ଭିମ୍‌ସାରରେ ଅସ୍ତ୍ରୋପଚାର ପାଇଁ ଟଙ୍କା ଦାବି, ୧୫ ହଜାର ଟଙ୍କା ନଦେବାରୁ ଡିସଚାର୍ଜ ହେଉନି

ଅଭିଯୋଗକୁ ଡାକ୍ତରଙ୍କ ଖଣ୍ଡନ, ରୋଗୀଙ୍କଠାରୁ ଲେଖାଇନେଲେ

ସମ୍ବଲପୁର: ଏମ୍‌ଆର୍‌ଆଇରେ କୋଟି କୋଟି ଟଙ୍କାର ହେରଫେର୍‌ ଘଟଣା ଦେଇ ୨ ଦିନ ଚର୍ଚ୍ଚାରେ ରହିଥିବା ଭିମ୍‌ସାରରେ ବୁଧବାର ପୁଣି ଅଭିଯୋଗ ଆସିଛି। ଜଣେ କିଡନି ରୋଗୀଙ୍କ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ଡାକ୍ତର ମାଗିଥିବା ୧୫ ହଜାର ଟଙ୍କା ଦେଇ ନ ପାରିବାରୁ ଜଣେ ରୋଗୀଙ୍କୁ ଡିସଚାର୍ଜ କରାଯାଉନଥିବା ସହ ତୁରନ୍ତ ଟଙ୍କା ଦେବାକୁ ଚାପ ପକାଯାଇଥିବା ରୋଗୀଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି। ତେବେ ଗଣମାଧ୍ୟମ ପ୍ରତିନିଧିମାନେ ଏହି ଖବର ପାଇ ସଂପୃକ୍ତ ଡାକ୍ତର ଚକ୍ଷୁ ବିଭାଗର ପ୍ରଫେସର ପ୍ରମୋଦ ଶର୍ମାଙ୍କୁ ପଚାରିବାରୁ ସେ ଭିନ୍ନ କଥା କହିଛନ୍ତି। ଏଭଳି ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ଉକ୍ତ ରୋଗୀଙ୍କର ଅସ୍ତ୍ରୋପଚାରରେ ଆବଶ୍ୟକ କିଛି ସାମଗ୍ରୀ ଇଣ୍ଡେନ୍‌ କରିବା ପାଇଁ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଚିଠି ଲେଖା ଯାଇଥିଲା କିନ୍ତୁ ନ ମିଳିବାରୁ ସେ (ଡାକ୍ତର) ନିଜ ହାତରୁ ଟଙ୍କା ଦେଇ ଜିନିଷ କିଣିଥିଲେ ବୋଲି କହିଛନ୍ତି। ଯଦି କାହାର ଭଲ କରିବା ଏତେ ଖରାପ ତେବେ ଭବିଷ୍ୟତରେ ଆଉ କାହାକୁ ସାହାଯ୍ୟ କରିବେନି ବୋଲି ସେ କହିଥିଲେ। ‌ସେପଟେ ଦିନତମାମ୍‌ ଗଣମାଧ୍ୟମ ସମ୍ମୁଖରେ ଖୋଲାଖୋଲି ଅଭିଯୋଗ କରିଥିବା ଉକ୍ତ ରୋଗୀଙ୍କ ସ୍ତ୍ରୀ ସବିତା ଭୋଇଙ୍କ ନିକଟରୁ ସନ୍ଧ୍ୟା ବେଳକୁ ଏକ ହାତ ଲେଖା କାଗଜରେ ଦସ୍ତଖତ ନିଆଯାଇଥିବା ଜଣାପଡ଼ିଛି। ସେଥିରେ ପ୍ରଫେସର ଶର୍ମାଙ୍କୁ ସବିତା ସମ୍ପୂର୍ଣ୍ଣ ନିର୍ଦୋଷ ବୋଲି ଉଲ୍ଳେଖ କରିଛନ୍ତି। କିନ୍ତୁ ଏହା ପରଠାରୁ ସବିତାଙ୍କର ଫୋନ୍‌ ମଧ୍ୟ ସୁଇଚ୍‌ ଅଫ୍‌ ହୋଇ ରହିଛି। ଚାପରେ ସବିତା ଉକ୍ତ ଚିଠିରେ ଦସ୍ତଖତ ଦେଇଥିବା ଅଭିଯୋଗ ହୋଇଛି।

ଗୁରୁବାର ସକାଳେ ସବିତା ଅଭି‌ଯୋଗ କରିଥିଲେ, ତାଙ୍କ ସ୍ବାମୀ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ରଘୁନାଥପାଲିର ଧ୍ରୁବ ଭୋଇଙ୍କ ଚକ୍ଷୁ ସମସ୍ୟା ଥିବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନା ଚକ୍ଷୁ ବିଭାଗରେ ଭର୍ତ୍ତି କରାଯାଇଥିଲା। ଧ୍ରୁବଙ୍କର କିଡ୍‌ନି ଜନିତ ସମସ୍ୟା ରହିଥିବାରୁ ତାଙ୍କ ଚକ୍ଷୁ ଅସ୍ତ୍ରୋପଚାରର ଆବଶ୍ୟକତା ରହିଥିବା ଚିକିତ୍ସା କରୁଥିବା ଡାକ୍ତର ପ୍ରମୋଦ ଶର୍ମା ପରାମର୍ଶ ଦେଇଥିଲେ। ତେବେ ପ୍ରଥମ ଇଞ୍ଜେକ୍ସନ ଦେବାର ୩ ଦିନ ପରେ ଅସ୍ତ୍ରୋପଚାର ହେବ ବୋଲି କୁହାଯାଇଥିଲା। କିନ୍ତୁ ଉକ୍ତ ଇଞ୍ଜେକ୍ସନ ପାଇଁ ଡାକ୍ତର ୫ ହଜାର ଟଙ୍କା ମାଗିଥିଲେ। ସବିତା ବାହାରୁ ଇଞ୍ଜେକ୍ସନ କିଣିବେ ବୋଲି କହିବାରେ ଡାକ୍ତର ଏଥିରେ ରାଜି ହୋଇନଥିଲେ ଏବଂ ବାହାରେ ଇଞ୍ଜେକ୍ସନ ମିଳିବନି ବୋଲି କହିଥିଲେ। ସବିତା ବାଧ୍ୟ ହୋଇ ସାଙ୍ଗରେ ନେଇ ଆସିଥିବା ମୋଟ ୫ ହଜାର ଟଙ୍କା ଡାକ୍ତରଙ୍କୁ ପ୍ରଦାନ କରିଥିଲେ। ଶନିବାର ଅସ୍ତ୍ରୋପଚାର କକ୍ଷକୁ ଯିବା ପୂର୍ବରୁ କେତେ ଟଙ୍କା ଖର୍ଚ୍ଚ ହେଉଛି ସେ ସମ୍ପର୍କରେ ପାଖ ଶଯ୍ୟାରେ ରହିଥିବା ଲୋକଙ୍କଠାରୁ ବୁଝି ଆସିବାକୁ ଡା.ଶର୍ମା ତାଙ୍କୁ କହିଥିଲେ। ପ‌ାଖ ଶଯ୍ୟାରେ ଥିବା ଲୋକଙ୍କୁ ପଚାରିବାରୁ ସେମାନେ ମଧ୍ୟ ପ୍ରଥମେ ୫ ହଜାର ଓ ପରେ ୧୫ ହଜାର ଟଙ୍କା ଦେଇଥିବା କହିଥିଲେ। ତେବେ ୧୫ ହଜାର ଟଙ୍କା ନଥିବାରୁ ସବିତା ଚିନ୍ତାରେ ପଡ଼ି ଯାଇଥିଲେ। ଏହାପରେ ଡା.ଶର୍ମା ତାଙ୍କୁ ସୋମବାର ସୁଦ୍ଧା ୧୫ ହଜାର ଟଙ୍କା ପ୍ରସ୍ତୁତ କରି ରଖିବାକୁ କହିଥିଲେ। ସୋମବାର ଡାକ୍ତର ଆସି ପଚାରିବା ପରେ ସବିତା ଟଙ୍କା ନଥିବା କହିବାରୁ ତାଙ୍କର ତୁରନ୍ତ ଟଙ୍କା ଯୋଗାଡ଼ କର ନହେଲେ ଡିସଚାର୍ଜ ହେବନି ବୋଲି କହିଥିଲେ। ବୁଧବାର ସକାଳୁ ପୁଣିଥରେ ଡାକ୍ତର ଆସି ଅସ୍ତ୍ରୋପଚାରରେ ଲାଗିଥିବା ଜିନିଷର ଦାମ୍‌ କେତେ ପ୍ରଥମେ ଯାଇ ବୁଝିଆସ ଓ ତାହା ପରେ ଟଙ୍କା ଦେବ ବୋଲି କହିଥିଲେ। ସବିତା ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ତେବେ ସଂଧ୍ୟା ବେଳକୁ ଘଟଣା ନାଟକୀୟ ମୋଡ଼ ନେଇଥିଲା।
ଗୋଟିଏ ପଟେ, ଭିମ୍‌ସାରରେ ଗରିବ ରୋଗୀଙ୍କ ପାଇଁ ନିଦାନରୁ ନେଇ ନିରାମୟ ଯାଏ ସମସ୍ତ ମାଗଣା ବ୍ୟବସ୍ଥା ରହିଥିବା ସରକାର କହୁଛନ୍ତି। ଅପରପକ୍ଷେ ସାଧାରଣ ଅସ୍ତ୍ରୋପଚାର ପାଇଁ ଇଞ୍ଜେକ୍ସନଠାରୁ ସିରିଞ୍ଜ ଓ ସୂତା ଯାଏ ସବୁ ରୋଗୀଙ୍କୁ କିଣିବାକୁ ପଡ଼ୁଛି। ପୁଣି ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଔଷଧ, ଇଞ୍ଜେକ୍ସନ ମିଳୁନଥିବା ସମୟରେ ଡାକ୍ତରମାନେ କିଭଳି ଅସ୍ତ୍ରୋପଚାର ଗୃହରେ ଔଷଧ ବିକ୍ରି କରୁଛନ୍ତି ତାହା ସବୁଠୁ ପ୍ରଶ୍ନବାଚୀ ପାଲଟିଛି।

ସମ୍ବନ୍ଧିତ ଖବର