କେନ୍ଦ୍ରାପଡ଼ାରେ ଉନ୍ନତ ସ୍ବାସ୍ଥ୍ୟ ସେବା ଓ ମେଡିକାଲ କଲେଜ ପାଇଁ ଦାବି

ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମି ଉନ୍ନତି ହେଉ ନ ଥିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ତୁରନ୍ତ ସ୍ବାସ୍ଥ୍ୟ ସେବାରେ ଉନ୍ନତି ସହ ଏକ ମେଡିକାଲ କଲେଜ ନିର୍ମାଣ ପାଇଁ ପରିଷଦ ଦାବି କରିଛି। ପରିଷଦର ଏକ ଜରୁରୀ ବୈଠକ ଅଧ୍ୟକ୍ଷ ଡାକ୍ତର ମଧୁସୂଦନ ମିଶ୍ରଙ୍କ ସଭାପତିତ୍ବରେ ଭୁବନେଶ୍ବରରେ ଅନୁଷ୍ଠିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରାଯାଇଛି।

ବୈଠକରେ ମତପ୍ରକାଶ ପାଇଥିଲା ଯେ ଜିଲ୍ଲାର ବହୁ ଲୋକ ସରକାରୀ ସ୍ବାସ୍ଥ୍ୟ ସେବା ଉପରେ ନିର୍ଭର କରୁଛନ୍ତି। କିନ୍ତୁ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ଆବଶ୍ୟକ ସୁବିଧା ସୁଯୋଗ, ଭିତ୍ତିଭୂମିର ଘୋର ଅଭାବ ରହିଛି। ଏପରିକି ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ୍‌ରେ ମଧ୍ୟ ଆବଶ୍ୟକ ସରଞ୍ଜାମ ଓ ଚିକିତ୍ସା ସୁବିଧା ନାହିଁ କି ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। ନଦୀ, ନାଳ ଘେରା କେନ୍ଦ୍ରାପଡ଼ା ଜିଲ୍ଲାର ଏମିତି କିଛି ଦୁର୍ଗମ ଅଞ୍ଚଳ ଅଛି, ‌ଯେଉଁଠାରେ କି ସର୍ବନିମ୍ନ ସ୍ବାସ୍ଥ୍ୟ ସେବା ଏବେ ବି ଅପହଞ୍ଚ। ସେଠାରୁ କୌଣସି ଜରୁରୀ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ଯିବା ଅତ୍ୟନ୍ତ ସମୟସା‌େପକ୍ଷ ଓ ବ୍ୟୟବହୁଳ। ରାଜ୍ୟର ବିଭିନ୍ନ ସ୍ଥାନରେ ମେଡିକାଲ କଲେଜ ଖୋଲିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଥିଲେ ବି କେନ୍ଦ୍ରାପଡ଼ା ପ୍ରତି ଅବହେଳା କରାଯାଉଛି। ସ୍ବାସ୍ଥ୍ୟ ସେବା ଭିତ୍ତିଭୂମିକୁ ଦୃଢ଼ କରିବା ତଥା ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲାରେ ସାଧାରଣ ଜନତା ଓ ବିଭିନ୍ନ ସଂଗଠନ ପକ୍ଷରୁ ସରକାରଙ୍କ ନିକଟରେ ଲଗାତର ଦାବି ଉପସ୍ଥାପନ କରାଯାଉଛି। ଜିଲ୍ଲାବାସୀଙ୍କ ଉଦ୍‌ବେଗକୁ ସମ୍ମାନ ଜଣାଇ ତୁରନ୍ତ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ପରିଷଦ ପକ୍ଷରୁ କୁହାଯାଇଛି। ସରକାରଙ୍କ ନିକଟରେ ଏ ସମ୍ପର୍କରେ ଲିଖିତ ଦାବି ରଖିବା ପାଇଁ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଓ ବରିଷ୍ଠ ସଭ୍ୟ ତଥା ବିଶିଷ୍ଟ ଶିକ୍ଷକ ନେତା ଡକ୍ଟର୍‌ ଅମୀୟ କୁମାର ମହାନ୍ତିଙ୍କ ସଂଯୋଜନାରେ ଏକ କମିଟି ଗଠନ କରାଯାଇଛି। ଏଥିରେ ଅବସରପ୍ରାପ୍ତ ପ୍ରଶାସକ ସୁରେଶ ଚନ୍ଦ୍ର ମନ୍ତ୍ରୀ, ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ ଓ ଅମ୍ବିକା ପ୍ରସାଦ ଦାସ, ଶିକ୍ଷାବିତ୍ ପ୍ରଫେସର ସରୋଜ ମହାନ୍ତି, ସମାଜସେବୀ ଧୀରେନ୍ଦ୍ର ସୁନ୍ଦର ଦାସ, ବୀରବର ଜେନା, ପ୍ରଶାନ୍ତ ସାମନ୍ତରାୟ ଓ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ ପ୍ରମୁଖ ସଭ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର