ଭଦ୍ରକ: ବନ୍ୟା ଆସିଲେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି ବ୍ଲକର ପ୍ରାୟ ୫୦୦ରୁ ଅଧିକ ଗାଁ ବୁଡ଼ିଯାଏ। ବ୍ୟାପକ ଚାଷଜମି ଜଳାର୍ଣ୍ଣବ ସାଙ୍ଗକୁ ଜୀବନଜୀବିକା ଉଜୁଡ଼ି ଯାଏ। ବୈତରଣୀ ନଦୀବନ୍ଧର ସୁଦୃଢୀକରଣ ପାଇଁ ଆଜିକୁ ୫୦ ବର୍ଷ ଧରି ଜିଲ୍ଲାବାସୀ ଦାବି କରି ଆସୁଥିଲେ ମଧ୍ୟ ଏଯାଏ କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ଫଳରେ ପ୍ରତିବର୍ଷ ଲୋକଙ୍କୁ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ ପଡ଼ୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ନଦୀବନ୍ଧରେ ଫି’ ବର୍ଷ ପଥର ପ୍ୟାକିଂ ଆଳରେ ଯେଉଁ କାମ ହେଉଛି ତାହା ନିମ୍ନମାନର। ଫଳରେ ବନ୍ୟାଜଳ ନିୟନ୍ତ୍ରଣ କରିବାରେ ଏହା ଫଳପ୍ରଦ ହୋଇପାରୁନାହିଁ। ଭଣ୍ଡାରିପୋଖରୀ, ଧାମନଗର ଓ ଚାନ୍ଦବାଲି ସୀମାର ଆରଡ଼ି ପର୍ଯ୍ୟନ୍ତ ନଦୀବନ୍ଧରେ କଂକ୍ରିଟ୍ ୱାଲ୍ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି। ହେଲେଏହା ପ୍ରସ୍ତାବରେ ସୀମିତ ରହିଛି। ଧାମନଗର ବ୍ଲକର ଗାନ୍ଧୀଘାଟ, ହସନାବଦ, ସାହୁସାହି, ସାଆଁଳପର, ବେତାରିଗାଁ, ଧୂଷୁରୀ, ସୁନ୍ଦରପୁର ଆଦି ଅଞ୍ଚଳରେ ପ୍ରତିବର୍ଷ ନଦୀବନ୍ଧ କାମ କରାଯାଉଛି ସତ, କିନ୍ତୁ ନିମ୍ନମାନର କାମ ଯୋଗୁଁ ବର୍ଷା ଦିନେ ଭୁଶୁଡି ପଡ଼ୁଛି। ଦୁଇବର୍ଷ ତଳେ ସାଳନ୍ଦୀ ନଦୀର ସାଲାଇନ୍ ବନ୍ଧ ନିର୍ମାଣ ପାଇଁ ୮ କୋଟି ୪୦ ଲକ୍ଷ ଟଙ୍କା ଅନୁଦାନରେ ବୋଡକରୁ-ତିନିତର ଓ ତିନିତରରୁ ଆରଡ଼ି-ନାନ୍ଦପୁର ପର୍ଯ୍ୟନ୍ତ ସାଳନ୍ଦୀ ସାଲାଇନ୍ ନଦୀବନ୍ଧ କାମ କରାଯାଇଛି। ଏଥିରେ ବି ମାଟି ଓ ପଥର ପ୍ୟାକିଂ କାମ ନିମ୍ନମାନର ହୋଇଛି। ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରାରେ ନିମ୍ନମାନର କାମ କରାଯାଉଥିବାରୁ ଏହାର ସ୍ଥାୟିତ୍ବ ନେଇ ପ୍ରଶ୍ନ ଉଠିଛି। ଏସବୁ ନଦୀକୂଳରେ ଅନେକ ସମୟରେ ମାଟି ଅତଡ଼ା ଖସୁଛି। ବୈତରଣୀ ନଦୀର ଷାଠିବାଙ୍କୁଡ଼ାରୁ ବୋଡ଼କ ନଦୀବନ୍ଧ ରାସ୍ତା ପାର୍ଶ୍ବରେ ଯାଜପୁର କୁଆଖିଆରୁ ଜୟନଗର ଘାଟ ଦେଇ ଆସିଛି ଏନଏଚ୍-୧୬। ଏହି ରାସ୍ତାରେ ଅନେକ ସମୟରେ ଭୂସ୍ଖଳନ ହେଉଛି। ଷାଠିବାଙ୍କୁଡ଼ାଠାରେ ନଦୀର ୟୁଟର୍ଣ୍ଣ ହେଉଥିବାରୁ ଏଠାରେ ଭୂସ୍ଖଳନ ହେଉଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି।
ସେହିପରି ବୈତରଣୀ ନଦୀର ଆଖୁଆପଦାଠାରୁ ସେଣ୍ଢପୁର ଘାଟ ପର୍ଯ୍ୟନ୍ତ ଲମ୍ବିଥିବା ନଦୀବନ୍ଧ ଦୁର୍ବଳ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଭଦ୍ରକର ବେତରଣୀ ବାମପାର୍ଶ୍ବ ନଦୀବନ୍ଧ ଯାଜପୁର ବୈତରଣୀ ଡିଭିଜନ୍ ଅଧୀନରେ ରହିଛି। ଭଦ୍ରକ ପଟେ ନଦୀବନ୍ଧ ମରାମତି ବାବଦ ଅନୁଦାନ ଠିକ୍ ଭାବେ ବିନିଯୋଗ କରାଯାଉନଥିବା ଅଭିଯୋଗ ହୋଇଛି। ଅନୁଦାନ ରାଶିର ସିଂହଭାଗ ଅର୍ଥ ବାଟମାରଣାରେ ଯାଉଛି। ଯେଉଁଥିପାଇଁ ଭଦ୍ରକରେ ନଦୀବନ୍ଧ କାର୍ଯ୍ୟ ନିମ୍ନମାନର ହେଉଛି। ବୈତରଣୀ ନଦୀବନ୍ଧର ସୁରକ୍ଷା ଓ ମରାମତି ପାଇଁ ଜିଲ୍ଲାରେ ଏକ ସ୍ବତନ୍ତ୍ର ଡିଭିଜନ ଖୋଲାଯିବାକୁ ଦାବି ହୋଇ ଆସୁଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ବ ଦେଇନାହାନ୍ତି।