ପ୍ରଦୀପଙ୍କୁ ଗିରଫ ଦାବି ତେଜିଲା, କଂଗ୍ରେସ ଦେଲା ଏତଲା

ବ୍ରହ୍ମପୁର/ଗୋପାଳପୁର : ଟାଟା ମୋଟର୍ସରେ ଚାକିରି ଦେବା ନାମରେ ଠକେଇ ମାମଲାରେ ଛନ୍ଦି ହୋଇ ଦଳରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପ୍ରାଣିଗ୍ରାହୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଏବେ ତାଙ୍କୁ ଗରିଫ ଦାବି ତେଜିଛି। ବିଧାୟକ ପ୍ରଦୀପ ଏବଂ ତାଙ୍କ ଭାବି ଜ୍ବାଇଁ ଆକାଶ ପାଠକଙ୍କୁ ଗିରଫ କରିବା ଲାଗି ଗତକାଲି ଗଞ୍ଜାମ ଜିଲ୍ଲା ବିଜେପି ଦାବି କରିଥିବା ବେଳେ ଆଜି ଗୋପାଳପୁର କଂଗ୍ରେସ ଏସ୍‌ପିଙ୍କ ନିକଟରେ ଓ ଗୋପାଳପୁର ଥାନାରେ ଅଭିଯୋଗପତ୍ର ଦାଖଲ କରିଛି।

ଗୋପାଳପୁର ନିର୍ବାଚନ ମଣ୍ଡଳୀର କଂଗ୍ରସର ବିଧାୟକ ପ୍ରାର୍ଥୀ ଏସ.ଧର୍ମରାଜ ରେଡ୍ଡୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଆଜି ଗୋପାଳପୁର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ସ୍ଥାନୀୟ ବିଧାୟକ ତାଙ୍କ ଭାବି ଜ୍ୱାଇଁ ଆକାଶ ପାଠକଙ୍କୁ ସହଯୋଗ କରି ଚାକିରି ଦେବା ନାଁରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏଥିରେ ବିଧାୟକଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀ ଓ ସୂର୍ଯ୍ୟ ସାହୁ ପ୍ରମୁଖ ସହଯୋଗ କରିଥିବା କଂଗ୍ରେସ ଅଭିଯୋଗରେ ଦର୍ଶାଇଛି। ଟାଟା‌ ମୋଟର୍ସ‌ରେ ଚାକିରି ଦେବା ସହ ବ‌ାର୍ଷିକ ୬ ଲକ୍ଷ ଟଙ୍କାର ଉଚ୍ଚ ଦରମା ଲୋଭ ଦେଖାଇ ୬୮ ଜଣଙ୍କୁ ଜାଲ୍‌ ନିଯୁକ୍ତିପତ୍ର ଦେଇଥିବା ମଧ୍ୟ କଂଗ୍ରେସ ଅଭିଯୋଗରେ ଦର୍ଶାଇଛି। ଠକେଇର ଶିକାର ହୋଇଥିବା ଲୋକମାନଙ୍କୁ ମୁହଁ ନ ଖୋଲିବା ଲାଗି ବିଧାୟକଙ୍କ ନିକଟତମ ଲୋକମାନେ ଧମକଚମକ ଦେଉଥିବା କଂଗ୍ରେସ ଅଭିଯୋଗ ଆଣିଛି। ଠକେଇର ଶିକାର ହୋଇଥିବା ଗରିବ ଯୁବକଯୁବତୀମାନଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରିବା ସହ ଗୋପାଳପୁର ବିଧାୟକ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିବା ଲାଗି ଦାବି କରିଛି କଂଗ୍ରେସ। କଂଗ୍ରେସର ଏକ ପ୍ରତିନିଧିଦଳ ଗୋପାଳପୁର ଥାନା ଅଧିକାରୀ ଏବଂ ବ୍ରହ୍ମପୁର ଏସ୍‌ପିଙ୍କୁ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିନିଧିଦଳରେ କେ.ତ୍ରିନାଥ ରେଡ୍ଡୀ, ରାଜୀବ ରମଣ ଖୁଣ୍ଟିଆ, କାହ୍ନୁ ନାହାକ, ଜି.ମୋହନ, ପି.କ୍ରିଷ୍ଣା, କେ.ମୋହନ ରେଡ୍ଡୀ ପ୍ରମୁଖ ଥିଲେ। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳରୁ ବହିଷ୍କାର ପରେ ବିରୋଧୀ ବିଜେପି ଓ କଂଗ୍ରେସ ସକ୍ରିୟ ହୋଇ ଉଠିଛନ୍ତି।

ସମ୍ବନ୍ଧିତ ଖବର