ଐତିହ୍ୟ ବାଇ-ଲ’ ପ୍ରତ୍ୟାହାର ଦାବି : ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଲା କଂଗ୍ରେସ

ଭୁବନେଶ୍ବର : ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ)ଙ୍କ ପ୍ରସ୍ତାବିତ ଐତିହ୍ୟ ଅଧିନିୟମ(ବାଇ-ଲ’) ପ୍ରତ୍ୟାହାର ଦାବିରେ କଂଗ୍ରେସ ପକ୍ଷରୁ ରାଜଧାନୀରେ ଦସ୍ତଖତ ସଂଗ୍ରହ ଅଭିଯାନ ଗତ ସପ୍ତାହରେ ଆରମ୍ଭ ହୋଇଥିଲା। ଏହି ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ଆଜି ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି।  କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜଭବନ ଯାଇ ସ୍ମାରକପତ୍ର ପ୍ରଦାନ କରିଥିଲେ। ବିଧାୟକ ସୁରେଶ କୁମାର ରାଉତରାୟ ଉପସ୍ଥିତ ଥିଲେ। କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ ଓ ଏକାମ୍ର କ୍ଷେତ୍ରର ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମଧ୍ୟରେ ଉଭୟ ବିଜେଡି ଓ ବିଜେପି ପ୍ରଭେଦ ସୃଷ୍ଟି କରୁଛି। ଶ୍ରୀଜଗନ୍ନାଥ ମନ୍ଦିରରୁ ଏନ୍‌ଏମ୍‌ଏ ବାଇ-ଲ’ ପ୍ରତ୍ୟାହାର କରାଯାଇଥିଲା ବେଳେ ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ବର ମନ୍ଦିରରୁ ପ୍ରତ୍ୟାହାର କରାଯାଇ ନାହିଁ। ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରତିନିଧି ଦଳରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାସ, କଂଗ୍ରେସ ନେତା କପିଳ ପଣ୍ଡା, ମନୋରଞ୍ଜନ ବଟୁ, ଶ୍ରୀୟା ମହାନ୍ତି, ଜୟକୃଷ୍ଣ ସୁବୁଦ୍ଧି, ସୁବ୍ରତ ମହାପାତ୍ର, ପ୍ରକାଶ ମହାନ୍ତି, ବିଷ୍ଣୁ ପ୍ରସାଦ ମୁଦୁଲି, କ୍ଷୀରୋଦ ବେହେରା, ନାବ ବେହେରା ଓ କୌଳାସ ସାହୁ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର