ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ଦାବି ତେଜିଲା

ବିଜେପି, କଂଗ୍ରେସ ଓ ପଛୁଆବର୍ଗ ସଙ୍ଗଠନ ପକ୍ଷରୁ ଦାବିପତ୍ର

ଭବାନୀପାଟଣା : ୭୩ ତମ ସମ୍ବିଧାନ ସଂଶୋଧନ ପରେ ୫୨ ପ୍ରତିଶତ ପଛୁଆ ବର୍ଗଙ୍କ ସକାଶେ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନର ବିଭିନ୍ନ ପଦ ପଦବି ପାଇଁ ୨୭ ଭାଗ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି। କିନ୍ତୁ କଳାହାଣ୍ଡି ଜିଲ୍ଲାରେ ଏହାର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ଆଗାମୀ ପଞ୍ଚାୟତିରାଜ ନିର୍ବାଚନ ସକାଶେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଜିଲ୍ଲାର ୧୩ଟି ବ୍ଲକ୍‌ ଓ ୩୬ଟି ଜିଲ୍ଲାପରିଷଦ ଆସନରେ କୌଣସି ଓବିସି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ବ୍ୟବସ୍ଥା ନାହିଁ। ଫଳରେ ଜିଲ୍ଲାର ପଛୁଆ ବର୍ଗଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତ୍ରୁଟିପୂର୍ଣ୍ଣ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କରି ନୂତନ ବିଜ୍ଞପ୍ତି ପ୍ରକାଶ କରାଇ ପଛୁଆ ବର୍ଗଙ୍କ ସକାଶେ ୨୭ ଭାଗ ବିଭିନ୍ନ ପଦପଦବିରେ ସ୍ଥାନ ସଂରକ୍ଷଣ କରିବା ପାଇଁ ଦାବି ହୋଇଛି। ଓବିସିଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ କରାଯିବା ପାଇଁ କଳାହାଣ୍ଡି ଜିଲ୍ଲାର ପଛୁଆ ବର୍ଗ ଜାତି ସମୂହ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ପଛୁଆ ବର୍ଗ ଜାତି ସମୂହ ନିଜର ହକ୍ ଓ ସାମ୍ବିଧାନିକ ଅଧିକାର ଲଢ଼େଇ ପାଇଁ ରାଜରାସ୍ତାକୁ ଓହ୍ଲାଇବା ସହ କଳାହାଣ୍ଡି ବନ୍ଦ ଡାକରା ଦେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛି।

ବିଜେପି ପକ୍ଷରୁ ଓବିସି ମୋର୍ଚ୍ଚା ପ୍ରଭାରୀ ତଥା ଜିଲ୍ଲା ଉପସଭାପତି ପ୍ରଶାନ୍ତ ସାହୁ, ବଦ୍ରି ପଟ୍ଟନାୟକ, ଅଜୟ ପାଣିଗ୍ରାହୀ, ନର ପଟ୍ଟନାୟକ, ହିମାଂଶୁ ବିଶ୍ୱାଳ, ଶୋଭାଗିନୀ ପାତ୍ର, ପିଙ୍କି ସାହୁ, ପ୍ରେମନାଥ ନାୟକ ପ୍ରମୁଖଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ। ଏଥିରେ ଓବିସି ଆସନ ଦାବି ସହ ନିରପେକ୍ଷ ନିର୍ବାଚନ ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କ ବଦଳି ଦାବି କରାଯାଇଛି। ସେହିଭଳି ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ। ପଛୁଆ ବର୍ଗ ସାମ୍ମୁଖ୍ୟ ପକ୍ଷରୁ  ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ଏଥିରେ ଡମ୍ବରୁ ଲହଜଲ, କୀର୍ତ୍ତନ ନାୟକ, ମହେନ୍ଦ୍ର ସାହୁ, ପ୍ରେମାନନ୍ଦ ଘି, ସୁଭାଷ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ବହୁ ପଦାଧିକାରୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର