ବରଗଡ଼: ଗଂଜେଇ ଜବତ କରିବା ଉଦେଶ୍ୟରେ ଚଢ଼ଉ କରିବାକୁ ଯାଇ ପୁଲିସ ହଟହଟା ହୋଇଛି। ଗଂଜେଇ ନପାଇ ଖାଲି ହାତରେ ଫେରିବା ପୂର୍ବରୁ ପୁଲିସ ଲୋକଙ୍କୁ ନାଲି ଆଖି ଦେଖାଇବାରୁ ଥାନାରେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି। ବରଗଡ଼ ଜିଲ୍ଲା ଅମ୍ବାଭନା ଥାନାରେ ଆଜି ସନ୍ଧ୍ୟାରେ ଉତ୍ତେଜିତ ଲୋକେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।

Advertisment

ସୂଚନା ଅନୁସାରେ ତାମଦେଇ ଗାଁରେ ଗଂଜେଇ ଥିବା ସନ୍ଦେହରେ ଆଜି ପୁଲିସ ଅତର୍କିତ ଭାବେ ଚଢ଼ଉ କରିଥିଲା। ସଂଦେହ କରିଥିବା ସ୍ଥାନରେ ଚଢ଼ଉ କରିଥିଲେ ମଧ୍ୟ ପୁଲିସକୁ ଗଂଜେଇ ମିଳି ନଥିଲା। ପୁଲିସର ଉଦ୍ୟମ ବିଫଳ ହେଲା ପରେ ଗାଁ ଲୋକେ ପୁଲିସ ସହିତ ଯୁକ୍ତିତର୍କ କରିଥିଲେ। ତେଣୁ ତାମଦେଇର ସାଧାରଣ ଲୋକଙ୍କୁ ପୁଲିସ ନାଲି ଆଖି ଦେଖାଇଥିଲା। ଲୋକଙ୍କୁ ଖରାପ ଭାଷାରେ ଗାଳି ଦେଇଥିଲା ବୋଲି ଗାଁ ଲୋକେ କହିଛନ୍ତି।

ତେବେ ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ଗାଁର ଲୋକେ ଅଧିକ ଉତ୍ତେଜିତ ହୋଇଥିଲେ। ପ୍ରାୟ ୫୦ ଜଣ ଲୋକ ଅମ୍ବାଭନା ପୁଲିସ ଥାନାରେ ପହଞ୍ଚି ଥିଲେ। ପୁଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଲୋକେ ଉତ୍ତେଜିତ ହୋଇ ଥାନାରେ ଭଙ୍ଗାରୁଜା କରିଥିଲେ। ଥାନାର କବାଟ, ଝରକା, ଆସବାବପତ୍ର ଭାଙ୍ଗିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳ ଉତ୍ତେଜନାପୂର୍ଣ୍ଣ ରହିଛି।