ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ଅଭିଯାନ : ଖାଲି ହେଲା ଦୋକାନ ଘର, ଆଜି ଭଙ୍ଗା ହେବ

୧୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ, ଜିନିଷ ଖାଲି ପାଇଁ ସମୟ ଦେଲାନି ପ୍ରଶାସନ, ସିଂହଦ୍ବାରରେ ଧାରଣା ଦେଲେ ବ୍ୟବସାୟୀ

ପୁରୀ : ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଉଚ୍ଛେଦ ନେଇ ଲଙ୍ଗୁଳି ମଠ ଓ ଏମାର ମଠକୁ ଅଲିଖିତ ନୋଟିସ୍ ପରେ ଏଠାରେ ଥିବା ଦୋକାନ ଘର ସବୁକୁ ଆଜି ଖାଲି କରି ଦିଆଯାଇଛି। ବ୍ୟବସାୟୀମାନେ ନିଜ ନିଜ ଜିନିଷପତ୍ର ଗାଡ଼ି ଲଗାଇ ବୋହି ନେଇଛନ୍ତି। ସଂଧ୍ୟା ସୁଦ୍ଧା ପ୍ରାୟ ସବୁ ଦୋକାନ ଘର ଖାଲି ହୋଇଯାଇଛି। ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ପାଇଁ ୧୦ରୁ ଅଧିକ ପ୍ଲାଟୁନ୍ ଫୋର୍ସଙ୍କୁ ପ୍ରସ୍ତୁତ ରଖାଯାଇଛି।

ଆସନ୍ତାକାଲି ସକାଳୁ ପ୍ରଶାସନ ଉଚ୍ଛେଦ ଅଭିଯାନ ଆରମ୍ଭ କରି ମଠ ଓ ତତ୍‌ସଂଲଗ୍ନ ଦୋକାନ ଘରଗୁଡ଼ିକୁ ଭାଙ୍ଗିବ ବୋଲି ଜଣାପଡ଼ିଛି।

 

ଗତକାଲି ବିଳମ୍ବିତ ରାତିରେ ପ୍ରଶାସନିକ ଅଧିକାରୀ ଓ ପୁଲିସ ବୁଲି ବୁଲି ଦୋକାନ ଘରଗୁଡ଼ିକୁ ଖାଲି କରିବାକୁ କହିଥିଲେ। ଲଙ୍ଗୁଳି ମଠ ଦୋକାନୀଙ୍କୁ ଆଜି ଅପରାହ୍ଣ ଗୋଟାଏ ଓ ଏମାର ମଠ ଦୋକାନୀମାନଙ୍କୁ ସଂଧ୍ୟା ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ନିଜେ ଏସ୍‌ପି ଉମାଶଙ୍କର ଦାଶ ଗତକାଲି ରାତି ପ୍ରାୟ ଗୋଟାଏରେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସୂଚନା ମିଳିବା ପରେ ଲଙ୍ଗୁଳି ମଠ ଜାଗାରେ ଦୋକାନ ଭଡ଼ା ସୂତ୍ରରେ ନେଇ ଲୁଗା, ପୋଷାକପତ୍ର, ଛେନା, ରାବିଡ଼ି, ପୂଜା ସାମଗ୍ରୀ ଆଦି ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ନିଜ ନିଜ ଜିନିଷପତ୍ର ଖାଲି କରି ଦେଇଛନ୍ତି। ଆଜି ସଂଧ୍ୟା ସୁଦ୍ଧା ପ୍ରାୟ ସବୁ ଦୋକାନ ଘର ଖାଲି ହୋଇଯାଇଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆସନ୍ତାକାଲି ସକାଳୁ ଏକାଧିକ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ। ଏଏସ୍‌ପି, ଡିଏସ୍‌ପି, ବିଭିନ୍ନ ଥାନାର ଆଇଆଇସି ଓ ଅନ୍ୟ ଅଧିକାରୀମାନଙ୍କୁ ଏଥିପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଆଜି ରାତିରେ ଥାନା ଅଧିକାରୀମାନଙ୍କର ଗୁରୁତ୍ବପୂର୍ଣ୍ଣ ବୈଠକ ଡାକି ଏସ୍‌ପି ଏ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରିଛନ୍ତି। ତେବେ ଏ ନେଇ କୌଣସି ପ୍ରଶାସନିକ ଅଧିକାରୀ ମୁହଁ ଖୋଲିନାହାନ୍ତି।

ଜିନିଷ ଖାଲି ପାଇଁ ସମୟ ଦେଲାନି ପ୍ରଶାସନ, ସିଂହଦ୍ବାରରେ ଧାରଣା ଦେଲେ ବ୍ୟବସାୟୀ

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପାଇଁ ଜିଲ୍ଲା ପ୍ରଶାସନକୁ ବାରମ୍ବାର ନିବେଦନ ସତ୍ତ୍ବେ ଜିନିଷପତ୍ର ଖାଲି ପାଇଁ ସମୟ ଦିଆଗଲାନି। ଢ଼ୁଢ଼ୁ ବର୍ଷାରେ ଜିନିଷପତ୍ର ଖାଲି କରିବାକୁ ବାଧ୍ୟ କଲା ପ୍ରଶାସନ। ଏହାକୁ ନେଇ ବ୍ୟବସାୟୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କିନ୍ତୁ ଭୟରେ କେହି ମୁହଁ ଖୋଲିନାହାନ୍ତି। ତଥାପି ଭିତରେ ଥିବା ଅସନ୍ତୋଷକୁ ବ୍ୟକ୍ତ କରିବାକୁ ଯାଇ ଆଜି ସକାଳେ ସିଂହଦ୍ବାର ସମ୍ମୁଖ ବଡ଼ଦାଣ୍ଡରେ ଧାରଣା ଦେଇ ପ୍ରତିବାଦ ଜଣାଇଛନ୍ତି। ବ୍ୟବସାୟୀଙ୍କ କହିବା କଥା ହେଲା, ବାବା, ଜେଜେ‌ବାପା ଅମଳରୁ ସେମାନେ ଏଠାରେ ବ୍ୟବସାୟ କରି ଆସୁଛନ୍ତି। ଏଇଥିରୁ ହିଁ ପରିବାର ଗୁଜୁରାଣ ମେଣ୍ଟୁଛି। ଶ୍ରୀମନ୍ଦିର ଉନ୍ନତି ପାଇଁ ଉଚ୍ଛେଦକୁ ସ୍ବାଗତ କରୁଛୁ, କିନ୍ତୁ ପ୍ରଶାସନ ଆମକୁ ଥଇଥାନ କରିବା ଦରକାର। ଥଇଥାନ ବ୍ୟବସ୍ଥା ନକରି ହଠାତ୍ ‌ଉଚ୍ଛେଦ ଅନ୍ୟାୟ। କେବଳ ସେତିକି ନୁହେଁ, ଜିଲ୍ଲା ପ୍ରଶାସନ ସମୟ ‌ନଦେଇ ହଠାତ୍ ଉଠଯିବାକୁ କହିବା ଠିକ୍ ନୁହେଁ। ଗୋଟିଏ ଗୋଟିଏ ଦୋକାନରେ କୋଟି କୋଟି ଟଙ୍କାର ଜିନିଷପତ୍ର ରହିଛି। ଏହାକୁ ସ୍ଥାନାନ୍ତର ପାଇଁ ସମୟ ଦରକାର। କିନ୍ତୁ ପ୍ରଶାସନ ହଟିଯିବାକୁ କହିବା ବ୍ୟବସାୟୀମାରଣ ନୀତିକୁ ପ୍ରମାଣିତ କରୁଛି। ଏ ସଂପର୍କରେ କିଛି ଦୋକାନୀ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର