ଭୁବନେଶ୍ବର : ବିଡିଓଙ୍କୁ ମାଡ଼ ଅଭିଯୋଗରେ ଗିରଫ ହୋଇଥିବା ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ତୁରନ୍ତ ମୁକ୍ତ କରିବା ଦାବିରେ ମଙ୍ଗଳବାର ଦିନ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛି।
ବିଜେପି ପ୍ରତିନିଧି ଦଳ କହିଛି ଯେ, ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଷଡଯନ୍ତ୍ର ରଚି ରୁଜୁ ହୋଇଥିବା ମିଛ କେସ୍କୁ ପ୍ରତ୍ୟାହାର କରାଯାଉ। ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଦ୍ୱାରା ପ୍ରଥମେ ରୁଜୁ ହୋଇଥିବା ଏଫ୍ଆଇଆର୍ ଆଧାରରେ ତିଲେଇବଣି ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ବୁକ୍ ସର୍କୁଲାର୍ - ୪୭ର ଠିକ୍ କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଓ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ପ୍ରତିନିଧି ଦଳ ଦାବି କରିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ତିଲେଇବଣି ବିଡିଓଙ୍କ ବିଶୃଙ୍ଖଳିତ ଆଚରଣ ଓ ଦୁର୍ବ୍ୟବହାରକୁ ଆଧାର କରି ବିଧାୟକ ଶ୍ରୀ ପାଣିଗ୍ରାହୀ ପ୍ରଥମେ ଥାନାର ଦ୍ୱାରସ୍ଥ ହୋଇ ଏଫ୍ଆଇଆର ଦେଇଥିଲେ। କିନ୍ତୁ ସରକାରଙ୍କ ଚାପରେ ବିଧାୟକଙ୍କ ଅଭିଯୋଗକୁ ତଦନ୍ତ କରାଗଲା ନାହିଁ। ହେଲେ ତା’ପରଦିନ ତିଲେଇବଣି ବିଡିଓଙ୍କ ଅଭିଯୋଗକୁ ଭିତ୍ତିକରି ଘଟଣାର ବିନା ତଦନ୍ତରେ ବିଧାୟକଙ୍କୁ ମିଛ କେସ୍ରେ ତାଙ୍କ ଭୁବନେଶ୍ବରସ୍ଥିତ ବାସଭବନରୁ ଗିରଫ କରାଗଲା। ତେଣୁ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଥିବା ମିଛ କେସ୍କୁ ପ୍ରତ୍ୟାହାର କରିବା ସହ ମୁକ୍ତ କରିବା ଏବଂ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେ ରାଜ୍ୟପାଳଙ୍କ ନିକଟରେ ଦାବି କରିଛୁ।
ଅନ୍ୟପକ୍ଷରେ ସରକାରୀ ଅଧିକାରୀମାନେ ବୁକ୍ ସର୍କୁଲାର ୪୭କୁ ମାନୁନାହାନ୍ତି। ଏହାଦ୍ବାରା ଜନପ୍ରତିନିଧିମାନେ ଜନସାଧାରଣଙ୍କ ଅସନ୍ତୋଷର ଶିକାର ହେଉଛନ୍ତି। ତେଣୁ ଏହାର ଠିକ୍ କାର୍ଯ୍ୟକାରୀ ପାଇଁ ରାଜ୍ୟପାଳ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ବିଜେପି ପ୍ରତିନିଧି ଦଳ ଦାବି କରିଛି।
ଏହି ପ୍ରତିନିଧି ଦଳରେ ବିଧାୟକ ଭାସ୍କର ମଢ଼େଇ, ମୁକେଶ ମହାଲିଙ୍ଗ, ପ୍ରକାଶ ସୋରେନ, ନବଚରଣ ମାଝୀ, ସନାତନ ବିଜୁଳି, ଗଣେଶ ରାମ ଖୁଣ୍ଟିଆ, ବୁଧନ ମୁର୍ମୁ, କେ.ନାରାୟଣ ରାଓ, ଦଳର ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର, ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ, ଦିଲୀପ ମଲ୍ଲିକ ଏବଂ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।