ଅସମାହିତ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ପୀଡ଼ିତ ପରିବାର

ନ୍ୟାୟ ନ ମିଳିଲେ ସଂସଦ ସମ୍ମୁଖରେ ଆତ୍ମାହୁତି ଦେବେ

ଭୁବନେଶ୍ବର : ରାଜ୍ୟରେ ଘଟିଥିବା ୧୨ଟି ନିର୍ମମ ହତ୍ୟାକାଣ୍ଡ ଓ ଶିଶୁଚୋରି ମାମଲାରେ ପୀଡ଼ିତ ପରିବାରମାନେ ବିଭିନ୍ନ ଫୋରମ୍‌ରେ ଅଭିଯୋଗ କଲେ ମଧ୍ୟ ପୁଲିସ ସେମାନଙ୍କୁ ନ୍ୟାୟ ଦେଇପାରିନାହିଁ। କେତେକ ପରିବାର ନ୍ୟାୟ ପାଇବା ପାଇଁ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କଲା ପରେ ବି କିଛି ସୁଫଳ ମିଳିନାହିଁ। ତେଣୁ ଏହି ପରିବାରମାନେ ସିବିଆଇ ତଦନ୍ତ ଦାବି କରି ମିଳିତ ଭାବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି, ସିବିଆଇ ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟପାଳ, ଓଡ଼ିଶା ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି ଓ ଓଡ଼ିଶାର ଗୃହ ସଚିବଙ୍କୁ ଚିଠି ଲେଖିଛନ୍ତି। ସ୍ପିଡ୍‌ପୋଷ୍ଟ ଓ ଇ-ମେଲ ଜରିଆରେ ଚିଠି ପଠାଯାଇଛି। ତଥାପି ନ୍ୟାୟ ନ ମିଳିଲେ, ସେମାନେ ସଂସଦ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି କହିଛନ୍ତି।

ଅଭିଯୋଗ ଅନୁସାରେ କୁଜଙ୍ଗର ଯୁବ ଇଞ୍ଜିନିୟର ଅମୃତ ଦାଶଙ୍କୁ ୨୦୧୯ ଜୁଲାଇରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। କୁଜଙ୍ଗ ଥାନା ପୁଲିସ ନ୍ୟାୟ ନ ଦେବାରୁ ଅମୃତଙ୍କ ମା’ ସୁଲୋଚନା ଦାଶ ଓ ଭାଇ ସୁବ୍ରତ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ। ସେହିପରି ମାହାଙ୍ଗା ଦୀପ୍ତିକାନ୍ତ ସାହୁଙ୍କୁ ୨୦୧୪ ସେପ୍ଟେମ୍ବରରେ ହତ୍ୟା କରାଯାଇଥିଲା। ଏ ପର୍ଯ୍ୟନ୍ତ ତାଙ୍କ ପରିବାରକୁ ନ୍ୟାୟ ମିଳିନାହିଁ। ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ହତ୍ୟାକାଣ୍ଡ ବି ସେମିତି କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପରେ ଅସମାହିତ ହୋଇ ରହିଛି। ଯାଜପୁର ବିଂଝାରପୁରର କୁନି ଝିଅ ପିହୁ ଘର ଆଗରେ ଖେଳୁଥିବା ସମୟରେ ଅପହୃତ ହେଲା। ବିଂଝାରପୁର ପୁଲିସ ନିଖୋଜ ମାମଲା ରୁଜୁ କରି ବସିଯାଇଛି। କେନ୍ଦ୍ରାପଡ଼ାର ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କୁ ୨୦୨୦ ଜାନୁଆରିରେ କିଛି ପ୍ରଭାବଶାଳୀ ଲୋକ ହତ୍ୟା କଲେ। ମାର୍ଶାଘାଇ ଥାନା ପୁଲିସ ହାତବାନ୍ଧି ବସିଛି। ମାହାଙ୍ଗାର ବିକାଶ ଜେନାଙ୍କୁ ୨୦୧୮ ଡିସେମ୍ବରରେ ହତ୍ୟା କରାଯାଇଥିଲା। ମାହାଙ୍ଗା ଥାନା ପୁଲିସ ଏହି ମାମଲାରେ ଅପରାଧୀମାନଙ୍କୁ ଠାବ କରିପାରିନାହିଁ।

ବୌଦ୍ଧ କଣ୍ଟାମାଳର ଲୋକନାଥ ପ୍ରଧାନଙ୍କୁ ୨୦୨୦ ଜୁଲାଇରେ ହତ୍ୟା କରାଯାଇଥିଲେ ମଧ୍ୟ କଣ୍ଟାମାଳ ଥାନା ପୁଲିସ ଅପରାଧୀମାନଙ୍କ ଟେର୍ ପାଇନାହିଁ। ଇଞ୍ଜିନିୟର ଅକ୍ଷୟ ପୋଥାଳଙ୍କୁ ୨୦୧୬ ଜୁଲାଇରେ ଭୁବନେଶ୍ବର ସାଇ ଗେଷ୍ଟ୍‌ ହାଉସରେ ହତ୍ୟା କରାଯାଇଥିଲେ ବି ଖଣ୍ଡଗିରି ଥାନା ପୁଲିସ ଅପରାଧୀଙ୍କୁ ଧରିପାରିନାହିଁ। ଜଗତସିଂହପୁର କୁଜଙ୍ଗ ପଙ୍କପାଳର ଜରାସ ଜେନାଙ୍କୁ ୨୦୧୬ ମେ’ରେ ଏକ ମଦ ଦୋକାନ ନିକଟରେ ହତ୍ୟା କରାଯାଇଥିଲା, ମାତ୍ର କୁଜଙ୍ଗ ଥାନା ପୁଲିସ ଅପରାଧୀଙ୍କୁ ଗିରଫ କଲାନାହିଁ। କେନ୍ଦ୍ରାପଡ଼ା ଓଳାଭର ବିନୋଦ ବାଇଙ୍କୁ ୨୦୧୮ ନଭେମ୍ବରରେ ଗାଁ ଦାଣ୍ଡରେ କିଛି ଲୋକ ଅତି ନିର୍ମମ ଭାବେ ଛରି ଭୁସି ହତ୍ୟା କଲେ। ରାଜକନିକା ଥାନା ଏପର୍ଯ୍ୟନ୍ତ ତାଙ୍କ ପରିବାରକୁ ନ୍ୟାୟ ଦେଇନାହିଁ।

କେନ୍ଦ୍ରାପଡ଼ା ଖରନାସିର ସୌରଭ ମଣ୍ଡଳଙ୍କୁ ୨୦୨୧ ଜାନୁଆରିରେ ହତ୍ୟା କରାଯାଇଥିବା ବେଳେ ମେରାଇନ ଥାନା ପୁଲିସ ନିରବଦ୍ରଷ୍ଟା ସାଜିଛି। କେନ୍ଦ୍ରାପଡ଼ା ପାଟକୁରାର ସମାଜସେବୀ ତପନ ମରୁଙ୍କୁ ୨୦୨୦ ସେପ୍ଟେମ୍ବରରେ ହତ୍ୟା କରାଯାଇଥିଲେ ବି ପାଟକୁରା ଥାନା ପୁଲିସ ଏହି ମାମଲା ସମାଧାନ କରିବାରେ ବିଫଳ ହୋଇଛି। ଏତେ ସବୁ ହତ୍ୟାକାଣ୍ଡକୁ ରାଜ୍ୟ ପୁଲିସ ଅତି ହାଲୁକା ଭାବେ ନେଇ ଚୁପ୍ ବସିଥିବାରୁ ପୀଡ଼ିତ ପରିବାରମାନେ ନ୍ୟାୟ ପାଇନାହାନ୍ତି ଓ ଅପରାଧୀମାନେ ଖସି ଯାଇଛନ୍ତି। ସିବିଆଇ ତଦନ୍ତ ହେଲେ ଅପରାଧୀମାନେ ଧରାପଡ଼ିବେ ବୋଲି ଉକ୍ତ ପରିବାରମାନେ ଆଶା ବାନ୍ଧିଛନ୍ତି। ତେଣୁ କୁଜଙ୍ଗର ସୁବ୍ରତ ଦାଶ ସବୁ ପରିବାରକୁ ନ୍ୟାୟ ଦେବା ପାଇଁ ଏହି ଚିଠି ଲେଖିଛନ୍ତି ଏବଂ ଏହି ଲଢ଼େଇ ଜାରି ରହିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର