କନିଷ୍ଠ ଯନ୍ତ୍ରୀଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବି

ଡିପ୍ଲୋମା ଇଞ୍ଜିନିୟର ସେବାସଂଘର ମହମବତି ଶୋଭାଯାତ୍ରା

ବଲାଙ୍ଗୀର: ପାଟଣାଗଡ଼ର କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବି କରିଛି ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବାସଂଘ। ବୁଓବାର ସେବାସଂଘର ବଲାଙ୍ଗୀର ଶାଖା ପକ୍ଷରୁ ହାତୀଶାଳ ପଡ଼ାସ୍ଥିତ ଓଡ଼ିଶା ଭବନଠାରୁ ଏକ ନିରବ ମହମବତି ଶୋଭାଯାତ୍ରା ବାହାରିଥିଲା। ସଂଘର କର୍ମକର୍ତ୍ତା ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ସ୍ୱର୍ଗତ ଇଂ ସୁରେଶ ଚନ୍ଦ୍ର ସାହୁଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହା ସହ ସ୍ୱର୍ଗତ ସାହୁଙ୍କ ମୃତ୍ୟୁର ଉଚିତ ତଦନ୍ତ ଓ ନ୍ୟାୟ ନିମନ୍ତେ ଦାବି ଉପସ୍ଥାପନା କରିଥିଲେ।

ଏଥିରେ ସଂଘର ସଭାପତି ଇଂ ଏ. ସିମାଦ୍ରୀ ଦୋରା, ଉପସଭାପତି ଇଂ ଖୋଲେନ ସିଂ, ସମ୍ପାଦକ ଇଂ ବଳରାସ ପାତ୍ର ସହ ସମସ୍ତ ସଦସ୍ୟ ଉପସ୍ଥିତଥିଲେ। ଏଥିରେ ସଂଘର ସଦସ୍ୟ ଏବଂ ଜିଲ୍ଲାର ଇଞ୍ଜିନିୟରିଂ ବିଭାଗର ଶତାଧିକ କର୍ମୀ ଯୋଗଦାନ କରିଥିଲେ। ପ୍ରକାଶ ଯେ ପାଟଣାଗଡ଼ ବ୍ଲକ୍‌ରେ କାର୍ଯ୍ୟରତ ଜେଇ ଇଂ ସୁରେଶ ଚନ୍ଦ୍ର ସାହୁଙ୍କ ମୃତଦେହ ବନକାବିଅର ଗାଁ ନିକଟ କପାକିଆରିରୁ ଉଦ୍ଧାର କରାଯାଇଥିଲା। ଇଂ ସାହୁଙ୍କ ପରିବାର ପକ୍ଷରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଥିଲା। ହତ୍ୟାର ୧୨ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଦୋଷୀକୁ ଗିରଫ କରିନଥିବାରୁ କ୍ଷୋଭ ପ୍ରକାଶ କରାଯାଇଥିଲା। ତୁରନ୍ତ ଗିରଫ କରାଯାଉ ନହେଲେ ଆଗାମୀ ଦିନରେ ସଂଘ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର