ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବି

ନରସିଂହଙ୍କ ସଂକଳ୍ପ ପ୍ରସ୍ତାବକୁ ନେଇ ଗୃହ ସରଗରମ
ଆଜି କାର୍ଯ୍ୟ ପରାମର୍ଶଦାତା କମିଟିରେ ଆଲୋଚନା

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ୩ଟି କଳା କୃଷି ଆଇନକୁ ରାଜ୍ୟରେ ଲାଗୁ କରିବାକୁ ସଂକଳ୍ପ ପାରିତ କରାଯାଉ। ଏ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଣିଥିବା ସଂକଳ୍ପ ପ୍ରସ୍ତାବ ଉପରେ ବାଚସ୍ପତି ରୁଲିଂ ଦିଅନ୍ତୁ। ଏହି ଦାବିରେ ଆଜି ଶୂନ୍ୟକାଳରେ ବିରୋଧୀ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ। ବାଚସ୍ପତି ରୁଲିଂ ଦେଇ କହିଲେ, ଆସନ୍ତାକାଲି ଏ ନେଇ କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଆଲୋଚନା କରାଯିବ।

ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ମିଶ୍ର କହିଥିଲେ, କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ସାରା ଦେଶରେ ଶାନ୍ତିପୂର୍ଣ୍ଣ ଭାବେ କୃଷକ ସଂଗଠନଗୁଡ଼ିକ ଆନ୍ଦୋଳନ ଚଳାଇଛନ୍ତି। ଆସନ୍ତାକାଲି ଚାଷୀ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟରେ ଏହି ୩ଟି କଳା ଆଇନକୁ ଲାଗୁ ନ କରିବାକୁ ଗୃହରେ ସଂକଳ୍ପ ପାରିତ କରିବା ନେଇ ଗତ ୧୩ ତାରିଖରେ ବାଚସ୍ପତିଙ୍କୁ ନୋଟିସ୍‌ ଦେଇଥିଲେ। ଗୃହରେ ଏ ନେଇ ସର୍ବସମ୍ମତି ସଂକଳ୍ପ ପାରିତ ହେବା ଦରକାର। କାରଣ ସଂସଦରେ କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିଜେଡିର ସାଂସଦମାନେ ବିରୋଧ କରିଥିବା ନେଇ ରାଜ୍ୟ ସରକାର କହିଆସୁଛନ୍ତି। ବାସ୍ତବରେ ସରକାର ଯଦି ହୃଦୟଙ୍ଗମ କରିଛନ୍ତି କି ଏହିସବୁ ଆଇନ ଚାଷୀ ବିରୋଧୀ, ତାହେଲେ ସରକାର ସଂକଳ୍ପକୁ ସମର୍ଥନ କରି ରାଜ୍ୟରେ ଲାଗୁ ନ କରିବାକୁ ନିଷ୍ପତ୍ତି ନିଅନ୍ତୁ। ଯଦି କଂଗ୍ରେସ ଦଳର ସଂକଳ୍ପ ପ୍ରସ୍ତାବକୁ ସରକାର ଗ୍ରହଣ ନ କରନ୍ତି, ତାହେଲେ, ସରକାରଙ୍କ ପକ୍ଷରୁ ସଂକଳ୍ପ ପ୍ରସ୍ତାବ ଆସିଲେ କଂଗ୍ରେସ ତାକୁ ଗ୍ରହଣ କରିବ। କାରଣ ଅନେକ ରାଜ୍ୟ ଏହି କୃଷି ଆଇନକୁ ସେମାନଙ୍କ ରାଜ୍ୟରେ ଲାଗୁ ନ କରିବାକୁ ସେମାନଙ୍କ ବିଧାନସଭାରେ ସଂକଳ୍ପ ପାରିତ କରାଇଛନ୍ତି। ଏଭଳି ସଂକଳ୍ପ ରାଜ୍ୟ ସରକାରମାନେ ନେଇପାରିବେନି ବୋଲି ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଗଲା। କୃଷି ରାଜ୍ୟ ବିଷୟ ହୋଇଥିବାରୁ ମାନ୍ୟବର ସୁପ୍ରିମକୋର୍ଟ ଜନସ୍ବାର୍ଥ ମାମଲାର ବିଚାର କରି ଏହା ରାଜ୍ୟର ଅଧିକାର ବୋଲି ସ୍ପଷ୍ଟ କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ଠୋସ୍‌ ନିଷ୍ପତ୍ତି ନେବାର ସମୟ ଆସିଛି।

ସଂକଳ୍ପ ପ୍ରସ୍ତାବ ନେଇ ବାଚସ୍ପତି କଣ ନିଷ୍ପତ୍ତି ଶୁଣାନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ। ତେବେ ଏହି ସଂକଳ୍ପ ନୋଟିସ ସଦ୍ୟ ପାଇଥିବା ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିବାରୁ ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ କଥା କଟାକଟି ହୋଇଥିଲା। ଶ୍ରୀ ମିଶ୍ର କହିଥିଲେ ଯେ, ସେ ୧୨ ଦିନ ପୂର୍ବରୁ ବାଚସ୍ପତିଙ୍କ ଅଫିସକୁ ପଠାଇଥିଲେ ବି କାହିଁକି ଏ ଯାଏ ବାଚସ୍ପତିଙ୍କ ଦୃଷ୍ଟିକୁ ଅଣାଯାଇନଥିଲା। ଏଥିପାଇଁ ଦାୟୀ କିଏ? ବାଚସ୍ପତି ଗୃହ କାର୍ଯ୍ୟ ଜାରି ରଖିବାରୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସମେତ ଅନ୍ୟ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ବାଚସ୍ପତିଙ୍କ ରୁଲିଂ ଦାବିରେ ପାଟିତୁଣ୍ଡ କରିଥିଲେ। ପରେ ବାଚସ୍ପତି ରୁଲିଂ ଦେଇ କହିଥିଲେ, ଆସନ୍ତାକାଲି ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା କରାଯିବ।

ପ୍ରକାଶଥାଉକି, ଗତ ୧୩ ତାରିଖରେ ଶ୍ରୀ ମିଶ୍ର କେନ୍ଦ୍ରର କୃଷି ଆଇନ ବିରୋଧରେ ସଂକଳ୍ପ ନୋଟିସ ବିଧାନସବା ସଚିବ ଦାଶରଥୀ ଶତପଥୀଙ୍କୁ ଦେଇଥିଲେ। କେନ୍ଦ୍ରର କୃଷି ଆଇନ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ। ଏଭଳି ଜନବିରୋଧୀ ଆଇନରୁ ରାଜ୍ୟ ସରକାର ଲାଗୁ କରନ୍ତୁ ନାହିଁ। ଏହାକୁ ଦେଶର ଲକ୍ଷାଧିକ ଚାଷୀ ବିରୋଧ କରୁଛନ୍ତି। ବିଶେଷକରି ହରିୟାଣା ଓ ପଞ୍ଜାବର କୃଷକ ଏହାକୁ ତୀବ୍ର ବିରୋଧ କରିବା ପରେ ସାରାଦେଶରେ ଚାଷୀ ତାତିଥିଲେ। ବିଭିନ୍ନ କୃଷକ ସଂଗଠନ ଏହି ୩ ଆଇନକୁ ବିରୋଧ କରି ନୂଆଦିଲ୍ଲୀରେ ଆନ୍ଦୋଳନ କରିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ବିକ୍ଷୋଭ ବେଳେ ବହୁ ଚାଷୀ ପ୍ରାଣ ହରାଇଛନ୍ତି। କେତେକ ବି ଆତ୍ମହତ୍ୟା କରିଛନ୍ତି। ଏହା ସତ୍ତ୍ବେ କେନ୍ଦ୍ର ସରକାର ୩ଟି ଯାକ ଆଇନକୁ ପ୍ରତ୍ୟାହାର କରୁନାହାନ୍ତି। ଓଡ଼ିଶା ସରକାର ଏହି ଆଇନକୁ କାର୍ଯ୍ୟକାରୀ ନ କଲେ ଚାଷୀଙ୍କ ମଙ୍ଗଳ ହେବ ବୋଲି ଶ୍ରୀ ମିଶ୍ର ସଂକଳ୍ପ ପ୍ରସ୍ତାବରେ ଉଲ୍ଲେଖ କରିଥିଲେ।

ସମ୍ବନ୍ଧିତ ଖବର