ସିଦ୍ଧଭୈରବୀ ମନ୍ଦିର ଖୋଲିବାକୁ ଦାବି; ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କୁ ଫେରାଦ୍ ହେଲେ ଗ୍ରାମବାସୀ

ଗୋଳନ୍ଥରା/ବ୍ରହ୍ମପୁର : କରୋନା ସଂକ୍ରମଣ ପ୍ରାଦୁର୍ଭାବ ହ୍ରାସ ପାଇବା ପରେ ଗଞ୍ଜାମ ଜିଲ୍ଲାର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବାକୁ ପ୍ରଶାସନ ଅନୁମତି ଦେଇଛନ୍ତି। କୋଭିଡ୍ ଗାଇଡ୍‌ଲାଇନ୍ ଅନୁସା‌ରେ, ଶ୍ରଦ୍ଧାଳୁ ମାନେ ଦିଅଁଦେବତାଙ୍କ ଦର୍ଶନ କରୁଛନ୍ତି। ହେଲେ ପୂଜକ ଓ ପରିଚାଳନା କମିଟି ବିବାଦ ଭିତରେ ଛନ୍ଦି ହୋଇ ବ୍ରହ୍ମପୁର ଉପକଣ୍ଠ ମନ୍ତ୍ରିଡ଼ି ଗ୍ରାମର ସିଦ୍ଧ ଭୈରବୀ ପୀଠ ଏଯାଏ ଖୋଲିପାରୁନି। ୧୧ ମାସ ହେଲା ତାଲା ଝୁଲୁଛି। ଏଭଳି ପରିସ୍ଥିତିରେ ମନ୍ଦିର ଖୋଲି ମା’ଙ୍କ ପୂଜାପାଠକୁ ସ୍ବାଭାବିକ କରିବା ଲାଗି ଆଜି ମନ୍ଦିର ପାର୍ଶ୍ବର ସମସ୍ତ ଦୋକାନୀ ଓ ଗ୍ରାମବାସୀ ଗଞ୍ଜାମ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ‌ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ଦାବିପତ୍ରରେ ଦର୍ଶାଯାଇଛି, କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିଥିଲେ ସୁଦ୍ଧା ଏଯାଏ ଭୈରବୀ ମନ୍ଦିର ଖୋଲାଯାଉ ନଥିବାରୁ ବ୍ୟବସାୟୀଙ୍କ ରୋଜଗାରର ପନ୍ଥା ବନ୍ଦ ହୋଇଯାଇଛି। ଦାଣ୍ଡର ଭିକାରି ଭଳି ସେମାନଙ୍କ ଜୀବନ ଦୁର୍ବିଷହ ପାଲଟିଯାଇଛି। ଧାରକରଜ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ମନ୍ଦିର ଖୋଲା ନଯିବା ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ସାବ୍ୟସ୍ତ ହୋଇଛି। ସେହିପରି ପ୍ରାୟ ୨୦ ଖଣ୍ଡ ଗ୍ରାମର ଜନସାଧାରଣ ମା’ ଭୈରବୀଙ୍କୁ ଇଷ୍ଟଦେବୀ ଭାବେ ପୂଜା କରୁଛନ୍ତି। ଫଳରେ ଗ୍ରାମର ସମସ୍ତ ବାହାଘର ଓ ବ୍ରତଘରଠୁ ଆରମ୍ଭ କରି ସମସ୍ତ ଶୁଭକାର୍ଯ୍ୟ ଏହି ମନ୍ଦିରରେ ସମାପନ ହେଉଛି। କିନ୍ତୁ ମନ୍ଦିର ବନ୍ଦ ଯୋଗୁଁ ଏହା ବି ସମ୍ଭବ ହୋଇପାରୁନି। ବର୍ତ୍ତମାନ ଏକମାସରୁ ଅଧିକ ସମୟ ଧରି ପ୍ରତିଦିନ ୭୦୦ରୁ ୮୦୦ ଶ୍ରଦ୍ଧାଳୁ ଜିଲ୍ଲା ବାହାରୁ ଓ ଆନ୍ଧ୍ରପ୍ରଦେଶରୁ ଆସି ନିରାଶରେ ଫେରୁଛନ୍ତି। ପୂଜକ ସିଂହଦ୍ବାର ସମ୍ମୁଖରେ ପୂଜା କରୁଛନ୍ତି। ଗତ ମାସ ୧୪ ତାରିଖ ମକର ସଂକ୍ରାନ୍ତିରେ ପ୍ରାୟ ୨୦ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସମସ୍ତେ ଫାଟକ ସାମ୍ନାରୁ ପୂଜା କରି ଫେରିଥିଲେ।

ଦୋକାନୀଙ୍କ ଜୀବନଜୀବିକାକୁ ସ୍ବାଭାବିକ କରିବା ଲାଗି ମନ୍ଦିର ଖୋଲିବାକୁ ଅନୁମତି ଦେବାକୁ ପଦକ୍ଷେପ ନିଆଯାଉ। ମନ୍ଦିର ଖୋଲିଲେ କୋଭିଡ୍ ଗାଇଡଲାଇନ୍ ଅନୁସାରେ ଭକ୍ତ ଯେମିତି ମା’ଙ୍କ ଦର୍ଶନ କରିବେ ଓ ସାମାଜିକ ଦୂରତା ନିୟମ ପାଳନକୁ ଗୁରୁତ୍ବ ଦିଆଯିବ ବୋଲି ଦାବିପତ୍ରରେ ଦର୍ଶାଯାଇଛି।

ସୂଚନା ଥାଉକି, ଦୀର୍ଘ ବର୍ଷ ହେଲା ମନ୍ଦିର ପରିଚାଳନା କମିଟି ଏବଂ ପୂଜକଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଯାହାଫଳରେ ଭକ୍ତ ହଟହଟା ହେଉଛନ୍ତି। ପ୍ରତିବର୍ଷ ବିଭିନ୍ନ ବିଷୟକୁ ନେଇ ଉଭୟ ଗୋଷ୍ଠୀ ଭିତରେ ବିବାଦ ବଢ଼ିବା‌ରେ ଲାଗିଥିଲେ ବି ଏହା ଥମିବାର ନାଁ ନେଉନି। ବିବାଦର ସମାଧାନ ହେଉ ନଥିବା କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ମନ୍ଦିର ଖୋଲିପାରୁନି। ଅନ୍ୟପଟେ ପୂଜକଙ୍କ ତରଫରୁ ଆସନ୍ତା ପଣାସଂକ୍ରାନ୍ତି ପର୍ଯ୍ୟନ୍ତ ମନ୍ଦିର ନଖୋଲିବା ପାଇଁ ପ୍ରଶାସନଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି। ମନ୍ଦିର ଖୋଲିବାକୁ ପ୍ରଶାସନ ଅନୁମତି ଦେଉନି ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଉଛି। ଅନ୍ୟପକ୍ଷରେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍ ବ୍ୟବସାୟୀ ସଂଘର କର୍ମକର୍ତ୍ତାଙ୍କୁ ଡାକି ଆଲୋଚନା କରିଥିଲେ। ଆଗାମୀ ଦୁଇଦିନ ମଧ୍ୟରେ ଏବାବଦରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଆଗକୁ ବିବାଦର ସମାଧାନ ଓ ମନ୍ଦିର ଖୋଲିବା ଦିଗରେ ପ୍ରଶାସନ କି ପଦକ୍ଷେପ ‌ଗ୍ରହଣ କରୁଛି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର