ପୁରୁଷୋତ୍ତମପୁର: ମାନବିକତା ଦେଖାଇଲେ ପୁରୁଷୋତ୍ତମପୁର ତହସିଲଦାର ନୀତୀଶ ତ୍ରିପାଠୀ। ମୃତକଙ୍କ ଶବକୁ ଗାଁ ଲୋକଙ୍କ ସାହାଯ୍ୟରେ ନିଜେ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ନେଇ ଶବଦାହ କରାଇଛନ୍ତି ସେ। ତାଙ୍କର ଏହି କାର୍ଯ୍ୟ ସମସ୍ତ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି। ଜଣେ ପଦସ୍ଥ ଅଧିକାରୀ ହୋଇ ମଧ୍ୟ ସେ ଦୁସ୍ଥିତିର ଶିକାର ହୋଇ ମୃତ୍ୟୁବରଣ କରିଥିବା ଜଣେ ଗ୍ରାମବାସୀଙ୍କୁ ପରିବାରର ସଦସ୍ୟଙ୍କ ଭଳି ସାହାଯ୍ୟ-ସହଯୋଗ କରିବା ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଶିକୁଳା ଗ୍ରାମର ଶିବରାମ ନାୟକ ଦୁଇଟି କିଡନି ହରାଇ ରୋଗଶଯ୍ୟାରେ ମରଣ ସହ ସଂଗ୍ରାମ କରୁଥିଲେ। କିଛିଦିନ ପୂର୍ବେ ଏହି ଖବର ଶୁଣି ପରେ ନିଜେ ତହସିଲଦାର ଶିବରାମଙ୍କ ଘରକୁ ଯାଇ ସହାୟତା କରିବା ସହ ତାଙ୍କର ଘର ନ ଥିବା ହେତୁ ସରକାରୀ ସ୍ତରରେ ଏକ ଘରଡିହ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଭଳିକି ଚିକିତ୍ସା ପାଇଁ ସହାୟତା କରିଥିଲେ। କିନ୍ତୁ  ଆଜି ଶିବରାମ ମ୍ରୁତ୍ୟୁ ଖବର ପାଇ ତାଙ୍କ ଘର ଆଡ଼କୁ ଯାଉଥିବା ସମୟରେ ରାସ୍ତାରେ  ଶବାଧାରକୁ ଦେଖି ଗ୍ରାମବାସୀଙ୍କ ସହ ମିଶି  ଶବକୁ ନିଜେ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ। କେବଳ ସେତିକି ନୁହେଁ, ଶବ ସତ୍କାର ସହ ସମସ୍ତ କାର୍ଯ୍ୟ ନିଜେ ଉପସ୍ଥିତ ରହି ସମ୍ପାଦନ କରିଥିଲେ। ଏଥି ସହ ନିଜସ୍ବ ପାଣ୍ଠିରୁ  ପରିବାରକୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି ତହସିଲଦାର ନୀତୀଶ ତ୍ରିପାଠୀ।