ଗଞ୍ଜାମରେ ୯୦ରେ ପହଞ୍ଚିଲା ଡେଙ୍ଗୁ: ଏମ୍‌କେସିଜିରେ ପ୍ଲେ‌ଟ୍‌ଲେଟ୍‌ ଅଭାବ, ନେଗେଟିଭ୍‌ ଗ୍ରୁପ୍‌ ଖାଲି

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଡେଙ୍ଗୁ ମାଡ଼ି ଚାଲିଛି। ଆଜି ଗୋଟିଏ ଦିନରେ ୫ଜଣ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ଆଜି ଡେଙ୍ଗୁ ପଜିଟିଭ୍‌ ସଂଖ୍ୟା ୯୦ରେ ପହଞ୍ଚିଛି। ଡେଙ୍ଗୁ ପଜିଟିଭ୍‌ ହୋଇ ଗୁରୁତର ହେଉଥିବା ରୋଗୀଙ୍କ ପ୍ଲେଟଲେଟ୍‌ କମି ଯାଇଥାଏ। ଏଣୁ ସେମାନଙ୍କୁ ପ୍ଲେଟଲେଟ୍‌ (ରକ୍ତର ଏକ ଅଂଶ) ଦିଆ ଯାଇଥାଏ। ହେଲେ ଏମ୍‌କେସିଜି ପରିସରରେ ଥିବା ରକ୍ତଭଣ୍ଡାରେ ପ୍ଲେଟଲେଟ୍‌ ଅଭାବ ପରିଲକ୍ଷିତ ହୋଇଛି। ଏପରିକି ନେଗେଟିଭ୍‌ ଗ୍ରୁପ୍‌ ଖାଲି ହୋଇଯାଇଛି। ଫଳରେ ନେଗେଟିଭ୍‌ ଗ୍ରୁପ୍‌ ଥିବା ରୋଗୀଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଗଞ୍ଜାମ ଜିଲ୍ଲା ସାରା ଡେଙ୍ଗୁ ମାଡ଼ି ସାରିଲାଣି। ଆନ୍ଧ୍ର ସୀମାନ୍ତ ପାତ୍ରପୁର ବ୍ଲକ୍‌ରେ ସ୍ଥିତି ଅସମ୍ଭାଳ ହୋଇ ପଡ଼ିଛି। ଆଜି ପଜିଟିଭ୍‌ ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରୁ ଦୁଇଜଣ ପାତ୍ରପୁରରୁ ଚିହ୍ନଟ ହୋଇଛନ୍ତି। ସେହିପରି ଆସିକା, ବେଲଗୁଣ୍ଠା ଓ ଖଣ୍ଡଦେଉଳିରୁ ଜଣେ ଲେଖାଏଁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ଚିହ୍ନଟ ହୋଇଥିବା ମୋଟ ୯୦ ପଜିଟିଭ୍‌ ମଧ୍ୟରୁ ୪୭ଜଣ ବାହାର ଜିଲ୍ଲା ଓ ଅନ୍ୟ ରାଜ୍ୟରୁ ଆସିଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ବର୍ତ୍ତମାନ ବର୍ଷା ଲାଗି ରହିଥିବାରୁ ଖାଲୁଆ ସ୍ଥାନରେ ପାଣି ଜମି ରହୁଛି। ଦୀର୍ଘଦିନ ଧରି ସେଠାରେ ପାଣି ଜମି ରହିବା ଫଳରେ ଡେଙ୍ଗୁର ବାହାକ ଏଡିସ୍‌ ମଶା ସୃଷ୍ଟି ହୋଇ ରୋଗର କାରଣ ସାଜୁଛି। ଏଣୁ ଡେଙ୍ଗୁ ଚିହ୍ନଟ ହେଉଥିବା ଅଞ୍ଚଳକୁ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ଯାଇ ମଶା ଲାର୍ଭା ସୃଷ୍ଟି ହେଉଥିବା ସ୍ଥାନ ଚିହ୍ନଟ କରି ନଷ୍ଟ କରାଯାଉଛି।

ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍‌କେସିଜିର କାଜୁଆଲଟି ପ୍ରଥମ ମହଲରେ ସ୍ବତନ୍ତ୍ର ୱାର୍ଡ଼ ବ୍ୟବସ୍ଥା କରାଯାଇଛି। ସେଠାରେ ପ୍ରାୟ ୧୧/୧୨ଜଣ ରୋଗୀ ଚିକିତ୍ସାଧୀନ ରହିଛନ୍ତି। ସାଧାରଣତଃ ଡେଙ୍ଗୁ ଜ୍ବରରେ ପୀଡ଼ିତ ହେଉଥିବା ୯୫ ପ୍ରତିଶତ ରୋଗୀ ମେଡିସିନ୍‌ରେ ସୁସ୍ଥ ହୋଇ ଯାଇଥାନ୍ତି। ପ୍ଲେଟ୍‌ଲେଟ୍‌ କମିଲେ ରୋଗୀଙ୍କୁ ପ୍ଲେଟ୍‌ଲେଟ୍‌ ଦେବାକୁ ପଡ଼ିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏମ୍‌କେସିଜି ପରିସରରେ ଥିବା ରକ୍ତଭଣ୍ଡାରରେ ୨୪ଘଣ୍ଟିଆ ରକ୍ତ ଓ ପ୍ଲେଟ୍‌ଲେଟ୍‌ ପ୍ରଦାନ କରିବା ବ୍ୟବସ୍ଥା କରାଯାଇଛି। କିନ୍ତୁ ନେଗେଟିଭ୍‌ ଗ୍ରୁପ୍‌ ପ୍ଲେଟ୍‌ଲେଟ୍‌ ଖାଲି ହୋଇଯାଉଥିବାରୁ ସମସ୍ୟା ଦେଖା ଦେଇଛି।
ଗତବର୍ଷ ୨୦୨୧ରେ ଗଞ୍ଜାମ ଜିଲ୍ଲାରେ ମୋଟ ୩୩୩ ଜଣ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। କିନ୍ତୁ ୨୦୨୦ରେ ମାତ୍ର ୯ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗର ସୂତ୍ରରୁ ପ୍ରକାଶ। ସେହିପରି ୨୦୧୯ରେ ୩୦୭ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨୦୧୮ରେ ୧୫୫ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଚଳିତ ବର୍ଷ ୯୦ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇ ସାରିଲେଣି।
ରକ୍ତଭଣ୍ଡାର ପ୍ଲେଟ୍‌ଲେଟ୍‌ ଗ୍ରୁପ୍‌
ପଜିଟିଭ୍‌ ନେଗେଟିଭ୍‌
ଏ+୧ ଏ-୦
ବି+୧୪ ବି-୦
ଏବି+୨ ଏବି-୦
ଓ+୧୮ ଓ-୦

ସମ୍ବନ୍ଧିତ ଖବର