ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ଆଗତ ହେଲା ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚ ଦାବି

ଭୁବନେଶ୍ବର : ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଧାନସଭାରେ ଜାରି ରହିଛି । ବିରୋଧୀ ଦଳଙ୍କ ହଟ୍ଟଗୋଳ ମଧ୍ୟରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପିତ କରିଛନ୍ତି । ଏହି ସମୟରେ ବିଜେପିର ସଦସ୍ୟମାନେ ଗୃହରେ ଘଣ୍ଟ ବାଡେଇବା ସହ  ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । କଂଗ୍ରେସ ପକ୍ଷରୁ ମଧ୍ୟ ଗୃହର ମଧ୍ୟ ଭାଗରେ ହୋ ହଲା କରାଯାଇଥିଲା । କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ଅନ୍ୟ କଂଗ୍ରେସ ବିଧାୟକମାନେ ମନ୍ତ୍ରୀଙ୍କ ଆଗରେ ଘଣ୍ଟ ବଜାଇଥିଲେ ।

୨୦୨୧-୨୨ ବର୍ଷ ପାଇଁ ମୋଟ ବ୍ୟୟ ଅଟକଳ ହେଉଛି ୨୦ ହଜାର ୨ଶହ ୯୩ କୋଟି ୯୪ ଲକ୍ଷ ଟଙ୍କା । ଚଳିତ ଆର୍ଥିକ ବର୍ଷରେ ୩ ହଜାର ୬ ଶହ ୨୩ କୋଟି ୬୩ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ ପ୍ରସ୍ତାବ ରହିଛି । ତନ୍ମଧ୍ୟରୁ ୩ ହଜାର ୫ ଶହ ୭୬ କୋଟି ଟଙ୍କା ଯୋଜନା ସମ୍ବନ୍ଧୀୟ ବ୍ୟୟ ଏବଂ ୪୭ କୋଟି ୬୩ ଲକ୍ଷ ପ୍ରଶାସନିକ ବ୍ୟୟ ନିମନ୍ତେ ପ୍ରସ୍ତାବ ରଖାଯାଇଛି ।

ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚଦାବି

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଏବଂ ବିଜୁ ପକ୍କା ଘର ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ହୋଇଥିବା ବ୍ୟୟ ବରାଦ ୩ ହଜାର କୋଟି ଟଙ୍କା ବ୍ୟୟ ବରାଦ୍ କରାଯାଇଥିବା ବେଳେ ଅଦ୍ୟାବଧି ୧୨ଶହ ୬୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ମୋଟ୍ ୯୮ହଜାର ୬୧୭ଟି ବାସଗୃହର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇଛି ଏବଂ ଅବଶିଷ୍ଟ ୨ ଲକ୍ଷ ୧୩ ହଜାର ଅସମ୍ପୂର୍ଣ୍ଣ ବାସଗୃହ ଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଅଛି । ଚଳିତ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ରେ ୨ହଜାର ୫ ଶହ ୬୪ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖାଯାଇଅଛି ।

ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ସମୁଦାୟ ୨ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ଅଦ୍ୟାବଧି ୧୨ ଶହ ୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଅଛି । ତନ୍ମଧ୍ୟରୁ ୩ଶହ ୬୦ କୋଟି ଟଙ୍କା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ସ୍ୱତନ୍ତ୍ର କୋଭିଡ୍-୧୯ ସହାୟତା ୩୨ ଲକ୍ଷ ୬ ହଜାର ହିତାଧିକାରୀଙ୍କ ନିମନ୍ତେ ଖର୍ଚ୍ଚ କରାଯାଇଅଛି । ଦାଦନ ପ୍ରବଣ ଅଞ୍ଚଳରେ ୭୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ମାନବଦିବସ ପ୍ରତି ଅତିରିକ୍ତ ୯୩ ଟଙ୍କା ପ୍ରଦାନ କରାଯାଇଅଛି ଓ ଅତିରିକ୍ତ ୨୦୦ ଦିନର କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଅଛି । ଚଳିତ ଆର୍ଥିକ ବର୍ଷରେ ୫ଶହ କୋଟି ଟଙ୍କା ଲେଖାଏଁ ଅତିରିକ୍ତ ବଜେଟ୍ ପ୍ରସ୍ତାବ ଉଭୟ ମହାତ୍ମା ଗାନ୍ଧି ନରେଗା ଓ ଆବର୍ତ୍ତନ ପାଣ୍ଠି  ପାଇଁ ରଖାଯାଇଅଛି । ୨୦୨୧-୨୨ ଆର୍ଥିକ ବର୍ଷରେ ୧୫ କୋଟି ୫୭ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଅଛି ୩୧ ଲକ୍ଷ ୩୧ ହଜାର ପରିବାରଙ୍କୁ ରୋଜଗାର ଯୋଗାଇ ଦିଆଯାଇଅଛି ଏବଂ ୨ ଲକ୍ଷ ୬୪ ହଜାର ୨୯୯ ପରିବାରଙ୍କୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଅଛି ।

ଜାତୀୟ ଗ୍ରାମୀଣ ଜୀବିକା ମିଶନରେ ୨୦୨୧-୨୨ ଆର୍ଥିକ ବର୍ଷରେ ୧୨ଶହ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ ଅଦ୍ୟାବଧି ୪ଶହ ୩୬ କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଅଛି । ଏହି ଯୋଜନା ଅଧିନରେ ୧୯ ହଜାର ୭ଶହ ୯୯ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହତି କରାଯାଇଅଛ । ୨୮ ହଜାର ୩ଶହ ୯୮ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଗୋଷ୍ଠୀ ବିନିଯୋଗ ପାଣ୍ଠି ମାଧ୍ୟମରେ ସହାୟତା ପ୍ରଦାନ କରାଯାଇଅଛି । ୧ ଲକ୍ଷ ୬୪ ହଜାର ୧୦୫ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଇ ଦିଆଯାଇଅଛି । ୨୦୩ ଗୋଟି କୁକୁଡ଼ା କ୍ଲଷ୍ଟର ଏବଂ ୨୮୯ ଗୋଟି ଛେଳି କ୍ଲଷ୍ଟର ସ୍ଥାପନ କରାଯାଇଅଛି । ୪ଲକ୍ଷ ୬୯ ହଜାର ପରିବାରଙ୍କୁ ପୋଷଣ ବଗିଚା ଯୋଗାଇ ଦିଆଯାଇଅଛି । ଏତଦ୍ ବ୍ୟତୀତ ପ୍ରଶିକ୍ଷଣ ଓ ପ୍ରଯୁକ୍ତି ସହାୟତା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଉତ୍ପାଦନ ବୃଦ୍ଧି ନିମନ୍ତେ ବିହନ, ସାର, ଖାଦ୍ୟ, ଖତ ଯୋଗାଇ ଦିଆଯାଇ ମାଛ ଚାଷ, ଜୈବିକ ପଶମ ଚାଷ, ରଙ୍ଗିନ ମାଛ ଚାଷ ବାବଦରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଅଛି ।

ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ ଆୟୋଗରେ ୨୦୨୧-୨୨ ବର୍ଷ ନିମନ୍ତେ ପ୍ରଥମ କିସ୍ତିରେ ଉଭୟ ଆବଦ୍ଧ ଓ ଅନାବଦ୍ଧ ପାଣ୍ଠି ଭାବରେ ୮ଶହ ୩୪ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ତ୍ରି-ସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକୁ ପ୍ରଦାନ କରାଯାଇଅଛି । ପଞ୍ଚମ ରାଜ୍ୟ ଅର୍ଥ ଆୟୋଗର ହସ୍ତାନ୍ତରଣ ପାଣ୍ଠି (ଡିଭୋଲୁସନ୍) ବାବଦରେ ୯ ଶହ ୧୫ କୋଟି ୯ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ତ୍ରି-ସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକୁ ପ୍ରଦାନ କରାଯାଇଅଛି । ଏଥି ସହିତ ୨୦୨୧-୨୨ ଆର୍ଥିକ ବର୍ଷରେ ସହାୟକ ଅନୁଦାନ (ଗ୍ରାଣ୍ଟ୍ -ଇନ୍-ଏଡ୍) ପାଇଁ ବିଭିନ୍ନ ବିଭାଗରେ ୬ଶହ ୪୦ କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଅଛି ।

୨୦୨୧୨୨ ବର୍ଷ ପାଇଁ ସହାୟକ ଅନୁଦାନ ଅଧିନରେ ନିମ୍ନଲିଖିତ କାର୍ଯ୍ୟ ପାଇଁ ପାଣ୍ଠି ବ୍ୟବସ୍ଥା କରାଯାଇଛି

  • ପାନୀୟ ଜଳ (ପାଇପ୍ ଦ୍ୱାରା ଜଳ ଯୋଗାଣ)- ୧୨୫ କୋଟି
  • ନଳକୂପ ବ୍ୟବସ୍ଥା (ସୌର ଶକ୍ତି) – ୪୧ କୋଟି ୬୬ ଲକ୍ଷ
  • ସବୁଦିନିଆ ରାସ୍ତା ସଂଯୋଗୀକରଣ – ୯୭ କୋଟି ୬୯ ଲକ୍ଷ
  • ଗ୍ରାମପଞ୍ଚାୟତ ସଦର ମହକୁମାରେ ସୁବିଧା ସୁଯୋଗ – ୧ଶହ ୧୩ କୋଟି ୩୦ ଲକ୍ଷ
  • ରାସ୍ତା ଆଲୋକୀକରଣ – ୫୬ କୋଟି ୬୬ ଲକ୍ଷ
  • ଗ୍ରାମୀଣ ହାଟର ବିକାଶ – ୫୦ କୋଟି
  • ପ୍ରମୁଖ ସମ୍ପତ୍ତି ଗୁଡ଼ିକର ରକ୍ଷଣା ବେକ୍ଷଣ – ୫୮ କୋଟି ୩୩ ଲକ୍ଷ
  • ପ୍ରାଥମିକ ବିଦ୍ୟାଳୟ ଗୃହର ରକ୍ଷଣା ବେକ୍ଷଣ – ୫୨ କୋଟି ୩୩ ଲକ୍ଷ
  • ଜଳ ଭଣ୍ଡାର ଗୁଡ଼ିକର ସଂରକ୍ଷଣ ଓ ଉନ୍ନତିକରଣ – ୨୦ କୋଟି ୮୩ ଲକ୍ଷ
  • ଆୟ ବୃଦ୍ଧିକାରୀ ସମ୍ପତ୍ତି ସୃଷ୍ଟି – ୧ଶହ ୪୧ କୋଟି ୬୬ ଲକ୍ଷ
  • ପଞ୍ଚାୟତିରାଜ ଅନୁଷ୍ଠାନ ତଥା ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାଙ୍କ ନିମନ୍ତେ ଜିଲ୍ଳା ସ୍ତରରେ ଡାଟା ସେଣ୍ଟର ପ୍ରତିଷ୍ଠା – ୨୫ କୋଟି
  • ଗ୍ରାମପଞ୍ଚାୟତ ସଦର ମହକୁମାରେ ବ୍ୟାଙ୍କିଙ୍ଗ୍ ସୁବିଧା ନିମନ୍ତେ ଭିତ୍ତିଭୂମି ବିକାଶ – ୨୦ କୋଟି ୮୩ ଲକ୍ଷ

 

ସମ୍ବନ୍ଧିତ ଖବର