, ପ୍ରକଳ୍ପ ହାତଛଡ଼ା ହୋଇଥିଲା। ଆଇଆଇଏମ୍‌ ବଦଳରେ ଏକ୍ସଆଇଏମ୍‌ବି ସ୍ଥାପନ ପାଇଁ ଖୋଦ୍‌ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ତେବେ ଏହି ପ୍ରକଳ୍ପ ଆଜିଯାଏଁ ରାଉରକେଲାକୁ ଆସିନି, ତଥାପି ଏନେଇ ସ୍ଥାନୀୟ ନେତୃବୃନ୍ଦ ରହସ୍ୟମୟଭାବେ ଚୁପ୍‌ ବସିଛନ୍ତି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଆଦିବାସୀ ବିଶ୍ବବିଦ୍ୟାଳୟ ସ୍ଥାପନ, ରାଉରକେଲା ସରକାରୀ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ବି ଦାବି ହେଉଛି। କିନ୍ତୁ ସ୍ବର ଶାଣିତ ହୋଇପାରୁନଥିବାରୁ ସଠିକ୍‌ ସ୍ଥାନରେ ପହଞ୍ଚିପାରୁନି।

ରାଉରକେଲା/ଜିଲ୍ଲାର ବିକାଶ ପାଇଁ ଆନ୍ତରିକତାର ଅଭାବ ହେଉ ଅବା ନିଜ ନିଜ ରାଜନୈତିକ ଦଳର ଅଲିଖିତ ନିର୍ଦ୍ଦେଶାନାମା ଉଲ୍ଲଂଘନ କରିବାର ଦୁଃସାହସ ଜୁଟାଇ ନ ପାରିବା; ନିର୍ବାଚିତ ନେୃତୃବୃନ୍ଦ ଜିଲ୍ଲାର ବିକାଶ ପାଇଁ ଉଠୁଥିବା ଦାବିକୁ ଖୋଲାଖୋଲି ସମର୍ଥନ କରୁନାହାନ୍ତି। ଏ ଦିଗରେ ସ୍ବେଚ୍ଛାସେବୀ, ବୁଦ୍ଧିଜୀବୀଙ୍କ ସମର୍ଥନ ବି ଆଶାନୁରୂପକ ମିଳିପାରୁନି। କିଛି ବର୍ଷ ପୂର୍ବେ ରାଉରକେଲାରେ ଇଏସ୍‌ଆଇ ହସପିଟାଲ ସ୍ଥାପନ ପାଇଁ ଯେଭଳି ଐତିହାସିକ ଐକ୍ୟବଦ୍ଧ ଆନ୍ଦୋଳନ ଦେଖିବାକୁ ମିଳିଥିଲା, ତାହା ଏବେ ବି ଉଦାହରଣୀୟ ଓ ଅନୁକରଣୀୟ। ପ୍ରକୃତରେ ନାଯ୍ୟ ଦାବି ପୂରଣ କରିବାକୁ ହେଲେ ଏଭଳି ସଂଘବଦ୍ଧ ଆନ୍ଦୋଳନର ଆବଶ୍ୟକତା ଏକମାତ୍ର ବିକଳ୍ପ; ଅନ୍ୟତା ଜିଲ୍ଲା ଗୋଟିଏପରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ହାତଛଡ଼ା କରିବା ସୁନିଶ୍ଚିତ।

ସମ୍ବନ୍ଧିତ ଖବର