ବାଲୁଗାଁ : ବାଲୁଗାଁ ଓ ବାଣପୁର ମଧ୍ୟ ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। ରାସ୍ତାକୁ ଠିକ୍ ଭାବରେ ନିର୍ମାଣ ନ କରି ମନଇଛା ଡ଼ିଭାଇଡ଼ର ଲଗାଇବା ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଫଳରେ ଗତ ସପ୍ତାହକ ମଧ୍ୟରେ ୧୭ଟି ଦୁର୍ଘଟଣା ଘଟି ସାରିଲାଣି। ଚିଲିକା ବ୍ଲକ୍ ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ସୁନାଖଳା ଛକଠାରେ ଦୁଇଟି ବଡ଼ ହମ୍ପ୍‌ସ ଥିବାରୁ ଭାରୀ ଯାନ ଚାଳକମାନେ ଏହା ଜାଣି ନ ପାରି ବାରମ୍ବାର ଦୁର୍ଘଟଣା ଘଟାଉଥିବା ନାଚୁଣୀ ଫାଣ୍ତି ଅଧିକାରୀ ଉମାକାନ୍ତ ସାହୁ କହିଛନ୍ତି। ତେବେ ଏହି ସପ୍ତାହରେ ୧୭ଟି ଦୁର୍ଘଟଣା ହୋଇ ବହୁ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି।

Advertisment

ଏହି ଘଟଣାରେ ଠିକାଦାରଙ୍କୁ ଯେତେ ତାଗିଦ୍‌ କଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ରାସ୍ତା ନିର୍ମାଣରେ ସହାୟତା କରୁ ନାହାଁନ୍ତି। ବିଭିନ୍ନ କାରଣରୁ ଠିକାଦାର ସଂସ୍ଥା ସ୍ଥାନୀୟ ଅଞ୍ଚଳର ଶ୍ରମିକମାନଙ୍କୁ ଉପେକ୍ଷା କରି ଅନ୍ୟ ରାଜ୍ୟରୁ ଶ୍ରମିକ ଆଣି ଏଠାରେ କାମରେ ଲଗାଇଛି। ଏହାକୁ ସ୍ଥାନୀୟ ଶ୍ରମିକମାନେ ବିରୋଧ କରିବାରୁ ଜାତୀୟ ରାଜପଥ ନିର୍ମାଣରେ ବାଧା ସୃଷ୍ଟି ହୋଇଛି। ଅପରପକ୍ଷେ ଠିକାଦାର ସଂସ୍ଥା ମନଇଚ୍ଛା ଡିଭାଇଡର୍‌ ଲଗାଇ ରାସ୍ତାକୁ ଅଲଗା କରୁଥିବା ବେଳେ ରାସ୍ତାରେ ଯାତାୟାତ କରିବା ସମସ୍ୟା ସୃଷ୍ଟି କରୁଛି ବୋଲି ସ୍ଥାନୀୟ ଅଞ୍ଚଳର ଲୋକେ ଅଭିଯୋଗ କରିଛନ୍ତି। ଜ‌ାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ନେଇଥିବା ଠିକା ସଂସ୍ଥା ଦୀର୍ଘ ୨ ବର୍ଷ ହେବ ଏହି ଦାୟିତ୍ବ ନେଇଥିବା ବେଳେ ମାତ୍ର ଶତକଡ଼ା ୨୦ ପ୍ରତିଶତ କାମ ଚାଲିଛି ଓ ତାହା ପୁଣି ଅଧାପନ୍ତରିଆ ଭାବେ ପଡ଼ିଥିବା ଦେଖିବାକୁ ମିଳୁଛି।