ଭୁବନେଶ୍ୱର: ଗଣତନ୍ତ୍ର ଶାସନରେ ଗଣ ହେଲେ ମୁଖ୍ୟ। ଗଣ ଯେପର୍ଯ୍ୟନ୍ତ ସଚେତନ ହୋଇନାହାନ୍ତି, ସେ ପର୍ଯ୍ୟନ୍ତ ଭାରତରେ ଗଣତନ୍ତ୍ର ସଫଳ ନୁହେଁ। ପ୍ରତ୍ୟେକ ନାଗରିକଙ୍କୁ ସେମାନଙ୍କର ଦାୟିତ୍ୱ, କର୍ତ୍ତବ୍ୟ ପ୍ରତି ସଚେତନ କରିବା ପାଇଁ ଆରମ୍ଭରୁ ପାଠ୍ୟକ୍ରମରେ ଏହି ପ୍ରସଙ୍ଗ ରହିବା ଉଚିତ। କାରଣ ଯୁବକମାନେ ହିଁ ବିପ୍ଳବର ସ୍ବର। ରବୀନ୍ଦ୍ର ମଣ୍ଡପଠାରେ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ଗୀତା କଥା’ କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ଆଜି ‘ଦୁର୍ନୀତିମୁକ୍ତ ଗଣତନ୍ତ୍ର ପାଇଁ ଆମ କର୍ତ୍ତବ୍ୟ ଓ ଅଧିକାର’ ଶୀର୍ଷକ ଆଲୋଚନାଚକ୍ରକୁ ଉଦ୍ଘାଟନ କରି ଏଭଳି ମତ ରଖିଛନ୍ତି ଆଧ୍ୟାତ୍ମିକ ମାର୍ଗଦର୍ଶକ ଗୁରୁ ବାବା ବଳିଆ। ସେହିଭଳି ବିରୋଧୀ ଦଳର ନାମ ପ୍ରସ୍ତାବକ ଦଳ ରଖିବାକୁ ବାବା ପରାମର୍ଶ ଦେଇଛନ୍ତି।
ମୁଖ୍ୟ ସଂଯୋଜକ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି, ଦୁର୍ନୀତି କେବଳ ସ୍ୱାଧୀନତା ପରେ ହେଉଛି, ଏକଥା ଭାବିବା ଭୁଲ୍। ବ୍ରିଟିସ୍ ଶାସନ ସମୟରେ ମଧ୍ୟ ଦୁର୍ନୀତି ଥିଲା। ଦୁର୍ନୀତିକୁ ନୀତି କରିଦେବା କଥାକୁ ସେ ଏଠାରେ ବର୍ଣ୍ଣନା କରିଥିଲେ। ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର ଯୁବବର୍ଗଙ୍କ ମଧ୍ୟରେ ପ୍ରେରଣା ସୃଷ୍ଟି କରିବା ପାଇଁ ସମସ୍ତ ରାଜନୈତିକ ଦଳ ଆଗେଇ ଆସିବାକୁ ମତ ରଖିଥିଲେ। ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ କହିଲେ, ଗଣତନ୍ତ୍ର କେବଳ ଜନମତରେ ସୀମିତ ରହିଯାଇଛି। ରାଜନୈତିକ ଦଳମାନେ ଯେ ପର୍ଯ୍ୟନ୍ତ ଭୋଟ କିଣା ବନ୍ଦ ନ କରିଛନ୍ତି, ସେ ପର୍ଯ୍ୟନ୍ତ ଗଣତନ୍ତ୍ରରେ ଦୁର୍ନୀତି ଲାଗି ରହିବ। ବରିଷ୍ଠ ସ୍ତମ୍ଭକାର ଭଗବାନ ପ୍ରକାଶ କହିଲେ, ଗଣତନ୍ତ୍ରକୁ କାର୍ଯ୍ୟକ୍ରମରେ ପ୍ରୟୋଗ କରୁଥିବା ରାଜନେତାମାନଙ୍କ ମଧ୍ୟରେ ସକାରାତ୍ମକ ମାନସିକତା ରଖିବା ଦରକାର ଓ ବିରୋଧୀ ଦଳକୁ ବିକଳ୍ପ ଦଳ ଭାବରେ ନାମକରଣ କରାଯିବା ଦରକାର। ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ସମାଜରେ ସାମାଜିକ ଆନ୍ଦୋଳନର ଆବଶ୍ୟକତା ତଥା ଯୁବବର୍ଗଙ୍କ ସମାଜ ପ୍ରତି ଓ ପିତାମାତାଙ୍କ ପ୍ରତି ସେମାନଙ୍କର କର୍ତ୍ତବ୍ୟ ବିଷୟରେ ସଚେତନ ରହିବା ଦରକାର ବୋଲି କହିଥିଲେ।
ସେହିପରି ପୂର୍ବତନ ପୁଲିସ ପ୍ରଶାସକ ଶିଶିର କୁମାର ମିଶ୍ର, ବରିଷ୍ଠ ରାଜନେତା ପ୍ରଶାନ୍ତ କୁମାର ମୁଦୁଲି, ଅବସରପ୍ରାପ୍ତ ପ୍ରଫେସର ସୁଧୀର ଚନ୍ଦ୍ର ଜେନା ଆଲୋଚନାଚକ୍ରରେ ଭାଗ ନେଇ ନିଜସ୍ବ ମତ ରଖିଥିଲେ। ସନ୍ଧ୍ୟାରେ‘ମୁଁ କିଏ, କେଉଁଠୁ ଆସିଛି ଓ ମୋ କର୍ତ୍ତବ୍ୟ କଣ’ ଶୀର୍ଷକ କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ବଦ୍ରିନାଥ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଶ୍ରୀ କୁଅଁର, ବରିଷ୍ଠ ରାଜନେତା ଶ୍ରୀ ମୁଦୁଲି ଓ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଉଦ୍ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ବାବା ବଳିଆ, ଭକ୍ତ ଧ୍ରୁବ ଓ ଶ୍ରବଣକୁମାରଙ୍କର ଉଦାହରଣ ଦେଇ ପିତୃମାତୃ ଭକ୍ତି ସଂପର୍କରେ ବୁଝାଇବା ସହ ପିତାମାତାଙ୍କ କୃପାଲାଭ କଲେ ହରିଙ୍କୁ ପାଇପାରିବ ବୋଲି ପରାମର୍ଶ ଦେଇଥିଲେ। ବାବା ପ୍ରଣବାନନ୍ଦ ଦାସ ସ୍ବାଗତ ଭାଷଣ ଦେଇଥିଲା ବେଳେ ବାବା ରାଧାଶ୍ୟାମ ଦାସ, ଶ୍ରୀବାସ ଦାସ, ପରମାନନ୍ଦ ଦାସ, ବାବା ପରମାତ୍ମା ଦାସ, ବାବା ପ୍ରଜ୍ଞାନନ୍ଦ ଦାସ ଓ ବାବା ତ୍ରୈଲୋକ୍ୟ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏବଂ ସ୍ବାଗତ କମିଟିର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହି ଗଣତନ୍ତ୍ର ଆଲୋଚନାର ସଫଳତା ପାଇଁ ବାବାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/06/nLoENFA7vvD8aR7dSB9S.jpg)