କେନ୍ଦୁଝରରେ ମେଗା ଷ୍ଟିଲ୍‌ପ୍ଲାଣ୍ଟ ପ୍ରତିଷ୍ଠା ଦାବି ଜୋର୍‌ ଧରୁଛି

୩ ମିଲିୟନ ଟନ୍‌ ନୁହେଁ ;୧୨ ମିଲିୟନ୍‌ ଟନ୍‌ ପ୍ଲାଣ୍ଟ କର: ମିଳିତ କ୍ରିୟାନୁଷ୍ଠାନ କମିଟି

‌କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ବଡବିଲ ନିକଟସ୍ଥ କାରାଖେଣ୍ଡରାରେ ପ୍ରସ୍ତାବିତ ୩ ମିଲିୟନ୍‌ ଟନ୍‌ ଇସ୍ପାତ କାରଖାନାକୁ କେନ୍ଦୁଝର ମିଳିତ କ୍ରିୟାନୁଷ୍ଠାନ କମିଟି ବିରୋଧ କରିଛି। ଷ୍ଟିଲ୍‌ପ୍ଲାଣ୍ଟ ନାମରେ କେନ୍ଦୁଝରବାସୀଙ୍କୁ ଲଲିପପ୍ ଧରାଇବାକୁ ସରକାର ଯୋଜନା କରିଛନ୍ତି ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ରୁଦ୍ର ନାରାୟଣ ମହାନ୍ତ ପ୍ରକାଶ କରିଛନ୍ତି। ଜିଲ୍ଲାରେ ଏକ ୧୨ ମିଲିୟନ ଟନ୍‌ କ୍ଷମତା ବିଶିଷ୍ଟ ଷ୍ଟିଲ୍‌ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଦାବି ହୋଇଛି।

ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ଏକ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ବର୍ଷବର୍ଷ ଧରି ଜିଲ୍ଲାବାସୀ ଦାବି କରିଆସୁଛନ୍ତି। ଜିଲ୍ଲାରୁ ଖଣିଜସମ୍ପଦ ରାଜ୍ୟ ତଥା ରାଜ୍ୟ ବାହାରର ଶିଳ୍ପ କାରଖାନାକୁ ଯାଉଛି। ମାତ୍ର ଜିଲ୍ଲାରେ କୌଣସି ବୃହତ ଶିଳ୍ପାନୁଷ୍ଠାନ ନଥିବାରୁ ବେକାରୀ ସମସ୍ୟା ବୃଦ୍ଧି ପାଉଛି। ତେଣୁ ଜିଲ୍ଲାର ହକ୍ ଏବଂ ସାମଗ୍ରିକ ସ୍ୱାର୍ଥ ରକ୍ଷାପାଇଁ ଏକ ମେଗା ଷ୍ଟିଲ୍‌ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଜିଲ୍ଲାବାସୀ ଦାବି କରିଆସୁଛନ୍ତି। ବହୁ ବିଳମ୍ବରେ ରାଜ୍ୟ ସରକାର ୭ ହଜାର ୯ ଶହ ୨୦ କୋଟି ଟଙ୍କାର ଏକ ଷ୍ଟିଲ୍‌ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି। ଯାହା ଜିଲ୍ଲାବାସୀଙ୍କ ଆଶାକୁ ଧୂଳିସାତ୍ କରିଦେଇଛି। ରୁଙ୍ଗଟା କମ୍ପାନି ଝାଡ଼ଖଣ୍ଡ ସୀମାନ୍ତ କାରାଖେଣ୍ଡରାରେ ୩ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ପିଲେଟ ପ୍ଲାଣ୍ଟ, ୬ ମେଗାୱାଟ୍‌ ପାୱାରପ୍ଲାଣ୍ଟ ସହ ୧.୫ ମିଲିୟନ୍‌ ଟନ୍‌ ଷ୍ଟିଲ୍‌ ପ୍ରସ୍ତୁତ କରିବ। ପୂର୍ବରୁ କମ୍ପାନି ଏହି ପ୍ଲାଣ୍ଟରୁ ୦.୫୬ ମିଲିୟନ ଟନ୍ ଷ୍ଟିଲ୍‌ ଉତ୍ପାଦନ କରୁଥିବାବେଳେ ବର୍ତ୍ତମାନ ଏହାକୁ ୩ ମିଲିୟନ ଟନ୍ ପର୍ଯ୍ୟନ୍ତ ବଢ଼ାଇବାକୁ ପ୍ରସ୍ତାବ ରଖିଛି। ଯାହା ବୃହତ ଷ୍ଟିଲ୍‌ପ୍ଲାଣ୍ଟର କୌଣସି ଗୁଣବତ୍ତା ପୂରଣ କରିବାକୁ ସକ୍ଷମ ନୁହେଁ। ପୂର୍ବରୁ କେନ୍ଦୁଝର ଜିଲ୍ଲାରେ ଆର୍ସେଲର ମିତ୍ତଲ ୫୦ ହଜାର କୋଟି, ଉତ୍ତମ ଗାଲ୍‌ଭା ଏବଂ ଷ୍ଟେରଲାଇଟ୍ ପୃଥକ୍ ପୃଥକ୍ ଭାବେ ପ୍ରାୟ ୨୫ ହଜାର କୋଟି ଲେଖାଏଁ ଟଙ୍କା ବ୍ୟୟରେ ପ୍ରକଳ୍ପ କରିବାକୁ ସ୍ଥିର କରିଥିଲେ। ମାତ୍ର ପ୍ରଶାସନର ଅସହଯୋଗ କାରଣରୁ ସେମାନେ ଓହରି ଯାଇଥିଲେ। ଯାହା ଜିଲ୍ଲାବାସୀଙ୍କୁ ବ୍ୟଥିତ କରିଥିଲା। ତେଣୁ ଜିଲ୍ଲାରେ ଏକ ବୃହତ ଷ୍ଟିଲ୍‌ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି କରାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଜିଲ୍ଲା ସଭାପତି ବିପ୍ଲବ ମିଶ୍ର, ଅରୁଣ କୁମାର ଦାଶ, କିରଣବାଳା ନାଏକ, ସରୋଜ ସାହୁ, ପୂର୍ଣ୍ଣଚନ୍ଦ୍ର ରାଉତ, ପ୍ରଭାକର ମିଶ୍ର, ସପନ ସାହୁ, ହରିହର ମହାନ୍ତ, ଶିବ କୁମାର ରାଠୋର, ସନ୍ତୋଷ କୁମାର ମହାନ୍ତ, ରାମଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର