ଅସୁରକ୍ଷିତ ପୋଟେରୁ ପୋଲ!, ବର୍ଷା ହେଲେ ଯୋଗାଯୋଗ ବିଚ୍ଛିନ୍ନ

କାଲିମେଳା : କାଲିମେଳାରୁ ମାଲକାନଗିରି ୩୨୬ ନଂ ଜାତୀୟ ରାଜପଥରେ ପଡ଼ୁଥିବା ପୋଟେରୁ ପୋଲ ଏବେ ଅସୁରକ୍ଷିତ ହୋଇପଡ଼ିଛି। କାଲିମେଳା ବ୍ଳକ ଠାରୁ ମାତ୍ର ୧୫ କିମି ଦୂରରେ ରହିଥିବା ଏହି ପୋଲଟି ଯେକୌଣସି ମୂହୁର୍ତରେ ଭୂଶୁଡ଼ି ପଡ଼ିବାର ଆଶଙ୍କା ରହିଛି। ଡ଼ିଏନକେ ପ୍ରକଳ୍ପ ସମୟରେ ଏହି ପୋଲଟି ନିମାର୍ଣ ହୋଇଥିବାର ଅନୁମାନ କରାଯାଉଛି। ଏହି ପୋଲର ତଳଭାଗରୁ ସିମେଣ୍ଟ କଂକ୍ରିଟ ଛାଡ଼ି ଯିବା ସହିତ ଲୁହା ରଡ଼ ଦେଖାଗଲାଣି। ପୋଲର ସବୁ ପିଲର ଦୁର୍ବଳ ହୋଇଗଲାଣି। ଛାତରୁ ସିମେଣ୍ଟ ଖଣ୍ତ ଖସୁଥିବା ବେଳେ ପୋଲର ଉପର ଅଂଶ ମଧ୍ୟ ଖାଲଖମାରେ ଭର୍ତି ହୋଇଗଲାଣି।

Dailyhunt

ତେବେ ବାରମ୍ବାର ପୋଲର ଉପରି ଭାଗକୁ କଂକ୍ରିଟ କରାଯାଉଥିଲେ ମଧ୍ୟ ବନ୍ୟାରେ ତାହା ଧୋଇ ହୋଇଯାଉଛି। ପ୍ରତିବର୍ଷ ବନ୍ୟା ହେଲେ ପୋଟେରୁ ପୋଲ ଉପରେ ୫ରୁ ୧୦ଫୁଟ ବନ୍ୟାଜଳ ପ୍ରବାହିତ ହୋଇଥାଏ। ଏଥି ସହିତ ବନ୍ୟାଜଳ ପୋଲରେ ବାରମ୍ବାର ମାଡ଼ ହେଉଥିବାରୁ ପୋଲଟି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଏହି ପୋଲ ଦେଇ ଦୈନିକ ଭୁବନେଶ୍ବରରୁ କାଲିମେଳାକୁ ଅନେକ ଦ୍ରୁତଗାମୀ ବସ ଯିବା ଆସିବା କରୁଛି। ଏଥି ସହିତ କାଲିମେଳା ଓ ପଡ଼ିଆ ବ୍ଲକକୁ ଏହିବାଟ ଦେଇ ପିଡ଼ିଏସ ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟସାମଗ୍ରୀ ମଧ୍ୟ ଟ୍ରକ ଗୁଡ଼ିକରେ ଆସୁଛି। ଜୟପୁର ଠାରୁ ମୋଟୁ ଓ ପଡ଼ିଆ ବ୍ଲକ ଦେଇ ଛତିଶଗଡ଼, ଆନ୍ଧ୍ର ପ୍ରଦେଶକୁ ଏହି ରାସ୍ତାଦେଇ ଯିବାକୁ ପଡ଼ିଥାଏ।

Telegraph India

ଗତମାସରେ କାଲିମେଳା ବ୍ଲକରେ ୪ଥର ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଥିଲା। ବନ୍ୟା ଯୋଗୁଁ ଏହି ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ମାଲକାନଗିରିରୁ କାଲିମେଳାକୁ ଯୋଗାଯୋଗ ମଧ୍ୟ ବାରମ୍ବାର ବିଛିନ୍ନ ହୋଇଯାଇଥିଲା। ଏପରିକି ପୋଟେରୁ ଅବବାହିକାରେ ଥିବା ଗାଁ ଭିତରକୁ ମଧ୍ୟ ବନ୍ୟାଜଳ ପଶିଯାଇଥିଲା। ପୋଟେରୁ ବଜାର ଭିତରରେ ଥିବା କେତେକ ଦୋକାନରେ ମଧ୍ୟ ବନ୍ୟାଜଳ ପ୍ରବେଶ କରିଥିଲା। ପୂର୍ବରୁ ୨୫ନଂ ରାଜ୍ୟ ରାଜପଥର ମାନ୍ୟତା ପାଇଥିବା ଏହି ରାସ୍ତା ଏବେ ୩୨୬ନଂ ଜାତୀୟ ରାଜପଥ ମାନ୍ୟତା ପାଇସାରିଛି। ଜାତୀୟ ରାଜପଥର ମାନ୍ୟତା ପାଇଲା ପରେ ଏହି ପୋଲ ଉପରେ ଦୁଇଥର ସିମେଣ୍ଟ କଂକ୍ରିଟ କରାଯାଇସାରିଲାଣି। ସେହିପରି ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ପୋଲର ଦୁଇପାର୍ଶ୍ବରେ “ଦୁର୍ବଳ ପୋଲ ଗାଡ଼ି ଧୀରେ ଚଲାନ୍ତୁ” ବୋଲି ଲେଖାଯାଇଥିବାର ଦେଖିବାକୁ ମିଳିଛି। ଗତ ମାସରେ ହୋଇଥିବା ବନ୍ୟାରେ ପୋଲ ଉପରେ ୧୦ଫୁଟର ବନ୍ୟାଜଳ ପ୍ରବାହିତ ହୋଇଥିବାବେଳେ ଜିଲ୍ଲାପାଳ ନିଜେ ଏହି ସ୍ଥାନକୁ ଆସି ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ। ଖୁବଶୀଘ୍ର ଏଠାରେ ନୂତନ ପୋଲ ନିମାର୍ଣ କରାଯିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ସେତେବେଳେ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ତେବେ କିଛି ଅଘଟଣ ଘଟିବା ପୂର୍ବରୁ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର