ମନ୍ତ୍ରୀ ଦାମଙ୍କ କୁଶପୁତ୍ତଳିକା ପୋଡ଼ିଲେ

ଅଲ୍‌ ଓଡ଼ିଶା ଅଙ୍ଗନଓ୍ଵାଡି ଲେଡିଜ୍‌ ଓ୍ଵାର୍କର୍ସ ଆସୋସିଏସନ୍‌ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର : ଅଙ୍ଗନଓ୍ଵାଡ଼ି କର୍ମୀଙ୍କ ପ୍ରତି ମନ୍ତ୍ରୀ ଦାମ ରାଉତ୍‌ଙ୍କ କଟୁ ମନ୍ତବ୍ୟକୁ ବିରୋଧ କରି ଆଜି ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍‌ ଓଡ଼ିଶା ଅଙ୍ଗନଓ୍ଵାଡ଼ି ଲେଡିଜ୍‌ ଓ୍ଵାକର୍ସ ଆସୋସିଏସନ୍‌ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂଘର ହଜାର ହଜାର କର୍ମୀମାନେ ଲୋୟର ପିଏମ୍‌ଜିରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ପହଞ୍ଚି ରାସ୍ତାରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମାନେ ସେଠାରେ ମନ୍ତ୍ରୀ ଦାମ ରାଉତଙ୍କ କୁଶ ପୁତ୍ତଳିକା ଦାହ କରି ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଶ୍ରୀ ରାଉତ ମନ୍ତ୍ରୀପଦରୁ ଇସ୍ତଫା ଦାବି କରିଥିଲେ। ଯଦି ୧୫ ଦିନ ମଧ୍ୟରେ ମନ୍ତ୍ରୀ ଶ୍ରୀ ରାଉତ ପଦରୁ ଇସ୍ତଫା ନ ଦିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଜି ଏହି ବିକ୍ଷୋଭରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଂଗଠନ ମନ୍ତ୍ରୀ ରଞ୍ଜନ କୁମାର ସାହୁ, ଖୋର୍ଦ୍ଧା ଜିଲ୍ଲା ସଭାନେତ୍ରୀ ଶାନ୍ତି ସେଠୀ, ସଂପାଦିକା ବିନୀତାଞ୍ଜଳି ଦାସ, ସହ-ସମ୍ପାଦିକା କୁଞ୍ଜଲତା ଦାସ, କବିତା ସ୍ୱାଇଁ, କି୍ରଷ୍ଣାରାଣୀ ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ।

ଅଙ୍ଗନବାଡ଼ି କର୍ମଚାରୀ ୟୁନିୟନ୍‌, ସଂଯୁକ୍ତ ମୋର୍ଚ୍ଚାର ଦାବି : କୃଷି ମନ୍ତ୍ରୀ କ୍ଷମା ମାଗନ୍ତୁ

ଭୁବନେଶ୍ୱର : ଅଙ୍ଗନୱାଡି କର୍ମୀଙ୍କ ସମ୍ପର୍କରେ କୃଷି ମନ୍ତ୍ରୀ ଡ. ଦାମୋଦର ରାଉତଙ୍କ ମନ୍ତବ୍ୟକୁ ଦୃଢ଼ ବିରୋଧ କରିଛି ଅଙ୍ଗନବାଡ଼ି କର୍ମଚାରୀ ୟୁନିୟନ୍‌, ସଂଯୁକ୍ତ ମୋର୍ଚ୍ଚା। ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ ମନ୍ତ୍ରୀ ଡ. ରାଉତ କ୍ଷମା ପ୍ରାର୍ଥନା କରନ୍ତୁ। ଏଭଳି ମନ୍ତବ୍ୟ ତାଙ୍କ ଭଳି ଜଣେ ବରିଷ୍ଠ ମନ୍ତ୍ରୀଙ୍କ ପକ୍ଷରେ ଶୋଭା ପାଉନି। ଏଥିରୁ କ୍ଷାନ୍ତ ରୁହନ୍ତୁ। ନ ହେଲେ ଅଙ୍ଗନବାଡ଼ି କର୍ମୀମାନେ ଏହାର ଜବାବ ଦେବେ ବୋଲି ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି।

ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଆହୁରି କୁହାଯାଇଛି ଯେ ଅଙ୍ଗନବାଡ଼ି ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସରକାରୀ ସ୍କିମ୍‌ କର୍ମଚାରୀଙ୍କୁ ସରକାରୀ ଭାବେ ଶ୍ରମିକର ମାନ୍ୟତା ଦେବାକୁ ଜାତୀୟ ଶ୍ରମ ସମ୍ମିଳନୀରେ ନିଷ୍ପତ୍ତି ହୋଇଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରାଯାଇ ନାହିଁ। ନଭେମ୍ବର ୧୧ରେ ଦେଶର ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କ ସଙ୍ଗଠନ ସଂସଦ ଭବନ ସମ୍ମୁଖରେ ଗଣଧାରଣା ଡାକରା ଦେଇଛନ୍ତି। ଏଥିରେ ଓଡ଼ିଶାରୁ ଏଆଇଟିୟୁସି ସହବନ୍ଧିତ ଥିବା ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ, ପଶ୍ଚିମ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘ, ସିଆଇଟିୟୁ ପରିଚାଳିତ ସଂଯୁକ୍ତ ମୋର୍ଚ୍ଚା ଏଥିରେ ଯୋଗଦେବେ। ଉତ୍ତରପ୍ରଦେଶ ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ ପ୍ରତି ସଂହତି ଜଣାଇ ଆସନ୍ତା ନଭେମ୍ବର ୧ରେ ସଂଯୁକ୍ତ ମୋର୍ଚ୍ଚା ରାଜଭବନ ସମ୍ମୁଖରେ ପ୍ରତିବାଦ ଦିବସ ପାଳନ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶାନ୍ତ ପାଢ଼ୀ, ହରପ୍ରିୟା ସ୍ୱାଇଁ, ରାଧାରମଣ ଷଡ଼ଙ୍ଗୀ, ବିଜୟ ଜେନା, ନମିତା ପଣ୍ଡା, ମମତାଜ୍‌ ଖୁଣ୍ଟିଆ, ପ୍ରତିଭା ପାଲ, ବିଷ୍ଣୁପ୍ରିୟା ଜେନା, ସୌଦାମିନୀ ଦାଶ, ଲକ୍ଷ୍ମୀପ୍ରିୟା ମହାପାତ୍ର, ଅଞ୍ଜନା ପଣ୍ଡା, ଅନ୍ନପୂର୍ଣ୍ଣା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର