ଧର୍ମାନ୍ତରିତ ଜନଜାତିଙ୍କୁ ଅନୁସୂଚୀତ ଜନଜାତି ତାଲିକାରୁ ବାଦ ଦେବାକୁ ଦାବି

ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର

ବାରିପଦା : ଧର୍ମାନ୍ତରିତ ଜନଜାତିଙ୍କୁ ଅନୁସୂଚୀତ ଜନଜାତି ତାଲିକାରୁ ବାଦ ଦେବା ସହିତ ସେମାନଙ୍କୁ ସମ୍ବିଧାନରେ ଦିଆଯାଉଥିବା ସଂରକ୍ଷଣ ସମାପ୍ତ କରିବାକୁ ଦାବି କରିଛି ଜନଜାତି ସୁରକ୍ଷା ମଞ୍ଚ। ଆଜି ଏନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ମାଧ୍ୟମରେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସଂଗଠନର ମୟୂରଭଞ୍ଜ ଶାଖା ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି।

ଜନଜାତିଙ୍କ ସହିତ ଅନେକ ସମୟରେ ଭିନ୍ନ ଭିନ୍ନ ଢଙ୍ଗରେ ଅନ୍ୟାୟ କରାଯାଉଛି। ଏହି ଅନ୍ୟାୟ ବିରୋଧରେ ଜନଜାତି ସୁରକ୍ଷା ମଞ୍ଚ ବର୍ଷ ବର୍ଷ ଧରି ସଂଘର୍ଷ କରିଆସୁଛି। ଏପର୍ଯ୍ୟନ୍ତ ଜନଜାତିଙ୍କୁ ମିଳୁଥିବା ଅଧିକାଂଶ ସୁବିଧା ଧର୍ମାନ୍ତରିତ ଲୋକ ଉପଭୋଗ କରୁଥିବା ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି। ଏହି ଧର୍ମାନ୍ତରିତ ଜନଜାତିମାନେ ପ୍ରକୃତ ଆଦିବାସୀଙ୍କଠାରୁ ତୁଳନାତ୍ମକ ଭାବେ ଆର୍ଥିକ ଏବଂ ଶୈକ୍ଷିକ ସ୍ଥିତିରେ ବହୁତ ଭଲରେ ଅଛନ୍ତି। ଧର୍ମ ପରିବର୍ତ୍ତନ କରୁଥିବା ଜନଜାତିଙ୍କୁ ଅନୁସୂଚୀତ ସଂରକ୍ଷଣ ସୁବିଧା ଦିଆଯାଇଥିବା ବିରୁଦ୍ଧରେ ତତ୍କାଳୀନ ବିହାର(ବର୍ତ୍ତମାନ ଝାଡଖଣ୍ଡ)ର ଜନଜାତି ନେତା ଏବଂ ଲୋକସଭା ସଦସ୍ୟ/କେନ୍ଦ୍ରମନ୍ତ୍ରୀ କାର୍ତ୍ତିକ ଓରାମଙ୍କ ପକ୍ଷରୁ ତତ୍କାଳନୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ୧୯୭୦ରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ଏହି ଘଟଣାକୁ ୫୦ବର୍ଷ ଅତିକ୍ରମ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇପାରିନଥିବାରୁ ସଂଗଠନ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି।

ସେହିପରି ଏହି ଘଟଣା ବାବଦରେ ଦୀର୍ଘ ବର୍ଷ ଧରି ସଂସଦ ଏବଂ ସଂସଦ ବାହାରେ ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ କରାଯାଇଛି । ତେବେ ପ୍ରକୃତ ଜନଜାତିଙ୍କୁ ସମ୍ବିଧାନ ପକ୍ଷରୁ ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରାଇବାକୁ ହେଲେ ଧର୍ମାନ୍ତରିତ ଜନଜାତିଙ୍କୁ ଅନୁସୂଚୀତ ତାଲିକାରୁ ବାଦ ଦେବା ନିହାତି ଆବଶ୍ୟକ ବୋଲି ଜନଜାତି ସୁରକ୍ଷା ମଂଚ ପକ୍ଷରୁ ଦାବି ହୋଇଛି। ଏହି ଅବସରରେ ଆଜି ସଂଗଠନର ଜିଲ୍ଲା ସଂଯୋଜକ ବିକ୍ରମ କେଶରୀ ହେମ୍ବ୍ରମ, ମାଣିକେଶ୍ବର କେରାଇ, ମାଧୁରୀ ନାଏକ, ଦାଖିନ ମୁର୍ମୁ, ଆଦୟ ମୁର୍ମୁ, ଶଙ୍କର ମାର୍ଣ୍ଡି ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯାୟାଳୟକୁ ଆସି ଏହି ଦାବୀପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର