ଆଦର୍ଶ ବିଦ୍ୟାଳୟରେ ବିଧାୟକଙ୍କ କୋଟା ଉଚ୍ଛେଦ ଦାବି: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଶା ଅଭିଭାବକ ମହାସଂଘ

ଭୁବନେଶ୍ବର: କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପାଇଁ ରହିଥିବା ସାଂସଦଙ୍କ ସ୍ବତନ୍ତ୍ର କୋଟା ବ୍ୟବସ୍ଥାକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ଉପରେ ରୋକ ଲଗାଯାଇଥିବା ନେଇ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ(କେଭିଏସ୍‌) ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏଭଳି ନିଷ୍ପତ୍ତି ପରେ ପ୍ରତିବର୍ଷ ସାଂସଦଙ୍କ କୋଟାରେ ଦେଶରେ ନାମ ଲେଖାଉଥିବା ପାଖାପାଖି ୭ହଜାର ୫୦୦ ଛାତ୍ରଛାତ୍ରୀ ଏବର୍ଷ ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଏବେ ଓଡ଼ିଶାରେ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ବିଧାୟକମାନଙ୍କ ଲାଗି ଥିବା ଇଚ୍ଛାଧୀନ କୋଟା ବ୍ୟବସ୍ଥାକୁ ଉଚ୍ଛେଦ ଲାଗି ଦାବି ଜୋର ଧରିଛି। ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।

ଶ୍ରୀ ଭଟ୍ଟ ଦର୍ଶାଇଛନ୍ତି ଯେ ଏହି ବ୍ୟବସ୍ଥା ଉଚ୍ଛେଦ ହେଲେ ପ୍ରତିଯୋଗିତା, ଯୋଗ୍ୟତା ଓ ନିୟମ ଭିତରେ ଆସୁଥିବା ପିଲାମାନେ ସ୍ଵଚ୍ଛ ମନୋନୟନ ପ୍ରକ୍ରିୟାରେ ନାମ ଲେଖାଇବାର ସୁଯୋଗ ପାଇବେ। ଶିକ୍ଷା ବିଭାଗର ସ୍ବଚ୍ଛତା ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଭଳି ଓଡ଼ିଶା ସରକାର ମଧ୍ୟ ନିଷ୍ପତ୍ତି ନେଇ ଉପଯୁକ୍ତ ପିଲାଙ୍କୁ ସେଠି ପଢ଼ିବାକୁ ସୁଯୋଗ ଦିଅନ୍ତୁ। ବିଧାୟକମାନେ ଅର୍ଥ ବଦଳରେ ନାମଲେଖା ଯୋଜନା କରି ଅଭିଭାବକଙ୍କୁ ଆର୍ଥିକ ବୋଝ ଦେଉଛନ୍ତି। ବିଧାୟଜ ପାଣ୍ଠି ପରି ଏଥିରେ ବହୁତ ସିଟ୍‌ କିଣାବିକା ହେଉଥିବାରୁ ଆମେ ଏହାକୁ ଦୃଢ଼ ବିରୋଧ କରୁଛୁ। କୋଟା ବ୍ୟବସ୍ଥା ଉଚ୍ଛେଦ ହେବା ପରେ ନାମଲେଖାରେ ସ୍ୱଚ୍ଛତା ରହିବ ବୋଲି ସେ କହିଛନ୍ତି।

ଦେଶରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ଅବହେଳିତ, ନିଷ୍ପେସିତ କିମ୍ବା କୌଣସି କାରଣରୁ ନିହାତି ଆବଶ୍ୟକ ଲୋଡୁଥିବା କିଛି ପିଲାଙ୍କୁ ପାଠ ପଢ଼ିବାର ସୁଯୋଗ ଦେବା ପାଇଁ ସାଂସଦମାନଙ୍କ ଲାଗି ଇଚ୍ଛାଧୀନ କୋଟା ରହିଥିଲା। ୨୦୧୫-୧୬ ଶିକ୍ଷାବର୍ଷ ପର୍ଯ୍ୟନ୍ତ ଜଣେ ସାଂସଦ ୬ଟି ସିଟ୍‌ରେ ପିଲାଙ୍କ ନାମଲେଖା କରାଇ ପାରୁଥିଲେ। ପରବର୍ତ୍ତୀ ସମୟରେ ତାହାକୁ ୧୦କୁ ବୃଦ୍ଧି କରାଯାଇଥିଲା। ମାତ୍ର କିଛି ବର୍ଷ ହେଲା ଏହି ନିୟମର ଅପବ୍ୟବହାର କରି ସାଂସଦମାନେ ସିଟ୍‌ଗୁଡ଼ିକ ବିକ୍ରି କରିବା ଓ ଅତ୍ୟନ୍ତ ସ୍ୱଚ୍ଛଳ ଶ୍ରେଣୀର ପିଲାଙ୍କୁ ସୁଯୋଗ ଦେଲେ। ଫଳରେ ଯୋଗ୍ୟ ଛାତ୍ରଛାତ୍ରୀ ସୁଯୋଗ ପାଇବାରୁ ବଞ୍ଚିତ ହେଲେ। ଏହାକୁ ନେଇ ବିବାଦ ସୃଷ୍ଟି ହେବାରୁ କୋଟା ବ୍ୟବସ୍ଥା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର