୯ଦଫା ଦାବି ନେଇ ଖୋର୍ଦ୍ଧା ଜିଲ୍ଲା ଡ୍ରାଇଭର ସଂଘର ବିକ୍ଷୋଭ

ଖୋର୍ଦ୍ଧା: ଦୁର୍ଘଟଣାରେ ପ୍ରାଣ ହରାଇଥିବା ଡ୍ରାଇଭରମାନଙ୍କ ପାଇଁ ୨୦ଲକ୍ଷ ଟଙ୍କାର ବୀମା, ଅକର୍ମଣ୍ୟ ହେଲେ୧୦ଲକ୍ଷ ଟଙ୍କାର ବୀମା ପ୍ରଦାନ, ୫୫ ବର୍ଷ ପରେ ପେନ୍‌ସନ୍‌ର ବ୍ୟବସ୍ଥା ଆଦି ସହ ୯ ଦଫା ଦାବି ନେଇ ଶନିବାର ଓଡ଼ିଶା ଡ୍ରାଇଭର ମହାସଂଘର ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଳାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବିଭିନ୍ନ ଘରୋଇ ବସ୍, ଟ୍ରକ, ଟ୍ୟାକ୍ସି ଆଦିର ଶତାଧିକ ଚାଳକ ଶନିବାର ପୂର୍ବାହ୍ଣରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇଥିଲେ । କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା କରିବା ପରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ଦେଇଥିଲେ । ଦାବି ସଂକ୍ରାନ୍ତରେ ଖୋର୍ଦ୍ଧା ସଂଘ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ମହାସଂଘର ଡାକରାରେ ସମଗ୍ର ରାଜ୍ୟର ୩୦ ଜିଲ୍ଲାରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ବିକ୍ଷୋଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି କ୍ରମରେ  ଖୋର୍ଦ୍ଧାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

୯ ଦଫା ଦାବି ମଧ୍ୟରେ ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ, ରାସ୍ତାର ପ୍ରତି ୧୦୦ ମିଟର ଅନ୍ତରରେ ଗାଡ଼ି ପାର୍କିଂ ଓ ବିଶ୍ରାମ ନେବାର ବ୍ୟବସ୍ଥା, ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ପ୍ରଦାନ, ପିଲାଙ୍କ ପାଇଁ ଶିକ୍ଷାର ବ୍ୟବସ୍ଥା ଆଦି ଦାବି ରହିଛି । ଏହି ସମସ୍ତ ଦାବି ନେଇ ଗତ ୧ ବର୍ଷ ଧରି ବିଭିନ୍ନ ସମୟରେ ଧାରଣା, ଆନେ୍ଦାଳନ ଜାରି ରହିଛି । ଏପରିକି ସରକାର ମଧ୍ୟ ଆଲୋଚନା କରି ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହା ଏଯାଏଁ ପାଳନ କରାଯାଇନାହିଁ ।

ସମ୍ବନ୍ଧିତ ଖବର