ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବିରେ ଆନ୍ଦୋଳନ : ୧୯ରୁ ଚେତାବନୀ ସପ୍ତାହ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ନେଇ ପୁଣି ଥରେ ତୀବ୍ର ଆନ୍ଦୋଳନ ହେବାକୁ ଯାଉଛି। ପଶ୍ଚିମ ଓଡ଼ିଶାବାସୀଙ୍କ ଦାବି ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ଅବହେଳା ପ୍ରଦର୍ଶନର ପ୍ରତିବାଦ ସ୍ୱରୂପ ଆସନ୍ତା ୧୯ରୁ ୨୪ ଫେବ୍ରୁଆରି ପର୍ଯ୍ୟନ୍ତ ସବୁ ସରକାରୀ ଅଫିସ, ଅଦାଲତ, ବ୍ୟାଙ୍କ ଆଦି ଅଚଳ କରିଦେବାକୁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ନିଷ୍ପତ୍ତି ନେଇଛି।

ଶୁକ୍ରବାର ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାକକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଅତନୁ କୁମାର ଘୋଷ କହିଲେ, ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ନିମନ୍ତେ ଗତ ୪ ଦଶନ୍ଧି ଧରି ପଶ୍ଚିମ ଓଡ଼ିଶାରେ ଆନ୍ଦୋଳନ ଚାଲିଛି। ରାଜ୍ୟ ସରକାରଙ୍କ ମଧ୍ୟ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ବେଞ୍ଚର ଆବଶ୍ୟକତାକୁ ଅନୁଭବ କରି ଗତ ୨୦୧୩ ମସିହାରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଏଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏହାର ଉତ୍ତରରେ ଗତ ୨୩ ଅକ୍ଟୋବର ୨୦୧୩ରେ ଭାରତ ସରକାରଙ୍କ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦିଷ୍ଟ ଭାବେ ପ୍ରସ୍ତାବ ଦେବାକୁ କୁହାଯାଇଥିଲା। ଏ ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟଙ୍କ ମତ ମଧ୍ୟ ଲୋଡ଼ା ଯାଇଥିଲା। ହେଲେ ତାହା ସେତିକିରେ ଅଟକି ରହିଛି।

ଅପରପକ୍ଷରେ ଏହି ପ୍ରସଂଗରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବାରଂବାର ଅନୁରୋଧ କରାଯାଇଥିଲେ ହେଁ କିଛି ଲାଭ ହୋଇ ନାହିଁ। ଏଭଳି ସ୍ଥିତିରେ ଅନ୍ୟ ବିକଳ୍ପ ନପାଇ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି(ସିଏସି) ଚେତାବନୀ ସପ୍ତାହ ପାଳନ କରିବାକ୍‌ୁ ନିଷ୍ପତ୍ତି ନେଇଛି। ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ପ୍ରଦୀପ ବହିଦାର, ସିଏସି ସଂପାଦକ ନିରଂଜନ ତ୍ରିପାଠୀ, ସହ ଆବାହକ ପ୍ରମୋଦ ଦାଶ, ସଭ୍ୟ ସତ୍ୟନାରାୟଣ ପଣ୍ଡା, ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ନାୟକ, ମାଧବ ଚନ୍ଦ୍ର ପଣ୍ଡା, ବୀରେନ୍ଦ୍ର କୁମାର ପଟ୍ଟନାୟକ, ସନ୍ତୋଷ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର