ଶ୍ରୀମନ୍ଦିର ମେଘନାଦ ପାଚେରି କଡ଼ରୁ ଭାଙ୍ଗିବ ସବୁ କୋଠା
୧୯ରୁ ସରକାରୀ କୋଠା ଭଙ୍ଗା ଅଭିଯାନ, ପରିକ୍ରମା ମାର୍ଗ ପାଇଁ ବାଟ ଫିଟିଲା!
ପୁରୀ : ଶ୍ରୀମନ୍ଦିର ସୁରକ୍ଷା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି। ଶ୍ରୀମନ୍ଦିର ମେଘନାଦ ପାଚେରିକୁ ଲାଗି ରହିଥିବା ସମସ୍ତ ନିର୍ମାଣକୁ ଭାଙ୍ଗି ଦିଆଯିବ। ଆସନ୍ତା ୧୯ ତାରିଖରୁ ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଆଜି ସୂଚନା ଦେଇଛନ୍ତି। ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଦେଇ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ସମସ୍ତ ଭକ୍ତ ଯେମିତି ମେଘନାଦ ପାଚେରିକୁ ଭଲ ଭାବେ ଦେଖିପାରିବେ, ମେଘନାଦ ପାଚେରି ଚାରିପାଖରେ ବୁଲି ପାରିବେ ସେ ବ୍ୟବସ୍ଥା ସହିତ ଶ୍ରୀମନ୍ଦିର ସୁରକ୍ଷାକୁ ଆଖି ଆଗରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ମେଘନାଦ ପାଚେରି ନିକଟରେ ଥିବା କେବଳ କିଛି ପ୍ରାଚୀନ ମଠ,ଐତିହ୍ୟକୁ ନେଇ କିଛି ଆଇନଗତ ବିବାଦ ଥିବାରୁ ଏ ନେଇ ପରେ ନିଷ୍ପତ୍ତି ନିଆଯିବ। ମେଘନାଦ ପାଚେରି କଡ଼ରୁ ନିର୍ମାଣ ଭଙ୍ଗା ଗଲେ ଦୀର୍ଘ ଦିନ ହେବ ପଡି ରହିଥିବା ପ୍ରସ୍ତାବିତ ପରିକ୍ରମା ମାର୍ଗ ପାଇଁ ମଧ୍ୟ ବାଟ ଫିଟିବ। ଏହି ନିଷ୍ପତ୍ତି ଯୋଗୁଁ ମେଘନାଦ ପାଚେରିକୁ ଲାଗି ଥିବା ପୁରୀ ସିଂହଦ୍ବାର ସୂଚନା କେନ୍ଦ୍ର, ସିଂହଦ୍ବାର ଫାଣ୍ଡି, କିଛି ଦୋକାନ, ଜୋତା ଷ୍ଟାଣ୍ଡ, ସେସୁ କାର୍ଯ୍ୟାଳୟ, ପିଏଚଡି ଘର, ଶୌଚାଳୟ କୋଠା ମାଟିରେ ମିଶିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ସରକାରୀ କୋଠା ଭାଙ୍ଗିବା ପରେ ଏହାକୁ ଲାଗି ରହିଥିବା କିଛି ମଠକୁ ମଧ୍ୟ ଟାର୍ଗେଟ କରାଯିବ ବୋଲି ଜଣାପଡିଛି। ଏ ନେଇ କିଛି ମଠ ମହନ୍ତଙ୍କୁ ଜିଲ୍ଲାପାଳ ସତର୍କ କରାଇ ଦେଇଥିବା ମଧ୍ୟ ଜଣାପଡିଛି। ବିଶେଷ କରି ଲଙ୍ଗୁଳି ମଠ ସମେତ କିଛି ମଠ ମଧ୍ୟ ଏ ତାଲିକାରେ ରହିଛନ୍ତି। ଭକ୍ତଙ୍କ ସୁବିଧା ଓ ସୁରକ୍ଷା ପାଇଁ ଏଭଳି ନିଷ୍ପତ୍ତି ହୋଇଛି। ପ୍ରଥମ ବଡଦାଣ୍ଡରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ ପରେ ଏବେ ମେଘନାଦ ପାଚେରିକୁ ମୁକ୍ତ କରିବାକୁ କରାଯାଉଥିବା ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି।