ଏମାର ମଠ ଭଙ୍ଗାର ତୃତୀୟ ଦିନ : ରଘୁନନ୍ଦନ ପାଠାଗାର ଧୂଳିସାତ୍‌

ମଠ ଛାଡ଼ୁ ନାହାନ୍ତି ମହନ୍ତ, ପୁଣି ମିଳିଲା ଏକାଧିକ ଗୁପ୍ତ କୋଠରି, ବଡ଼ଆଖଡ଼ା ମଠ ଭାଙ୍ଗିବା ପ୍ରସ୍ତୁତି, ଆଜି ଅପରାହ୍‌ଣ ସୁଦ୍ଧା ଘର ଖାଲି ନିର୍ଦେଶ

ପୁରୀ : ସର୍ବପୁରାତନ ତଥା ସବୁଠୁ ଧନୀ ‘ଏମାର ମଠ’ର ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଆଜି ତୃତୀୟ ଦିନରେ ମଠ ପଛପାର୍ଶ୍ବରେ ଥିବା କିଛି ପୁରୁଣା କୋଠାକୁ ଭଙ୍ଗା ଯାଇଥିବାବେଳେ ଅପରାହ୍‌ଣରେ ମଠର ନୂଆ କୋଠାରେ ଥିବା ବ୍ରିଟିସ ଅମଳ(୧୯୨୧ ମସିହା)ର ରଘୁନନ୍ଦନ ପାଠାଗାର ଓ ଦୋକାନ ଘରକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ସେପଟେ ମଠର ପଛପାର୍ଶ୍ବ ପୁରୁଣା କୋଠା ସବୁ ଉଚ୍ଛେଦ ବେଳେ ଆହୁରି ଅନେକ ଗୁପ୍ତ କୋଠରି ଠାବ କରାଯାଇଛି। ଯେଉଁଥିପାଇଁ ମଠ ମହନ୍ତଙ୍କ ରହଣି ସ୍ଥାନ ଓ ବାକି ପୁରୁଣା ଘର ସବୁକୁ ନେଇ ଉତ୍ସୁକତା ବଢ଼ିଛି। ହେଲେ ଆଜି ମଧ୍ୟ ମଠର ମହନ୍ତ ମଠ ଛାଡ଼ି ବାହାରକୁ ଆସି ନାହାନ୍ତି। ଯେହେତୁ ମହନ୍ତ ମଠରୁ ବାହାରିବାକୁ ସମ୍ମତ ହେଉ ନାହାନ୍ତି, ସେ ଦୃଷ୍ଟିରୁ ଅସୁରକ୍ଷିତ ଏହି ପୁରୁଣା କୋଠାକୁ ସଂପୂର୍ଣ୍ଣ ଭାଙ୍ଗିବାରେ ପ୍ରଶାସନ ସମର୍ଥ ହୋଇନାହିଁ। ତଥାପି ଆସନ୍ତାକାଲି ସୁଦ୍ଧା ମଠର ସମସ୍ତ ଘରକୁ ଭାଙ୍ଗିବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଛି । ଅନ୍ୟପଟେ ଏମାର ମଠ ପରେ ବଡ଼ଆଖଡ଼ା ମଠକୁ ଭାଙ୍ଗିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ପ୍ରଶାସନ। ଆସନ୍ତାକାଲି ଅପରାହ୍‌ଣ ସୁଦ୍ଧା ଏଠାରେ ଥିବା ଦୋକାନ ଘର ସବୁକୁ ଖାଲି କରିଦେବାକୁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଗତକାଲି ଭଳି ଆଜି ସକାଳୁ ଜିଲ୍ଲା ପ୍ରଶାସନ ଏମାର ମଠ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲା। ଏକାଧିକ ମାଜିଷ୍ଟ୍ରେଟ୍‌ଙ୍କ ସହ ୨୬ ପ୍ଲାଟୁନ୍ ଫୋର୍ସଙ୍କ ସୁରକ୍ଷା ବଳୟ ଭିତରେ ଆଜି ମଠ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥିଲା। ୫ରୁ ଅଧିକ ବୁଲଡୋଜର ଲାଗି ମଠ ପଛପାର୍ଶ୍ବରେ ଥିବା ପୁରୁଣା କୋଠାକୁ ଭାଙ୍ଗିବା ବେଳେ ଆଜି ବି ୫ରୁ ଅଧିକ ଗୁପ୍ତ କୋଠରିର ସନ୍ଧାନ ମିଳିଥିଲା। ଯେହେତୁ ଅତୀତରେ ପ୍ରାୟ ୯୫ କୋଟି ଟଙ୍କାର ୫ଶହରୁ ଅଧିକ ରୁପା ଇଟା ଏହିଭଳି ଏକ ଭଗ୍ନ ଅବସ୍ଥାରେ ଥିବା ଗୁପ୍ତ କୋଠରିରୁ ମିଳିଥିଲା, ସେହି ଦୃଷ୍ଟିରୁ ଏଠାରେ ବି ଅନେକ ସୁନା, ରୁପା ଥାଇପାରେ ବୋଲି ଅନୁମାନ କରାଯାଉଛି। କିନ୍ତୁ ପ୍ରଶାସନ ଏହାକୁ ଗୁରୁତ୍ବ ଦେଇ ନାହିଁ। ଗତକାଲି ଯେଉଁ ଗୁପ୍ତ କୋଠରି ସବୁର ସନ୍ଧାନ ମିଳିଥିଲା, ତାହା ଉପରୁ ପରଦା ହଟାଇବା ବଦଳରେ ଏହାକୁ ପୋତି ଦେଇଛି। ସବୁଠୁ ବଡ଼ କଥା ହେଲା, ପ୍ରଶାସନ ଏହି ଅଞ୍ଚଳରେ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ କଟକଣା ଲଗାଇ ଗୁପ୍ତ କୋଠରିର ରହସ୍ୟକୁ ଆହୁରି ରହସ୍ୟମୟ କରି ଦେଇଛି। ତେବେ ରହସ୍ୟ ଉନ୍ମୋଚନ ପୂର୍ବରୁ ମହନ୍ତଙ୍କ ଜିଦ୍‌ ଯୋଗୁଁ ମଠର ଧନ ଉପରୁ ପରଦା ହଟିପାରିନି। ମହନ୍ତ ରହୁଥିବା କୋଠରିକୁ ଛାଡ଼ି ଆଜି ଅନ୍ୟ ସବୁ କୋଠାକୁ ଭାଙ୍ଗି ଦେଇଛି ପ୍ରଶାସନ।

ଅନ୍ୟପକ୍ଷରେ ପ୍ରାୟ ୧୦୦ ବର୍ଷର ପୁରୁଣା ବ୍ରିଟିସ ଅମଳର ରଘୁନନ୍ଦନ ପାଠାଗାରକୁ ଦୁଇରୁ ଅଧିକ ବୁଲଡୋଜର ଲଗାଇ ଭାଙ୍ଗିବାକୁ ପଡ଼ିଥିଲା। ଆଜି ସଂଧ୍ୟାରେ ସିଂହଦ୍ବାର ସମ୍ମୁଖରେ ଥିବା ଏହି କୋଠାକୁ ଭାଙ୍ଗିବା ସହ କୋଠାର ତଳ ମହଲାରେ ଥିବା ୧୦ରୁ ଅଧିକ ଦୋକାନ ଘରକୁ ବି ଭାଙ୍ଗି ଦିଆଯାଇଛି। ଏହାପରେ ଆସନ୍ତାକାଲି ମଠ ମହନ୍ତଙ୍କ ରହଣିସ୍ଥଳ ଓ ବଣିଆପଟି ସୁନାଦୋକାନ ସବୁ ଭଙ୍ଗାଯିବ। ସେପଟେ ପ୍ରଶାସନିକ ନିର୍ଦ୍ଦେଶ ପରେ ଆଜିଠାରୁ ବଡ଼ଆଖଡ଼ା ମଠରେ ଥିବା ଲୁଗାପଟି ଦୋକାନ ଘର ସବୁ ଖାଲି ହେବା ଆରମ୍ଭ ହୋଇଛି। ବ୍ୟବସାୟୀମାନେ ସେମାନଙ୍କ ଦୋକାନ ଘର ଖାଲି କରିଛନ୍ତି। ପ୍ରଶାସନ ଆସନ୍ତାକାଲି ଅପରାହ୍‌ଣ ୫ଟା ସୁଦ୍ଧା ଦୋକାନ ଘର ଖାଲି କରିବାକୁ ନିର୍ଦେଶ ଦେଇଥିବାରୁ ଆଜି ରାତିରେ ବି ଦୋକାନ ଘର ଖାଲି ଅଭିଯାନ ଜାରି ରହିଥିବା ଦେଖିବାକୁ ମିଳିଛି। ଏମାର ମଠ ଉଚ୍ଛେଦ ଶେଷ ପରେ ଆସନ୍ତାକାଲି ସଂଧ୍ୟା ଅବା ପରଦିନ ସକାଳୁ ବଡ଼ଆଖଡ଼ା ମଠ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ।

ସମ୍ବନ୍ଧିତ ଖବର