ଦିଲ୍ଲୀ ଦରବାରରେ ଦାବି ପହଞ୍ଚାଇବାକୁ ଗଠନ ହେଲା ଷ୍ଟିୟରିଂ କମିଟି
ଏକ କୋଟି ଓଡ଼ିଆଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର କେନ୍ଦ୍ରକୁ ଯିବ

Advertisment

ଭୁବନେଶ୍ବର : ଓଡ଼ିଶା ମାଟିର ସର୍ବଶ୍ରେଷ୍ଠ ବ୍ୟକ୍ତିତ୍ବ ମଧୁସୂଦନ ଦାସ ମରଣୋତ୍ତର ‘ଭାରତରତ୍ନ’ ପାଇବାକୁ ଯୋଗ୍ୟ। ଏ କଥାକୁ କେହି ଅସ୍ବୀକାର କରିପାରିବେ ନାହିଁ। ଅଥଚ ସେଥିପାଇଁ ତାଙ୍କୁ ଏପର୍ଯ୍ୟନ୍ତ ମନୋନୀତ କରାଯାଇ ନାହିଁ। ଭାଷାଭିତ୍ତିରେ ଯେଉଁ ରାଜ୍ୟ ସବୁ ଗଠନ ହୋଇଛି ତାହାର ଆଦ୍ୟ ସୂତ୍ରଧର ହେଉଛନ୍ତି ସେ। ତାଙ୍କରି ପ୍ରଚେଷ୍ଟାରେ ଓଡ଼ିଶା ଆଜି ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟର ପରିଚୟ ପାଇଛି। ସର୍ବଭାରତୀୟ କ୍ଷେତ୍ରରେ ତାଙ୍କର ମହତ କାର୍ଯ୍ୟାବଳୀ ବିଚାରରେ ସେ ଯଥାର୍ଥରେ ଭାରତର ଗୌରବ।

ଉତ୍କଳ ଗୌରବ ମଧୁସୂଦନ ସାଂସ୍କୃତିକ ପରିଷଦ ପକ୍ଷରୁ ଆଜି ଭାରତୀୟ ବିଦ୍ୟାଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମ୍ମିଳନୀରେ ଏଭଳି ମତପ୍ରକାଶ ପାଇଛି। ଏଥିସହ ମଧୁବାବୁଙ୍କୁ ଭାରତରତ୍ନ ପ୍ରଦାନ ଦାବି ଦିଲ୍ଲୀରେ ପହଞ୍ଚାଇବାକୁ ଏକ ଷ୍ଟିୟରିଂ କମିଟି ଗଠନ କରାଯାଇଛି। ଏଥିରେ ‘ସମ୍ବାଦ’ ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ସାଂସଦ ଐର ଖାରବେଳ ସ୍ବାଇଁ, ସାହିତ୍ୟିକ ହରପ୍ରସାଦ ଦାସ ଓ ଦାଶ ବେନହୁର, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ, ଆଇନଜୀବୀ ଧରଣୀଧର ନାୟକ, ଉତ୍କଳ ସମ୍ମିଳନୀର ଦିଲ୍ଲୀପ ଦାଶଶର୍ମା, ପରିଷଦର ସମ୍ପାଦକ ପୁରଷୋତ୍ତମ ବିଶ୍ବାଳ ସଦସ୍ୟ ରହିଛନ୍ତି। ୨୦୨୩ ଜାନୁଆରି ୨୬ ପୂର୍ବରୁ ଏକ କୋଟି ଓଡ଼ିଆଙ୍କ ଦସ୍ତଖତ ସମ୍ବଳିତ ଦସ୍ତାବିଜ୍‌ କେନ୍ଦ୍ର ସରକାରଙ୍କ ନିକଟରେ ପହଞ୍ଚାଇବାକୁ ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଛି।

publive-image

ସମ୍ମିଳନୀରେ ଯୋଗଦେଇ ‘ସମ୍ବାଦ’ ସମ୍ପାଦକ ଶ୍ରୀ ପଟ୍ଟନାୟକ କହିଲେ ଯେ ମଧୁବାବୁଙ୍କୁ କୃତଜ୍ଞତା ପ୍ରକାଶ ନ କରି ଆମେ ଏତେ ଦିନ ଧରି ପାପ କରିଛେ। ତାହାର ପ୍ରାୟଶ୍ଚିତ କରିବାକୁ ଆମର ଏହି ପ୍ରୟାସ। ମଧୁବାବୁଙ୍କୁ ଭାରତରତ୍ନ ଦିଆଯିବା ଦାବିକୁ କେହି ବିରୋଧ କରିବେ ନାହିଁ। ଆଜିର ଦିନରେ ଯେତେବେଳେ ଓଡ଼ିଶାର ଜଣେ ମହିଳା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଏହାଠାରୁ ଭଲ ସମୟ ଆମ ପାଖରେ ନାହିଁ। ଭାରତରତ୍ନ ଦାବିକୁ ସଫଳ ‌ରୂପ ଦେବାକୁ ‌ହେଲେ ଆମକୁ ଦୃଢ଼ ଦାବି ଉପସ୍ଥାପିତ କରିବାକୁ ପଡ଼ିବ। ପ୍ରତି ଗାଁରେ ଆମ ବାର୍ତା ପହଞ୍ଚାଇ ସମସ୍ତଙ୍କ ସହଯୋଗ ଲୋଡ଼ିବା। ‘ଏକ୍‌ କା ଦଶ’ ଫର୍ମୁଲା ବ୍ୟବହାର କରି ଜଣେ ବ୍ୟକ୍ତି ୧୦ ଜଣଙ୍କ ଦସ୍ତଖତ ହାସଲ କରିବାକୁ ‌ହେବ। ତେବେ ଯାଇ ଆମେ ଲକ୍ଷ୍ୟ ପଥରେ ପହଞ୍ଚିପାରିବା। ଏଭଳି କାର୍ଯ୍ୟରେ କୌଣସି ପ୍ରକାର ରାଜନୈତିକ
ବିବାଦ ସୃଷ୍ଟି ହେବା କଥା ନୁହେଁ। ସମସ୍ତେ ଏକ ହୋଇ ଓଡ଼ିଶା ଜାତିର ସ୍ବାଭିମାନ ପାଇଁ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଥିଲେ।

ପୂର୍ବତନ ସାଂସଦ ଐର ଖାରବେଳ ସ୍ବାଇଁ କହିଲେ, କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ମରଣୋତ୍ତର ଭାବେ ଭାରତରତ୍ନ ଦିଆଯାଉଛି। ଏବେ ଓଡ଼ିଶାରେ ବି ଏକାଧିକ ନାଁ ଉଠୁଛି। ତେବେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବିନ୍ଧାଣୀ ମଧୁବାବୁଙ୍କୁ ଭାରତରତ୍ନ କାହିଁକି ନୁହେଁ?

ପୂର୍ବତନ ରାଜ୍ୟ ନିର୍ବାଚନ କମିସନର ରବି ନାରାୟଣ ସେନାପତି କହିଲେ, ମଧୁବାବୁ ଓଡ଼ିଆଙ୍କୁ ଅସ୍ତିତ୍ବ ଓ ଅସ୍ମିତା ଦେଇଛନ୍ତି। ମାତ୍ର ଓଡ଼ିଆ ଜାତି ତାଙ୍କୁ ସେତିକି ସମ୍ମାନ ଦେଇପାରି ନାହିଁ। ଏବେ ସମୟ ଆସିଛି ଭାରତରତ୍ନ ଦାବିକୁ ଜୋରଦାର କରିବା। ସ୍କୁଲ କଲେଜ ସ୍ତରରେ ପଢ଼ାଯିବା ସହ କୋଲକାତା, ଦିଲ୍ଲୀ, ମୁମ୍ବାଇ ପରି ସ୍ଥାନରେ ତାଙ୍କ ନାମରେ ରାସ୍ତା ନାମକରଣ, ସଂସଦର ସେଣ୍ଟ୍ରାଲ ହଲ୍‌ରେ ଫଟୋଚିତ୍ର ସ୍ଥାନିତ ପରି ଏକାଧିକ କାର୍ଯ୍ୟକ୍ରମ କରି କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ପଡ଼ିବ। ଏଭଳି କରିପାରିଲେ କେନ୍ଦ୍ର ସରକାର ମଧୁବାବୁଙ୍କୁ ଭାରତରତ୍ନ ଦେବାକୁ ବାଧ୍ୟ ହେବେ।

ସାହିତ୍ୟିକ ହର ପ୍ରସାଦ ଦାସ ୩ଟି ପ୍ରସ୍ତାବ ଉପସ୍ଥାପନ କରି କହିଲେ‌ ଯେ ରାଜନୈତିକ ଇଚ୍ଛାଶକ୍ତି, ରାଜନୈତିକ ପ୍ରଭାବ ଓ ମଧୁବାବୁଙ୍କ କୃତୀର ଦସ୍ତାବିଜ୍‌ ପ୍ରସ୍ତୁତ କରିବାକୁ ପଡ଼ିବ। ମଧୁସୂଦନଙ୍କ ଉପରେ ୪ଟି ପୁସ୍ତକ ଲେଖା ହୋଇଛି। ସେଗୁଡ଼ିକୁ ଏକତ୍ର କରିବା ସହ ମଧୁବାବୁ କାହିଁକି ଭାରତରତ୍ନ ପାଇଁ ଯୋଗ୍ୟ ତାହାର ୫୦ଟି ପଏଣ୍ଟ ଉପସ୍ଥାପନ କରିବାକୁ ହେବ। ଏକ କୋଟି ଓଡ଼ିଆଙ୍କ ଦସ୍ତଖତ ସହ ଏଗୁଡ଼ିକୁ କେନ୍ଦ୍ର ନିକଟରେ ଦାଖଲ କରି ଚାପ ପକାଇପାରିଲେ ଆମେ ସଫଳ ହୋଇପାରିବା।

publive-image Odisha News Insight

ଦେଶ ପାଇଁ ମଧୁସୂଦନଙ୍କ ଅବଦାନ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରି ସାହିତ୍ୟିକ ଦାଶ ବେନହୁର କହିଲେ ଯେ ମହାତ୍ମା ଗାନ୍ଧୀଙ୍କ ବହୁ ଆଗରୁ ମଧୁବାବୁ ଓଡ଼ିଶା ମାଟିରେ ସ୍ବଦେଶୀ ଡାକରା ଦେଇ କ୍ଷୁଦ୍ରଶିଳ୍ପ, କୁଟୀରଶିଳ୍ପ, ଶ୍ରମ ଶିକ୍ଷାର ମୂଳଦୁଆ ପକାଇଥିଲେ। ହାତରୁ ପଇସା ଖର୍ଚ୍ଚ କରି ମାଗଣାରେ ଅରଟ ବାଣ୍ଟିଥିଲେ। ଲୁଣ ମରା ଉପରେ ଲଗାଯାଇଥିବା କଟକଣା ବିରୋଧରେ ପ୍ରଥମେ ସ୍ବର ଉଠାଇଥିଲେ। ନାରୀ ସଶକ୍ତୀକରଣର କର୍ଣ୍ଣଧାର ସାଜି ସେମାନଙ୍କୁ ଓକିଲାତି କରିବାର ଅଧିକାର ଦେଇଛନ୍ତି। ୧୮୯୮ରେ ପ୍ରଥମ ଯୌଥ ସଂସ୍ଥା ଗଠନ କରି ଦେଶର ପ୍ରଥମ ପଥ ପ୍ରଦର୍ଶକ ହୋଇଥିଲେ। ଉତ୍କଳ ଟ୍ୟାନେରି ପ୍ରତିଷ୍ଠା ଓଡ଼ିଶା ତଥା ଦେଶ ଲାଗି ତାଙ୍କର ସବୁଠାରୁ ବଡ଼ ଅବଦାନ ଥିଲା। ସବର୍ଣ୍ଣ ଅସବର୍ଣ୍ଣଙ୍କୁ ଚମଡ଼ା ଶିଳ୍ପ ସହ ଯୋଡ଼ି ଛୁଆଁଅଛୁଆଁ ଭେଦଭାବ ଦୂରୀକରଣ ଦିଗରେ ସେ ପ୍ରଚେଷ୍ଟା କରିଥିଲେ। ଭାରତୀୟ ଶିଳ୍ପ ସ୍ଥାପତ୍ୟରେ ରକ୍ଷଣାବେକ୍ଷଣ କଥା ସେ ହିଁ ପ୍ରଥମେ ୧୯୦୦ରେ ବଡଲାଟ୍‌ କର୍ଜନଙ୍କ ଦୃଷ୍ଟିକୁ ଆଣିଥିଲେ। ସ୍ବାୟତ୍ତଶାସନ ଓ ସମବାୟ ଆଇନ ଗଢ଼ିବାରେ ସେ ଭାରତରେ ଆଦ୍ୟସୂରୀ। ତାଙ୍କ ଅବଦାନକୁ ମହାତ୍ମା ଗାନ୍ଧୀ, ରାଜେନ୍ଦ୍ର ପ୍ରସାଦ, ଶ୍ୟାମ ପ୍ରସାଦ ମୁର୍ଖାଜୀଙ୍କ ଭଳି ବ୍ୟକ୍ତିବିଶେଷ ପ୍ରଶଂସା କରିଛନ୍ତି।

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ କହିଲେ ଯେ ଓଡ଼ିଶାର ୩୧ ସାଂସଦ, ୧୪୭ ବିଧାୟକଙ୍କ ସମେତ ପୂର୍ବତନ ସାଂସଦ, ବିଧାୟକ, ସମାଜସେବୀଙ୍କ ନିକଟରେ ପହଞ୍ଚି ଏହି ଆନ୍ଦୋଳନକୁ ଆମେ ବ୍ୟାପକ କରିବା। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ପ୍ରତିଷ୍ଠିତ ଓଡ଼ିଆଙ୍କୁ ବି ସାମିଲ କରିବାକୁ ଆହ୍ବାନ ଦେଇଥିଲେ। ଆଇନଜୀବୀ ଧରଣୀଧର ନାୟକ ମଧୁବାବୁଙ୍କୁ ‘ଭାରତରତ୍ନ’ ଦାବି ଓଡ଼ିଶା ଭିତରେ ସୀମିତ ନ ରଖି ସାଂସଦ, ବିଧାୟକ, ସମାଜେସେବୀଙ୍କ ମାଧ୍ୟମରେ ଦିଲ୍ଲୀରେ ପହଞ୍ଚାଇବାକୁ ଆହ୍ବାନ ଦେଇଥିଲେ।

ଭୁବନେଶ୍ବର ଏମ୍‌ସର ପୂର୍ବତନ ନିର୍ଦେଶକ ତଥା ସୋଆ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅଶୋକ ମହାପାତ୍ର ମଧୁବାବୁଙ୍କୁ ଭାରତରତ୍ନ ଦାବି ଗୋଟିଏ ସଭା ଗୃହରେ ସୀମିତ ନ ରଖି ଏକ ଜାତୀୟ ଆନ୍ଦୋଳନରେ ପରିଣତ କରିବାକୁ ପ୍ରସ୍ତାବ ରଖିଥିଲେ। ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଲେ ଯେ ମୁହଁ ନ ଖୋଲିଲେ କେହି କିଛି ଦିଅନ୍ତି ନାହିଁ। ଆମକୁ ଆଣିବାକୁ ପଡ଼ିବ। ମଧୁବାବୁ ଆମକୁ ପରିଚୟ ଦେଇଛନ୍ତି। ମାତ୍ର ଆମେ ତାଙ୍କୁ ଉଚିତ୍‌ ସମ୍ମାନ ଦେଇନୁ। କାଙ୍ଗାଳ କରିଦେଇଛୁ। ଏବେ ସମୟ ଆସିଛି ମୁହଁ ଖୋଲି କହିବାକୁ ପଡ଼ିବ। ଏକାସ୍ବରରେ ମଧୁବାବୁଙ୍କୁ ଭାରତରତ୍ନ ଦେବାକୁ ଜନଜାଗରଣ ଗଢ଼ି ତୋଳିବାକୁ ହେବ। ତେବେ ଯାଇ ଆମେ ସଫଳ ହେବା।

ପର୍ଶୁରାମ ଦ୍ବିବେଦୀ କହିଲେ ଯେ ମଧୁସୂଦନ ଯଦି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଦାବି କରି ନ ଥାନ୍ତେ, ତାହା ହେଲେ ଆମକୁ କିଏ ବା ଜାଣିଥାନ୍ତା। ଓଡ଼ିଆ ବୋଲି ଯେଉଁ ଗର୍ବ ହେଉଛି, କେବଳ ମଧୁସୂଦନଙ୍କ ଲାଗି। ଏକ ମନ ଏକ ପ୍ରାଣରେ ସମସ୍ତେ ଲାଗିପଡ଼ିବା। ମୁଁ ମରିବା ପର୍ଯ୍ୟନ୍ତ ଏ ଲଢ଼େଇ ଜାରି ରଖିବି। ଉତ୍କଳ ସମ୍ମିଳନୀ ମଞ୍ଚେଶ୍ବର ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମା ସଂସଦ ଭବନରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଲାଗି ପ୍ରସ୍ତାବ ଦେଇଥିଲେ।
ଏଭଳି ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ପରିଷଦର ସମ୍ପାଦକ ପୁରଷୋତ୍ତମ ବିଶ୍ବାଳ କହିଲେ ଯେ ଗତ ଦୁଇ ବର୍ଷ ହେଲା ପରିଷଦ ପକ୍ଷରୁ ଏଭଳି ଅଭିଯାନ ଆରମ୍ଭ ହୋଇଛି। ମାତ୍ର କରୋନା ପାଇଁ ତାହା କିଛି ମାତ୍ରାରେ ପ୍ରଭାବିତ ହୋଇଥିଲା। ଏବେ ସମସ୍ତେ ମିଳିମିଶି ଏହାକୁ ଆଗକୁ ନେବାକୁ ପଡ଼ିବ।