ଭୁବନେଶ୍ବର : ସ୍ଥଗିତ ରହିବ ସମଲେଶ୍ବରୀ ପ୍ରକଳ୍ପ ବିସ୍ଥାପିତଙ୍କ ଘର ଭଙ୍ଗା। ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଏଭଳି ପ୍ରତିଶ୍ରୁତି ପରେ ୧୮ ଧରି ରାଜଧାନୀର ଲୋୟର ପିଏମଜିରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଏପ୍ରିଲ ୩ ସୁଦ୍ଧା ବିସ୍ଥାପିତମାନେ ସେମାନଙ୍କ ଆପତ୍ତି ଜିଲ୍ଲାପାଳଙ୍କୁ ଜଣାଇବେ। ଏହାପରେ ଆରଡିସି, ଜିଲ୍ଲାପାଳ, ବିସ୍ଥାପିତ ଏବଂ ରାଜ୍ୟ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସମନ୍ବୟ ସମିତି ସଦସ୍ୟଙ୍କ ଉପସ୍ଥିତିରେ ଆଲୋଚନା ହେବ। ସେତେ ଦିନ ପର୍ଯ୍ୟନ୍ତ କୌଣସି ଘର ଭଙ୍ଗା ହେବ ନାହିଁ ବୋଲି ମନ୍ତ୍ରୀ କହିଥିଲେ।

Advertisment

ଧାରଣା ଦେଇଥିବା ଘୁନଘୁଟିପଡ଼ା ଭୂମି ସୁରକ୍ଷା ସଂଘର୍ଷ ସମିତି ଅନୁସାରେ, ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମଲେଶ୍ବରୀ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଯାହାକୁ ସେମାନେ ସମର୍ଥନ କରୁଛନ୍ତି। ମାତ୍ର ଏଥିରେ ସ୍ଥାନୀୟ ଦଳିତ ବିସ୍ଥାପିତଙ୍କୁ ଠିକ୍‌ ଭାବରେ ଥଇଥାନ କରାନଯିବା, ଜାତି ଆଧାରରେ ପକ୍ଷପାତ ଏବଂ ହାଇକୋର୍ଟଙ୍କ ନିର୍ଦେଶର ଉଲ୍ଲଂଘନ ଅଭିଯୋଗରେ ଗତ ୭ ତାରିଖରୁ ସମଲେଶ୍ବରୀ ପ୍ରକଳ୍ପର ୭୨ ବିସ୍ଥାପିତ ପରିବାର ଲୋୟର ପିଏଜିରେ ଧାରଣା ଦେଇଥିଲେ।

ସେମାନଙ୍କ ଅଭିଯୋଗ ଅନୁସାରେ, ଥଇଥାନ ନୀତି ନେଇ ଅସନ୍ତୁଷ୍ଟ ହୋଇ ସେମାନେ ୨୦୨୧ ମସିହାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଅଭିଯୋଗର ଶୁଣାଣି କରି ଏପ୍ରିଲ ୩ ତାରିଖ ସୁଦ୍ଧା ଆପତ୍ତି ସମ୍ବଲପୁର ଜିଲ୍ଲାପାଳଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଅବଧି ପୂର୍ବରୁ ୫ ବିସ୍ଥାପିତଙ୍କ ଘର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥିଲା। କ୍ରମାନୁସାରେ ଅନ୍ୟ ବିସ୍ଥାପିତଙ୍କ ଘର ଭାଙ୍ଗି ଦିଆଯିବାର ଆଶଙ୍କା ଥିବାରୁ ସେମାନେ ରାଜଧାନୀରେ ଆନ୍ଦୋଳନ କରିଥିଲେ। ମନ୍ତ୍ରୀଙ୍କ ସହିତ ଆଲୋଚନା ବେଳେ ବିସ୍ଥାପିତ ପ୍ରଦୀପ କୁମ୍ଭାର, ପିଙ୍କି ବିଭାର, ସାମାଜିକ କର୍ମକର୍ତ୍ତା ଅଭିରାମ ମଲ୍ଲିକ ଏବଂ ସଂଗ୍ରାମ ମଲ୍ଲିକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।