ଭୋଗରାଇ : ପୁଡ଼ୁଚେରୀରେ ନିକଟରେ ପ୍ରାଣ ହରାଇଥିବା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ପଦ୍ମଭୂଷଣ ମନୋଜ ଦାସ ଏବଂ ତାଙ୍କ ବଡ଼ଭାଇ ମନ୍ମଥନାଥ ଦାସ (ଯିଏକି ଖ୍ୟାତିସମ୍ପନ୍ନ ଐତିହାସିକ ଥିଲେ)ଙ୍କ ଜନ୍ମସ୍ଥାନ (ବାଲେଶ୍ବରର ଭୋଗରାଇ ଅନ୍ତର୍ଗତ ଶଙ୍ଖାରି ଗ୍ରାମସ୍ଥିତ ବାସଭବନ)କୁ ଜାତୀୟ ସ୍ମାରକୀ କରିବା ପାଇଁ ଦାବି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।

Advertisment

ପୁଡୁଚେରୀ ଆଶ୍ରମ ପରିସରରେ ମନୋଜ ଦାସଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ହେଉଥିବାବେଳେ ତାଙ୍କ ଏନ୍ତୁଡ଼ିଶାଳ ଶଙ୍ଖାରୀରେ ଶ୍ରଦ୍ଧାନୁରାଗୀ ବ୍ୟକ୍ତି ବିଶେଷ ସମବେତ ହୋଇ ପ୍ରାର୍ଥନା କରିଥିଲେ। ଏହି ପ୍ରାର୍ଥନାସଭାରେ ଅନ୍ୟମାନଙ୍କ ମଧ୍ୟରେ ଫାଉଣ୍ଡେସନର ସଭାପତି ତଥା ପୂର୍ବତନ ବିଧାୟକ ସୁଶାନ୍ତ କୁମାର ଚାନ୍ଦ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟଜିତ ରାଉତ, ଶିକ୍ଷାବିତ ସୁବାସ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ମଧ୍ୟ ମନୋଜ-ମନ୍ମଥଙ୍କ ଜନ୍ମପୀଠରେ ଏକ ଜାତୀୟସ୍ତରୀୟ ସଂଗ୍ରହାଳୟ, ପାଠାଗାର, ସାଂସ୍କୃତିକ ଭବନ ଓ ଉଭୟଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଏହାଛଡ଼ା ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ସ୍ବର୍ଗତ ଦାସଙ୍କ ଜନ୍ମସ୍ଥାନ ତଥା ପୈତୃକ ଗୃହକୁ ନିଜ ହାତକୁ ନେଇ ଏହାର ବିକାଶ କରିବା, ଐତିହାସିକ ଓ ଆଧ୍ୟାତ୍ମିକ ଦିଗ ଉପରେ ଗବେଷଣା କରିବା ଓ ଦୁଇ ବରପୁତ୍ରଙ୍କ ଜୀବନୀ ଉପରେ ଆଧାରିତ ଅଧ୍ୟୟନର ପ୍ରୟୋଗଶାଳା ଭାବେ ଏହି ସ୍ଥାନକୁ ପରିଣତ କରିବା ପାଇଁ ଦାବି କରାଯାଇଥିଲା।

ଏହି ପ୍ରାର୍ଥନା ସଭାରେ ସ୍ଥାନୀୟ ବିଧାୟକ ଅନନ୍ତ ଦାସ ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ରନାଥ ସାହୁ ଯୋଗଦେଇଥିଲେ।

ବିଧାୟକ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପ୍ରୟାସ ପାଇଁ କୃତଜ୍ଞତା ଜଣାଇଛନ୍ତି। ସ୍ବର୍ଗତ ମନୋଜ ଦାସଙ୍କ ଏକାଦଶାହ ପରେ ତାଙ୍କ ପରିବାର ସହ କଥାବର୍ତ୍ତା କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିବେ ବୋଲି ସେ କହିଛନ୍ତି।