ଭୁବନେଶ୍ବର : ଜୀବନ ବଞ୍ଚାଇବା ନାମରେ ସରକାର ଲକ୍‌ଡାଉନ୍‌କୁ ବାରମ୍ବାର ବଢ଼ାଇ ଜୀବିକା ଉଜାଡ଼ି ଦେଉଛନ୍ତି। ଏହାକୁ ବନ୍ଦ କରି ଲୋକଙ୍କୁ ସୁରକ୍ଷା ଭତ୍ତା ଦେବା ପାଇଁ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦାବି କରାଯାଇଛି। ସଂଗଠନର କେନ୍ଦ୍ରୀୟ ସଂଯୋଜକ ଅକ୍ଷୟ କୁମାର ଓ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି, ପ୍ରଧାନମନ୍ତ୍ରୀ ନିଜେ କହୁଥିଲେ ଯେ କରୋନାରେ ଲକ୍‌ଡାଉନ୍ ଶେଷ ଅସ୍ତ୍ର ନ ହେଉଛି। କିନ୍ତୁ ଏବେ ସରକାର ଲକ୍‌ଡାଉନ୍‌ ଅବଧି ବଢ଼ାଇ ଚାଲିଛନ୍ତି। ଏହା କରୋନା ଠାରୁ ଭୟଙ୍କର ହୋଇଗଲାଣି। କାରଣ କରୋନା ରୋଗର ଭୟ ସୃଷ୍ଟି କରୁଥିଲା ବେଳେ ଲକ୍‌ଡାଉନ୍ ଲୋକଙ୍କୁ ଭୋକରେ ମାରିଲାଣି।

Advertisment

ବସ୍‌ ମାଲିକ, ଚାଷୀ, କପଡ଼ା ବ୍ୟବସାୟୀ, ଦିନ ମଜୁରିଆ, କଳାକାର, ‌ସେଲୁନ୍ ଓ ସ୍ପାର ମାଲିକ, କର୍ମଚାରୀଙ୍କ ଅବସ୍ଥା ସଙ୍ଗୀନ ହେଲାଣି। ସରକାର କେବଳ ରୋଗ କଥା ଚିନ୍ତା କରୁଥିଲା ବେଳେ ଲୋକଙ୍କୁ ରୋଜଗାର କିଏ ଦେବ ? ଅର୍ଥନୀତି ଓ ଜନତାଙ୍କ ସ୍ଥିତିକୁ ବିଚାରକୁ ନିଆ ନ ଯାଇ ଆଖିବୁଜା ଲକ୍‌ଡାଉନ୍ ବଢ଼ାଇ ଦିଆଯାଉଛି। ଜୀବିକା ଯାଉ – ଜୀବନ ଥାଉ ନୀତି ଲକ୍ଷ ଲକ୍ଷ ଲୋକଙ୍କ ଭାତହାଣ୍ଡି ଉଜାଡ଼ିଦେଲାଣି। ଯେଉଁ ୫ରୁ ୭ ପ୍ରତିଶତ ଲୋକ ଆର୍ଥିକ ସୁରକ୍ଷା ବଳୟରେ ଅଛନ୍ତି ସେମାନଙ୍କୁ ଛାଡ଼ି ସମସ୍ତଙ୍କୁ ଜୀବିକା ସୁରକ୍ଷା ଭତ୍ତା ଦିଆଯାଉ। ସଟ୍‌ଡାଉନ୍ ଓ ଲକ୍‌ଡାଉନ୍ ବେଳେ ଖଣିଜ ସାମଗ୍ରୀ ବୁହା ଚାଲିଛି। ସେଠାରେ କରୋନା କଟକଣା ଲାଗୁ ହେଉ ନ ଥିଲା ବେଳେ ଛୋଟ ଛୋଟ ବ୍ୟବସାୟରେ କଟକଣାକୁ କଡ଼ାକଡ଼ି କରାଯାଉଛି। କ‌ରୋନା ସମୟରେ ରେକର୍ଡ ଖଣିଜ ରାଜସ୍ବ ଆଦାୟ ହୋଇଛି ବୋଲି ସରକାର କହୁଛନ୍ତି। ସେହି ଅର୍ଥରେ ଜୀବିକା ହରାଇଥିବା ଲୋକଙ୍କୁ ଜୀବିକା ସୁରକ୍ଷା ଭତ୍ତା ବାବଦକୁ ମାସିକ ୫ ହଜାର ଟଙ୍କା ଲେଖାଏ ଦେବାକୁ ସଂଗଠନ ଦାବି କରିଛି। ଦାବି ପୂରଣ ନ ହେଲେ ଆସନ୍ତା ୮ ତାରିଖରେ ଭୁବନେଶ୍ବରରେ ଚାଷୀ ସଂଗଠନ ସହ ଅନ୍ୟ ସଂଗଠନ ଏକଜୁଟ୍‌ ହୋଇ ପ୍ରତିବାଦ କରିବେ ବୋଲି ଶ୍ରୀ କୁମାର କହିଛନ୍ତି।