ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମ୍ୟାଲେରିଆଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ବିଭାଗ କହୁଛି ଜିଲ୍ଲାରେ ଗତବର୍ଷ ତୁଳନାରେ କମିଛି। କିନ୍ତୁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଛି। ଡେଙ୍ଗୁ ରୋଗୀଙ୍କ ପାଇଁ ପ୍ଲେଟଲେଟ ମିଳୁନଥିବାରୁ ଉପଯୁକ୍ତ ଚିକିତ୍ସା କରାଯାଇପାରୁନଥିବା ସାଧାରଣରେ ଅଭିଯୋଗ ହେଉଛି। ଜିଲ୍ଲାରେ ସାତ ମହଲା ବିଶିଷ୍ଟ ଡାକ୍ତରଖାନା କରାଯାଇଛି ସତ କିନ୍ତୁ ଏହି ଡାକ୍ତରଖାନାରେ ସେଭଳି ଉପକରଣ ନଥିବାରୁ ରୋଗୀ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି।
ଜିଲ୍ଲାର ସାତୋଟି ବ୍ଲକରେ ଗତ ୬ ମାସ ମଧ୍ୟରେ ୭୭୮ ରୋଗୀଙ୍କର ରକ୍ତ ନମୂନା ପରୀକ୍ଷା କରାଯାଇଥିବା ପରେ ସେଥିରୁ ୧୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥଲେ।ସେହିପରି ଗତ ୬ ମାସ ମଧ୍ୟରେ ୧୫୯୫୫୧ ଜଣ ରୋଗୀଙ୍କର ରକ୍ତ ନମୁନା ପରୀକ୍ଷା କରିବା ପରେ ସେଥିରୁ ୧୮୯୦ ଜଣ ରୋଗୀ ମ୍ୟାଲେରିଆ ଆକ୍ରାନ୍ତ ବୋଲି ଜଣାପଡିଥିଲା। ଯଦି ଗତ ଦୁଇ ବର୍ଷର ରିପୋର୍ଟ ଦେଖିବା
ତେବେ ୨୦୨୨ରେ ୪୮୧୬ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୨୩ରେ ୩୮୮୮ ଜଣ ରୋଗୀ ଚିହ୍ନଟ ହୋଇଥିଲେ। ଏବେ ବର୍ଷା ଋତୁ ଆସିଥିବା ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବ ବୋଲି କୁହାଯାଇଛି। ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁ ରୋଗୀଙ୍କ ପାଇଁ ଉପଯୁକ୍ତ ଚିକିତ୍ସାର କୌଣସି ବ୍ୟବସ୍ଥା ନଥିବାରୁ ରୋଗୀ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଛି।ଆଜି ପର୍ଯ୍ୟନ୍ତ ଡେଙ୍ଗୁ ରୋଗୀଙ୍କ ପାଇଁ ଚିକିତ୍ସା ଉପକରଣର ବ୍ୟବସ୍ଥା କରାଯାଇ ପାରିଲା ନାହିଁ।ବାରମ୍ବାର ଏନେଇ ବିଭିନ୍ନ ସଂଗଠନ,ରାଜନୈତିକ ଦଳମାନେ ଦାବି କରିଆସୁଥିଲେ ମଧ୍ୟ ତତ୍କାଳୀନ ସରକାର ଏନେଇ କୌଣସି ପଦକ୍ଷେପ ନେଇନଥିଲେ।
ରାଜ୍ୟର ୩୦ ନମ୍ବର ଜିଲ୍ଲା ବୋଲି ବାୟୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ। ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ତୁରନ୍ତ ସେମାନଙ୍କୁ କୋରାପୁଟ ନଚେତ ପଡୋଶୀ ଆନ୍ଧ୍ର, ତେଲେଙ୍ଗାନାକୁ ଯିବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି। ଅନ୍ୟଦିଗରେ କୋରାପୁଟ ମେଡିକାଲରେ ମଧ୍ୟ ପ୍ଲେଟଲେଟ ସହଜରେ ମିଳୁନାହିଁ। ତେଣୁ ଗରିବ ଶ୍ରେଣୀର ରୋଗୀ ବହୁ ହଇରାଣ ହେଉଛନ୍ତି। ଜିଲ୍ଲାରେ ଏଡିସ ମଶାଙ୍କ ସଂଖ୍ୟା ମଧ୍ୟ ଅଧିକ। ଯଦ୍ବାରା ଡେଙ୍ଗୁ ଚିହ୍ନଟ ହେଉଛନ୍ତି।ସାଧାରଣ ଲୋକଙ୍କ ଦେହରେ ୨୦ ହଜାର ପ୍ଲେଟଲେଟ ରହିବା ଆବଶ୍ୟକ। ଏଥିରୁ କମିଲେ ରୋଗୀଙ୍କ ଅବସ୍ଥା ସାଂଘାତିକ ହୋଇଯାଏ। ଏପରିକି ମୃତ୍ୟୁବରଣ ମଧ୍ୟ କରିଥାନ୍ତି। ରକ୍ତରୁ ପ୍ଲେଟଲେଟ ବାହାରୁଥିବା ଯନ୍ତ୍ରାଂଶ ଥିଲେ ଡେଙ୍ଗୁ ଏବଂ ଥାଲସେମିଆ ରୋଗୀ ଭଲ ହୋଇପାରନ୍ତେ ବୋଲି କୁହାଯାଇଛି। ନୂତନ ସରକାର ଆସିବା ପରେ ପୁଣି ମେଡିକାଲର ଭାଗ୍ୟ ବଦଳିବ ବୋଲି ଆଶା ପ୍ରକଟ କରାଯାଇଛି।