ସ୍ପିନଂ ମିଲ୍ ପୁନରୁଦ୍ଧାର ଦାବି ତେଜିଲା, ଧାରଣାରେ ବସିଲେ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରରେ ସୂତା ବାନ୍ଧିଲେ ସଚେତନ ନାଗରିକ

ସୋନପୁର : ଅନେକ ଦିନ ହେଲା ସୋନପୁର ସ୍ପିନିଂ ମିଲ୍ ଘରୋଇ ସଂସ୍ଥା ହାତକୁ ଯିବା ପରେ ଅବସ୍ଥା ଦୟନୀୟ ହୋଇପଡ଼ିଛି। ଲୋକେ ରୋଜଗାର ହରାଇଛନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ି ଚାଲିଥିଲା। ଶୁକ୍ରବାର ସୋନପୁର ସଚେତନ ନାଗରିକମାନେ ସୋନପୁର ସ୍ପିନିଂ ମିଲ ପୁନଃ ଉଦ୍ଧାର ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ କାର୍ଯ୍ୟାଳୟ ଚାରିପଟେ ଏକ ହଜାର ଲାଲ୍‌ ସୂତା ବାନ୍ଧିଛନ୍ତି। ଏହାପରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଦାବିପତ୍ରଟି ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କୁ ଦିଆଯାଇଥିଲା।

ଏଥିରେ ଦର୍ଶାଯାଇଛି ଯେ ସୁବର୍ଣ୍ଣପୁର ଜିଲ୍ଲାର ଏକମାତ୍ର ଶିଳ୍ପ ପ୍ରତିଷ୍ଠାନ ସ୍ପିନିଂ ମିଲ୍‌ ବର୍ତ୍ତମାନ ଅଚଳ ଅବସ୍ଥାରେ ପଡ଼ିରହିଛି। ଏକଦା ହଜାର ହଜାର ଶ୍ରମିକ ପରିବାରଙ୍କୁ ଅନ୍ନ ଯୋଗାଉଥିବା ଏହି ଶିଳ୍ପ ଜିଲ୍ଲାର ଆର୍ଥିକ ମେରୁଦଣ୍ଡ ଭାବେ ଗଣାଯାଉଥିଲା। ମାଟିର ଅବହେଳିତ ବୀର ସନ୍ତାନମାନଙ୍କ ଲହୁଲୁହାଣ ଭରା ଆନ୍ଦୋଳନରେ ପ୍ରତିଷ୍ଠିତ ଏହି ଶିଳ୍ପ ସୁବର୍ଣ୍ଣପୁରର ଶ୍ରୀ ଓ ସମୃଦ୍ଧିକୁ ଏକଦା ପ୍ରତିପାଦନ କରୁଥିଲା। କିନ୍ତୁ ଏହି ଶିଳ୍ପ ବର୍ତ୍ତମାନ ମୃତ ପ୍ରାୟ। ଏହାକୁ ଠିକ୍‌ ଭାବେ ପୁନଃ କାର୍ଯ୍ୟକ୍ଷମ କଲେ ହଜାର ହଜାର ଶ୍ରମିକଙ୍କୁ ରୋଜଗାର ମିଳିପାରିବ। ଏକ ଘରୋଇ ସଂସ୍ଥାକୁ ରାଜ୍ୟ ସରକାର ଏହି ସ୍ପିନିଂ ମିଲ୍‌କୁ ଅନ୍ଧ ଭାବରେ ଟେକି ଦେଇଥିଲେ। ଏହି ଶିଳ୍ପର ପୁନଃ କାର୍ଯ୍ୟକ୍ଷମ ତ ଦୂର କଥା, ତାହା ବର୍ତ୍ତମାନ ମୂଳ ଉଦ୍ଦେଶ୍ୟରୁ ଓହରିଯାଇ ଅଚଳ ଅବସ୍ଥାକୁ ଚାଲିଯାଇଛି। ଜିଲ୍ଲାରେ କପା ଚାଷୀମାନେ ଉନ୍ନତମାନର କପା ଚାଷ କରୁଛନ୍ତି। କିନ୍ତୁ ସ୍ପିନିଂ ମିଲ୍ ଥାଇବି ସେମାନେ ଆଜି ଉଚିତ୍‌ ମୂଲ୍ୟରେ ବିକ୍ରି କରିନପାରି ଶାଗ ମାଛ ଦରରେ କପା ବିକ୍ରି କରୁଛନ୍ତି। ଏପଟେ ହଜାରହଜାର ଶ୍ରମିକ ପରିବାର, ସେପଟେ ହଜାର ହଜାର କପା ଚାଷୀ ଭାଗ୍ୟକୁ ଆଦରି ସର୍ବସ୍ବାନ୍ତ ହେଉଛନ୍ତି। ଏଣୁ ଏହି ସ୍ପିନିଂ ମିଲ୍‌ ପୁନଃଉଦ୍ଧାର କରିବାକୁ ଦାବି କରାଯାଇଛି। ବଳଦେବ ପ୍ରସାଦ ବେଦବାକଙ୍କ ନେତୃତ୍ବରେ କେଦାର ଦାଶ, ଦୀପକ ମହାପାତ୍ର, ବ୍ୟାସଦେବ ମିଶ୍ର, ଜିତେନ୍ଦ୍ର ମହାପାତ୍ର, ଶ୍ରଦ୍ଧାଞ୍ଜଳି ମିଶ୍ର, ବାପି ଦାଶ, ଧୁବଳେ କୁମ୍ଭାର, ମହେନ୍ଦ୍ର ସୁନା, ଶିବଶଙ୍କର ନାଏକ, ଦାସଦୀପ୍ତ ମହାପାତ୍ର, ସୁରେଶ ପାତ୍ର, କେଶବ ସାହୁ, ବାସୁଦେବ ନାଏକ, ବିମଳେନ୍ଦୁ ଦାନୀ ପ୍ରମୁଖ ଧାରଣାରେ ବସିଥିଲେ।

ସମ୍ବନ୍ଧିତ ଖବର