ଶତ୍ରୁଘ୍ନ ସାହୁ
ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଯୁବନେତା ତଥା ରାଜ୍ୟ ଯୁବବିଜେଡି ଉପସଭାପତି ସୌମ୍ୟଶଙ୍କର ଚକ୍ର (ରାଜା) ଆଜକୁ ଠିକ୍ ବର୍ଷକତଳେ ଗଡ଼ବାନ୍ଧଗୋଡ଼ାରେ ଏକ ବିଶାଳ ବାଇକ୍ ରାଲି କରି ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କୁ ଖୋଲା ଆହ୍ବାନ ଦେଇଥିଲେ। ଦୀର୍ଘଦିନର ନିରବତା ପରେ ପୁଣି ସେ ଗଡ଼ବାନ୍ଧଗୋଡ଼ାରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ୩ ତାରିଖ(ବୁଧବାର) ଗଡ଼ବାନ୍ଧଗୋଡ଼ାରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନାମରେ ନିଜର ସମର୍ଥକମାନଙ୍କୁ ପୁଣି ଏକାଠି କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଘସିପୁରା ରାଜନୀତିରେ ପୁଣି ଆରଜେ ଲଭର୍ସ ନାମରେ ରାଜାଙ୍କ ପ୍ରବେଶ ନେଇ ଆଲୋଚନା ହେଉଛି। ପୂର୍ବରୁ ରାଜା ଘସିପୁରାରେ ପ୍ରତ୍ୟକ୍ଷ ରାଜନୀତିରେ ରହି ନଥିଲେ ମଧ୍ୟ ନିଜର ସମର୍ଥକଙ୍କ ମାଧ୍ୟମରେ ସଂଗଠନ ଚଳାଇଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ବଦ୍ରିଙ୍କ ନିଜ ପଞ୍ଚାୟତ ଗଡ଼ବାନ୍ଧଗୋଡ଼ାରେ ତାଙ୍କ ପ୍ରାର୍ଥୀଙ୍କୁ କଡ଼ା ଟକ୍କର ମଧ୍ୟ ଦେଇଥିଲେ। ପୂର୍ବରୁ ଯେଉଁ ପଞ୍ଚାୟତରେ ନିର୍ବାଚନ ନହୋଇ ବଦ୍ରିଙ୍କ ଇସାରାରେ ସରପଞ୍ଚ, ସଭ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଉଥିଲେ ସେଠାରେ ତାଙ୍କୁ ରାଜା ସମର୍ଥକମାନେ କଡ଼ା ମୁକାବିଲା କରି ଚର୍ଚ୍ଚାକୁ ଆସିଥିଲେ।
ବିଧାୟକଙ୍କ ବହୁ ପରିଶ୍ରମ ପରେ ତାଙ୍କ ସରପଞ୍ଚ ପ୍ରାର୍ଥୀ ମାତ୍ର ୫୦ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ଘସିପୁରା ନିର୍ବାଚନମଣ୍ଡଳୀର ସମସ୍ତ ପଞ୍ଚାୟତରେ ରାଜା ଚକ୍ର ନାମରେ ବିଜେଡି ସଂଗଠନ କାମ କରୁଥିଲେ ମଧ୍ୟ ସେ ନିଜେ କେବେ ମଇଦାନକୁ ଓହ୍ଲାଇ ନଥିଲେ। ନୂଆବର୍ଷରେ ବହୁସଂଖ୍ୟକ ସମର୍ଥକଙ୍କ ଗହଣରେ ଘଟଗାଁରେ ମା’ ତାରିଣୀଙ୍କ ଦର୍ଶନ ପରେ ଗତକାଲି ଗଡ଼ବାନ୍ଧଗୋଡ଼ାରେ ରାଜା ନିଜର ଶକ୍ତି ଦେଖାଇଛନ୍ତି। ରାମଚନ୍ଦ୍ରପୁର ଛକରୁ ବାଇକ୍ ଶୋଭାଯାତ୍ରାରେ ତାଙ୍କୁ ଟୁର୍ଣ୍ଣାମେଣ୍ଟ୍ ସ୍ଥାନକୁ ନିଆଯାଇଥିଲା। ପରେ ଘସିପୁରା ନିର୍ବାଚନମଣ୍ଡଳୀର ବହୁସ୍ଥାନରେ ରାଜା ନିଜ ସମର୍ଥକଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମ କରିଥିଲେ। ତାଙ୍କୁ ଦଳ ପକ୍ଷରୁ ଚିଲିକା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯିବାପରେ ସେ ଘସିପୁରାରରେ ମୁଣ୍ଡ ଖେଳାଇବେ ନାହିଁ ବୋଲି ଚର୍ଚ୍ଚା ହେଉଥିଲା। ଗତକାଲିର କାର୍ଯ୍ୟକ୍ରମ ପରେ ପୁଣି ଘସିପୁରା ରାଜନୀତି ଚଳଚଞ୍ଚଳ ହୋଇଉଠିଛି।
ବଦ୍ରିଙ୍କ ପୁଅ ତଥା ପୂର୍ବତନ ଘସିପୁରା ବ୍ଲକ୍ ଅଧ୍ୟକ୍ଷ ଦେବାଶିଷ ପାତ୍ର ୨୦୨୪ରେ ବିଜେଡିର ମଙ୍ଗ ଧରିବାକୁ ଉଦ୍ୟମ ଚଳାଇଥିବାବେଳେ ତାଙ୍କୁ ଦଳର ହାଇକମାଣ୍ଡ ସବୁଜ ସଙ୍କେତ ଦେଉ ନଥିବା ଆଲୋଚନା ହେଉଛି। ଏପଟେ ବଦ୍ରିଙ୍କ ବିଜୟର ପ୍ରମୁଖ ମାଧ୍ୟମ ନିଜ ଅଞ୍ଚଳର ୧୨ ପଞ୍ଚାୟତରେ ଏବେ ତାଙ୍କର ପ୍ରଭାବ ହ୍ରାସ ହୋଇଥିବା କୁହାଯାଉଛି। ଗଡ଼ବାନ୍ଧଗୋଡ଼ା ପଞ୍ଚାୟତରେ ବିଧାୟକଙ୍କ ପତିଆରା ହ୍ରାସ ପାଉଥିବାବେଳେ ଖଲଣା ଓ ଶାଳଦେଈ ହତ୍ୟାକାଣ୍ଡରେ ବିଧାୟକଙ୍କ ୯ରୁ ଊର୍ଦ୍ଧ୍ବ ସମର୍ଥକ ବିଚାର ବିଭାଗୀୟ ହାଜତରେ ରହିଛନ୍ତି। ସେମାନେ ନିର୍ବାଚନ ପୂର୍ବରୁ ଜାମିନରେ ଆସିବା ସମ୍ଭାବନା କମ୍ ଥିବାରୁ ଆଗାମୀ ଦିନରେ ଏହି ଅଞ୍ଚଳର ୬ ପଞ୍ଚାୟତରେ ବଦ୍ରିଙ୍କ ଭୋଟବ୍ୟାଙ୍କ ଉପରେ ଗୁରୁତର ପ୍ରଭାବ ପକାଇବ ବୋଲି ଆକଳନ କରାଯାଉଛି। ବହୁ ଉଦ୍ୟମ ପରେ ଗତ ୨୬ତାରିଖରେ କନ୍ତୋଠାରେ ଅନୁଷ୍ଠିତ ବିଜେଡି ପ୍ରତିଷ୍ଠା ଦିବସ ସମାରୋହରେ ଆଶାନୁରୂପ ଜନସମାଗମ ହୋଇ ନଥିଲା।