ନିମାପଡ଼ା : ପୁରୀ ଜିଲ୍ଲା ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାକୁ ନେଇ ଶନିବାର ଦିନ ଉଭୟ ବିଜେଡି ଓ ବିଜେପି ନିମାପଡ଼ା ନିର୍ବାଚନମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଜେଡି ଆଜି ନିମାପଡ଼ାରେ ୨୦ ହଜାର ମହିଳାଙ୍କୁ ନେଇ ମହିଳା ସମାବେଶ କରିଥିବା ବେଳେ ବିଜେପି ଆଜି ନିମାପଡ଼ାର ଶହେ ଜାଗାରେ ବିକ୍ଷୋଭ ପ୍ରଦର୍ଶନ ସହ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ କୁଶପୁତ୍ତଳିକା ଦାହ କରିଛି। ଦୁଇ ଦଳ ଭିତରେ ଏଭଳି ବଳ କଷାକଷି ଆଜି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାକୁ ନେଇ ବିବାଦୀୟ ହୋଇ ପଡ଼ିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ରଙ୍କ କିଛି ଅଡିଓ ଭାଇରାଲ୍‌ ହେବା ପରେ ବିଜେପି ଆନ୍ଦୋଳନାତ୍ମକ ପନ୍ଥା ଆପଣାଇଛି। ଏହାକୁ ନେଇ ରାଜ୍ୟବ୍ୟାପୀ ତମ୍ବିତୋଫାନ ଚାଲିଥିବାବେଳେ ଆଜି ବିଜେଡି ନିମାପଡ଼ାରେ ମହିଳା ସମାବେଶର ଆ‌‌ୟୋଜନ କରିଥିଲା। ଗତକାଲି ବିଜେପି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଥିଲା କି ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଗଣଶିକ୍ଷା ମନ୍ତ୍ରୀ ବିବାଦୀୟ ହୋଇ ପଡ଼ିଥିବାବେଳେ ଏଥିରେ ପରଦା ଢାଙ୍କିବା ପାଇଁ ଏଭଳି ମହିଳା ସମାବେଶ ଆୟୋଜନ କରାଯାଇଛି। ନିମାପଡ଼ା ନିର୍ବାଚନମଣ୍ଡଳୀ ବାହାରେ ଅନ୍ୟ କୌଣସିଠାରେ ବିଜେଡି ମହିଳା ସମାବେଶ କରିପାରିଥାନ୍ତା। କିନ୍ତୁ ସେଭଳି ନ କରି ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ନେଇ ଏଭଳି ସଭା କରିବା ଆଦୌ ଗ୍ରହଣୀୟ ନୁହେଁ। ଏହା ବିରୋଧରେ ଗତକାଲି ବିଜେପି ବି ଜିଲ୍ଲାପାଳଙ୍କୁ ବି ଫେରାଦ ହୋଇଥିଲା। ଏଥି ସହ ମହିଳା ସମାବେଶ ବିରୋଧରେ ଶହେ ଜାଗାରେ କୁଶପୁତ୍ତଳିକା ଦାହ କରିବ ବୋଲି ଘୋଷଣା କରିଥିଲା।

publive-image

ପୂର୍ବ ଘୋଷଣା ମତେ ଶନିବାର ଦିନ ବିଜେଡି ଜନସମ୍ପର୍କ ପଦଯାତ୍ର ଅବସରରେ ନିମାପଡ଼ା ବାରବାଟୀ ପଡ଼ିଆରେ ମହିଳା ସମାବେଶର ଆୟୋଜନ କରିଥିଲା। ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶଙ୍କ ନେତୃତ୍ବରେ ଏହି ସମାବେଶରେ ୨୦ ହଜାରରୁ ଅଧିକ ମହିଳା ଯୋଗ ଦେଇଥିଲେ। ଏହି ଉପଲକ୍ଷେ ଆଜି ଅପରାହ୍ଣରେ ସ୍ଥାନୀୟ କଳେଜ ଛକ, ପାଟପୁରର ଦୋଳବେଦି ଛକ, ଗୋଲେଇ ଛକ ଓ ନୂଆ ବସଷ୍ଟାଣ୍ଡ ଛକରୁ ୪ଟି ବିରାଟ ଶେଭାଯାତ୍ରା ବାହାରି ନିମାପଡ଼ା ବାରବାଟୀ ପଡ଼ିଆରେ ସମବେତ ହୋଇଥିଲେ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀଙ୍କ ଏଭଳି ଶକ୍ତି ପ୍ରଦର୍ଶନ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସମାବେଶରେ ବିଜେଡିର ରାଜ୍ୟ ନେତାମାନେ ଯୋଗଦେଇ ଦଳର ସାଂଗଠନିକ କାର୍ଯ୍ୟ ଉପରେ ଗୁରୁମନ୍ତ୍ର ଦେଇଛନ୍ତି। ଏହି ମହା ସମାବେଶରେ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ନୟାଗଡ଼ର ବିଧାୟକ ଅରୁଣ କୁମାର ସାହୁ, ଜଗସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ବର ମହାନ୍ତି, ନିମାପଡ଼ା ବ୍ଲକ ବିଜେଡି ସଭାପତି ‌ଅଶୋକ ସାହୁ, ଜିଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟେଇ ପ୍ରମୁଖ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବଚ୍ଛ ଦୁର୍ନୀତିମୁକ୍ତ ଶାସନ ଉପରେ ଆଲୋକପାତ କରିଥିଲେ। ଲୋକମାନଙ୍କ ପାଇଁ ବହୁମୁଖୀ ଯୋଜନା ଫଳରେ ବିଜେଡି ଆଜି ଲୋକପ୍ରିୟ ଦଳ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ। ନିମାପଡ଼ାରେ ବିରୋଧୀ ଦଳର ପ୍ରତିବାଦକୁ ବିଜେଡିର ବରିଷ୍ଠ ନେତାମାନେ ନିନ୍ଦା କରିବା ସହ ବିଜେଡି ସରକାର ଗଠନର ୨୫ ବର୍ଷ ପୂର୍ତ୍ତି ପାଳନ ଏକ ସାମୂହିକ ଆନ୍ଦୋଳନ ବୋଲି ମତବ୍ୟକ୍ତ କରିଥିଲେ।

publive-image

ଅନ୍ୟ ପଟେ, ବିଜେଡିର ସମାବେଶକୁ ବିରୋଧ କରି ଶନିବାର ଦିନ ବିଜେପି ବିଭିନ୍ନ ସ୍ଥାନରେ ପ୍ରତିବାଦ ଜଣାଇଛି। ନିମାପଡ଼ା ନିର୍ବାଚନମଣ୍ଡଳୀରେ ଶହେଟି ସ୍ଥାନରେ ବିକ୍ଷୋଭ କରିବା ସହ ଗଣଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି। ବିଜେଡି ମହିଳାମାନଙ୍କୁ ସଭାସ୍ଥଳକୁ ଡାକିଆଣି ସୁରକ୍ଷାର ବାଟ ତିଆରୁଛି ବୋଲି ଅଭିଯୋଗ କରିଛନ୍ତି। ଜିଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞନ ଦାଶଙ୍କୁ ଦାୟୀ କରି ଇସ୍ତଫା ଦାବି କରିଛନ୍ତି। ଗଣଶିକ୍ଷା ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି। ବିଜେପି ପକ୍ଷରୁ ବହୁ ବରିଷ୍ଠ ନେତୃବୃନ୍ଦ ଏହି ପ୍ରତିବାଦରେ ସାମିଲ୍‌ ଥିଲେ।