ମାଓ ତାଣ୍ଡବ ପରେ ପ୍ରଚାରକୁ ଗଲେନି ପ୍ରାର୍ଥୀ, ନିର୍ବାଚନ ବୁଥ୍‌ରେ କଡ଼ା ସୁରକ୍ଷା ପାଇଁ ଦାବି

ଭବାନୀପାଟଣା : କଳାହାଣ୍ଡି‌ ଜିଲ୍ଲାରେ ମାଓ ତାଣ୍ଡବ ପରେ ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଯେଉଁଥିପାଇଁ ମାଓପ୍ରବଣ ଅଞ୍ଚଳରେ ପ୍ରାର୍ଥୀମାନେ ପ୍ରଚାରକୁ ଓହ୍ଲାଇ ନଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ, ଏହି ଘଟଣା ପରେ କଳାହାଣ୍ଡି ଜିଲ୍ଲାରେ ମାଓବାଦୀଙ୍କ ଅବସ୍ଥିତି ଓ ହିଂସାକାଣ୍ଡ ପୁଣିଥରେ ସତେଜ ହୋଇଉଠିଛି। ଜିଲ୍ଲାର ୧୩ଟି ବ୍ଲକ୍‌ ମଧ୍ୟରୁ ୧୧ଟିରେ ମାଓମା‌ଦୀମାନେ ସେମାନଙ୍କର କାୟା ବିସ୍ତାର କରିଥିବା କୁହାଯାଉଥିବାବେଳେ ସେମାନଙ୍କ ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ସୁଦ୍ଧା ୧୧ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।

ଗତ ଶନିବାର ଦିନ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍‌ ଡମକର୍ଲାଖୁଣ୍ଟା ଦୁଲେନ ପୋଲ ନିକଟରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ମୃତ୍ୟୁ ଘଟିଥିଲା। ଫଳରେ, ଏହାର ସିଧାସଳଖ ପ୍ରଭାବ ନିର୍ବାଚନ ଉପରେ ପଡ଼ିଛି। ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରାର୍ଥୀମାନେ ଯେତେବେଳେ ପ୍ରଚାର କାର୍ଯ୍ୟକୁ ତ୍ବରାନ୍ବିତ କରିବା କଥା, ଆଜି ସେମାନେ ଚୁପ୍‌ ହୋଇ ବସିଥିବା ଦେଖିବାକୁ ମିଳିଛି। ମାଓପ୍ରବଣ ଅଞ୍ଚଳରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଜଣେ ପ୍ରାର୍ଥୀଙ୍କ ମତରେ, ‘ ଗତକାଲିର ବିସ୍ଫୋରଣ ଘଟଣା ପରେ ମାଓବାଦୀମାନେ ସକ୍ରିୟ ରହିଥିବା ଏକପ୍ରକାର ସ୍ପଷ୍ଟ ହୋଇଛି। ଲାଲବାହିନୀ ସଙ୍ଗଠନ ନିର୍ବାଚନ ଭଣ୍ଡୁର ପାଇଁ ଏହି ବିସ୍ଫୋରଣ ଘଟାଇଥିବାରୁ ଆମକୁ ସିଧାସଳଖ ପ୍ରଚାର କରିବା ପାଇଁ ଏବେ ଭୟ ଲାଗୁଛି।’ ଏହିଭଳି ଏକ ପରିସ୍ଥିତିରେ ପ୍ରାର୍ଥୀମାନଙ୍କୁ ସୁରକ୍ଷା ଯୋଗାଇବାର ଆବଶ୍ୟକତା ରହିଛି ବୋଲି, ସେ ନିଜ ନାମ ଗୋପନ ରଖିବା ସର୍ତ୍ତରେ ‘ସମ୍ବାଦ’କୁ କହିଛନ୍ତି।

ପଞ୍ଚାୟତ ନିର୍ବାଚନବେଳେ କର୍ମଚାରୀମାନେ କିଭଳି ବୁଥ୍‌ରେ ପହଞ୍ଚି ମତଦାନ କରିବେ ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତୁରନ୍ତ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରା ନଗଲେ ପରିସ୍ଥିତି ଅଣାୟତ୍ତ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି। ରାଜ୍ୟ ସରକାର ତୁରନ୍ତ ଏ ନେଇ ଠୋସ୍‌ ପଦକ୍ଷେପ ନେବାକୁ ସାଧାରଣରେ ଦୃଢ଼ ଦାବି ହୋଇଛି।

ଅନ୍ୟପକ୍ଷରେ, ଏହି ଘଟଣାପରେ ଜିଲ୍ଲାରେ ମାଓବାଦୀଙ୍କ ଅବସ୍ଥିତି ଓ ହିଂସାକାଣ୍ଡକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ଯେ ଜିଲ୍ଲାର ୧୩ଟି ବ୍ଲକ୍‌ରୁ ୧୧ଟି ବ୍ଲକ୍‌ରେ ଲାଲବାହିନୀ ନିଜ ସଂଗଠନର କାୟା ବିସ୍ତାର କରିବାରେ ଲାଗିଛି। ଜିଲ୍ଲାର କେବଳ କେସିଙ୍ଗା ଓ କର୍ଲାମୁଣ୍ଡା ବ୍ଲକ୍‌କୁ ଛାଡ଼ିଦେଲେ ଭବାନୀପାଟଣା ସଦର ବ୍ଲକ୍‌, ଲାଞ୍ଜିଗଡ଼, ଥୂଆମୂଳରାମପୁର, ନର୍ଲା, ମଦନପୁର ରାମପୁର, ଗୋଲାମୁଣ୍ଡା, ଧର୍ମଗଡ଼, ଜୁନାଗଡ଼, କୋକସରା, ଜୟପାଟଣା, କଲମପୁର ବ୍ଲକ୍‌ରେ ଲାଲବାହିନୀ ନିଜର ସ୍ଥିତି ଜାହିର କରିସାରିଛି। ସେହିଭଳି, ମାଓବାଦୀଙ୍କ ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ସୁଦ୍ଧା ୧୧ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ମାଓବାଦୀଙ୍କୁ ନେଇ ଲୋକମାନଙ୍କ ମଧ୍ୟରେ ପୁଣିଥରେ ଭୟ ସଂଚାର ହୋଇଛି।

ସମ୍ବନ୍ଧିତ ଖବର