ସୁନ୍ଦରଗଡ଼: ଦର୍ଲିପାଲିସ୍ଥିତ ଏନଟିପିସି ତାପଜ ବିଦ୍ୟୁତ ଶକ୍ତି ପ୍ରକଳ୍ପରେ ଜମି ହରାଇଥିବା ଯୁବକଯୁବତୀମାନଙ୍କୁ ବିସ୍ଥାପନ ନୀତି ଅନୁଯାୟୀ ନିଯୁକ୍ତି ଦିଆଯାଇଥିଲା। କିଛି ବର୍ଷ ପରେ ସେମାନଙ୍କୁ ସ୍ଥାୟୀ କରାଯିବ ବୋଲି ମଧ୍ୟ କମ୍ପାନି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ଏବେ ସେମାନଙ୍କୁ ଛଟେଇ କରିବାକୁ ଧମକ ଦିଆଯାଉଛି। ଜମି ହରାଇ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ଯଦି ଚାକିରିରୁ ତଡ଼ି ଦିଆଯାଏ, ସେମାନେ କୁଆଡ଼େ ଯିବେ, କେମିତି ଚଳିବେ। ଏହି ପ୍ରଶ୍ନ ଓ ପ୍ରତିବାଦ ନେଇ ପ୍ରଭାବିତ କର୍ମଚାରୀ ଶୁକ୍ରବାର ଏନଟିପିସି ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ସହ ସୁନ୍ଦରଗଡ଼ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଅଭିଯୋଗ ହୋଇଛି, ୨୦୧୨ରେ କମ୍ପାନିର ସର୍ବେକ୍ଷଣ ସମୟରେ ବିସ୍ଥାପିତ ପରିବାରର ବୈଷୟିକ ଡିଗ୍ରିଧାରୀ ତଥା ଅନୁସୂଚୀତ ଜାତି, ଜନଜାତି ଓ ପଛୁଆବର୍ଗର ଯୋଗ୍ୟତା ସମ୍ପନ୍ନ ପୁଅଝିଅଙ୍କୁ ଅଗ୍ରାଧିକାର ଭିତ୍ତିରେ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଜମି ଅଧିଗ୍ରହଣ ପରେ ଦିନ ଗଡ଼ାଇ ୨୦୧୮ରେ ବିଟେକ, ଡିପ୍ଲୋମା ଇଞ୍ଜିନିୟର ଓ ଆଇଟିଆଇ ପାସ୍ କରିଥିବା ଯୁବକଯୁବତୀଙ୍କୁ ଅତି କମ ଦରମା ୮ ହଜାରରୁ ୧୫ ହଜାରରେ ନିଯୁକ୍ତି ଦିଆଗଲା। ହେଲେ ଥଇଥାନ ନୀତି ଅନୁଯାୟୀ ଏକକାଳୀନ କ୍ଷତିପୂରଣ, ଏନୟୁଟି, ଅତିରିକ୍ତ ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ସୁବିଧାରୁ ବଞ୍ଚିତ କରା ଯାଇଥିଲା। ଏବେ ୫ ବର୍ଷ କାମ କରିବା ପରେ ସ୍ଥାୟୀ ନିଯୁକ୍ତି ଦେବା ପରିବର୍ତ୍ତେ ଚାକିରିରୁ ବାହାର କରିବାକୁ ଧମକ ଦିଆଯାଉଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି।
ଏହି ଅବସରରେ ଯୁବନେତା ଡ. ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ନେତୃତ୍ବରେ ଶତାଧିକ କର୍ମଚାରୀ ଏହାର ପ୍ରତିବାଦ କରିବା ସହ ଉପଜିଲ୍ଲାପାଳ ଦାଶରଥି ସରାବୁଙ୍କୁ ଦାବିପତ୍ର ଦେଇ ନ୍ୟାୟ ମାଗିଥିଲେ। ଉପଜିଲ୍ଲାପାଳ ଫୋନ୍ ଯୋଗେ ଏନଟିପିସି ମୁଖ୍ୟ ମହାପ୍ରବନ୍ଧକ ଓ ମନବ ସମ୍ବଳ ବିଭାଗ ମୁଖ୍ୟଙ୍କୁ କର୍ମଚାରୀଙ୍କ ଦାବି ଉପରେ ଆଲୋଚନା କରିବାକୁ କହିଥିଲେ। କମ୍ପାନି ନଶୁଣିଲେ ପରବର୍ତ୍ତୀ ସମୟରେ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବ ପଦକ୍ଷେପ ନେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ତେବେ ସ୍ଥାୟୀ ନିଯୁକ୍ତି ସହ ଦରମା ବୃଦ୍ଧି କରାନଗଲେ କର୍ମଚାରୀ ବିଦ୍ୟୁତ ଶକ୍ତି ଉତ୍ପାଦନ କାର୍ଯ୍ୟ ବନ୍ଦ କରିବେ ଓ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।