ସାତକୋଶିଆ ଅଭୟାରଣ୍ୟରୁ ସ୍ଥାନାନ୍ତର ଘଟଣା: କ୍ଷତିପୂରଣ ପ୍ୟାକେଜରୁ ବଞ୍ଚିତ ୨୦ ପରିବାରଙ୍କ ଆମରଣ ଅନଶନ ଜାରି

ବନ୍ତଳା: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରୁ କଟରଙ୍ଗ ଗ୍ରାମ ସ୍ଥାନାନ୍ତର ପ୍ରକ୍ରିୟାରେ ସରକାରୀ ପାତର-ଅନ୍ତର ଏବଂ ପ୍ରିୟାପ୍ରୀତି ଘଟଣାରେ ୨୦ ପରିବାର ପ୍ୟାକେଜ୍‌ରୁ ବଞ୍ଚିତ ହୋଇଥିବା ବେଳେ ଆଜି ସେମାନେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫଓଙ୍କ ଅଫିସ ସମ୍ମୁଖରେ ଆମରଣ ଅନଶନ କରିଛନ୍ତି। ବିଭାଗ ପକ୍ଷରୁ କ୍ଷତିପୂରଣ ପ୍ୟାକେଜ ନମିଳିବା ଯାଏଁ ସେମାନେ ସେଠାରେ ଆମରଣ ଅନଶନ କରିବେ ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ପ୍ରାୟ ୩ ଶହ ବର୍ଷ ହେବ କଟରଙ୍ଗ ଗ୍ରାମର ଗ୍ରାମବାସୀ ରହି ଆସୁଥିଲେ । ଗ୍ରାମର ୧୪୯ ପରିବାର ୪ଟି ସାହିରେ ବସବାସ କରୁଥିଲେ । ଅଭୟାରଣ୍ୟ ଓ ବ୍ୟାଘ୍ର ପ୍ରକଳ୍ପ ପାଇଁ ଗାଁର ସମସ୍ତ ପରିବାରକୁ ବିଭାଗ ପକ୍ଷରୁ ନିକଟରେ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ସରକାରୀ ପ୍ୟାକେଜ ହିସାବରେ ୨୦ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଇଛି। କିନ୍ତୁ ଗ୍ରାମର ୨୦ ପରିବାରକୁ ଏହି ପ୍ୟାକେଜ୍‌ରେ ଅନ୍ତର୍ଭୂକ୍ତ କରାଯାଇନାହିଁ । ଏହି ପ୍ୟାକେଜରୁ ବଞ୍ଚିତ ଥିବା ୨୦ ପରିବାର ଲୋକଙ୍କର ଘର, ଅର୍ଦ୍ଧଭଗ୍ନ ଘର, ଜମିବାଡି, ଘରଡିହ, ଗଛ, କୂଅ ଆଦି ସ୍ଥାବର ସଂପତ୍ତି କଟରଙ୍ଗ ଗ୍ରାମରେ ଥିବାବେଳେ ସେମାନଙ୍କର ଭୋଟ୍ ପରିଚୟ ପତ୍ର, ଆଧାରକାର୍ଡ, ରେସନ୍ କାର୍ଡ, ଜବ୍ କାର୍ଡ ଅନ୍ୟାନ୍ୟ ସରକାରୀ ପ୍ରମାଣ ପତ୍ର କଟରଙ୍ଗ ଗ୍ରାମରେ ରହିଅଛି।

ତେବେ ସେମାନଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିବା ନେଇ ଜିଲ୍ଲା ପ୍ରଶାସନ ସହ ବନ ବିଭାଗକୁ ଲିଖିତ ଅଭିଯୋଗ କରିବା ପରେ ସେମାନଙ୍କୁ କ୍ଷତିପୂରଣ ରାଶି ଏପର୍ଯ୍ୟନ୍ତ ମିଳିଲା ନାହିଁ। ଫଳରେ ପ୍ୟାକେଜ୍‌ରୁ ବଞ୍ଚିତ ୨୦ ପରିବାର ଆଜି ବିଶ୍ଵ ଆଦିବାସୀ ଦିବସରେ ସାତକୋଶିଆ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିଛନ୍ତି।

ସମ୍ବନ୍ଧିତ ଖବର