ପୂର୍ବ ଭୁଲ୍‌ରୁ ଶିଖିଲେନି! ତାଣ୍ଡବ ରଚାଇଲାଣି ଡେଙ୍ଗୁ

ଗତ ଦୁଇ ମାସରେ ୧୩୮ ଜଣ ସଂକ୍ରମିତ

ରାଉରକେଲା: ରାଉରକେଲା ପ୍ରଶାସନ ପୂର୍ବ ବର୍ଷ ଯେଉଁ ଭୁଲ୍‌ କରିଥିଲେ, ଚଳିତ ବର୍ଷ ତା’ର ପୁନରାବୃତ୍ତି କରିଛନ୍ତି। ଜିଲ୍ଲାରେ, ବିଶେଷକରି ସ୍ମାର୍ଟସିଟିରେ ଡେଙ୍ଗୁ ସଂକ୍ରମଣକୁ ପ୍ରତିହତ କରିବାରେ ରାଉରକେଲା ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଗତକାଲି(ଶୁକ୍ରବାର) ସୁଦ୍ଧା ଜିଲ୍ଲାରୁ ଚିହ୍ନଟ ଡେଙ୍ଗୁ ରୋଗୀ ସଂଖ୍ୟା ମଧ୍ୟରୁ ୮୮% ହେଉଛନ୍ତି ରାଉରକେଲା ସହରର। ସଂପ୍ରତି ସହରରେ ଡେଙ୍ଗୁ ତାଣ୍ଡବ ଆରମ୍ଭ କରିଦେଇଥିବାବେଳେ ଏଥିରେ ଅଙ୍କୁଶ ଲଗାଇବାକୁ କିନ୍ତୁ ପ୍ରଶାସନର ଠୋସ୍‌ ପଦକ୍ଷେପ ବି ଦେଖିବାକୁ ମିଳୁନି। ଚିରାଚରିତ ଅବହେଳାକୁ ତର୍ଜମାକଲେ ପୂର୍ବ ବର୍ଷ ଭୁଲ୍‌ରୁ ଯେ ପ୍ରଶାସନ କୌଣସି ଶିକ୍ଷା ଲାଭ କରିନାହାନ୍ତି; ତାହା ସ୍ପଷ୍ଟ ଜଣାପଡ଼େ।

ଶୁକ୍ରବାର ସୁଦ୍ଧା ଜିଲ୍ଲାରେ ମୋଟ୍‌ ୧୪୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୨୫ ଜଣ ହେଉଛନ୍ତି ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି), ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି), ରେଲୱେ କଲୋନି ଅଞ୍ଚଳର। ଆର୍‌ଏସ୍‌ପି ସହରାଞ୍ଚଳ ଓ ସନ୍ନିକଟସ୍ଥ ବସ୍ତି ଅଞ୍ଚଳରୁ ସର୍ବାଧିକ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆର୍‌ଏମ୍‌ସି ଅଞ୍ଚଳରୁ ୩୯ ଜଣ, ରେଲୱେ କଲୋନି ଅଞ୍ଚଳରୁ ଜଣେ ଓ ସହରର ଅନ୍ୟାନ୍ୟ ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି। ଅନ୍ୟ ୧୭ ଜଣଙ୍କ ମଧ୍ୟରୁ ବିରକେରାର ୪ ଜଣ ଆକ୍ରାନ୍ତ ଥିବାବେଳେ ବିଶ୍ରାର ୩ ଜଣ, ଗୁରୁଣ୍ଡିଆର ୧, ହାତିବାରୀର ୨ ଜଣ, କୁଆରମୁଣ୍ଡାର ୧, ଲାଇଙ୍ଗ୍‌ର ୧, ମଝାପଡ଼ାର ୨ ଜଣ, ସବଡେଗାର ୧ ଓ ସୁନ୍ଦରଗଡ଼ ପୌରାଞ୍ଚଳରୁ ୨ ଜଣ ଚିହ୍ନଟ ହୋଇଛନ୍ତି।

ସଂକ୍ରମଣ ରୋକିବାକୁ ଆର୍‌ଏମ୍‌ସି, ଆର୍‌ଏସ୍‌ପି) ରେଳବାଇ, ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିସନ(ଏନ୍‌ୟୁଏଚ୍‌ଏମ୍‌) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯେଭଳି ପ୍ରତିଷେଧାତ୍ମକ ପଦକ୍ଷେପ ନିଆଯିବା କଥା, ତାହା ଦେଖିବାକୁ ମିଳୁନି। ଉଲ୍ଲେଖଯୋଗ୍ୟ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିବର୍ଷ ଜାନୁଆରୀ-ଡିସେମ୍ବର ଭିତରେ ଡେଙ୍ଗୁ ପରିସଂଖ୍ୟାନ ରେକର୍ଡଭୁକ୍ତ କରାଯାଇଥାଏ। ଚଳିତବର୍ଷ ପହିଲାରୁ, ଅର୍ଥାତ୍‌ ଜାନୁଆରୀ ମାସରେ ପ୍ରଥମଥର ପାଇଁ ୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଜୁନ ୨୭ ଓ ଜୁଲାଇ ୨୯ରେ ଆଉ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଅତଏବ, ଜୁଲାଇ ଶେଷ ସୁଦ୍ଧା ମୋଟ୍‌ ସଂଖ୍ୟା ୪ରେ ସୀମିତ ଥିଲା। ତେବେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସଂକ୍ରମଣ ହୁଃ ହୁଃ ହୋଇ ବଢ଼ିବାରେ ଲାଗିଛି।

ବିଶେଷକରି ଚଳିତ ସେମପ୍ଟମ୍ବର ମାସରେ ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି। ସଂକ୍ରମଣ ବିଶେଷକରି ଜୁଲାଇ-ନଭେମ୍ବର ମାସରେ ସର୍ବାଧିକ ରହିଥାଏ। ଗତବର୍ଷ ମଧ୍ୟ ସମାନ ଚିତ୍ର ପରିଲକ୍ଷିତ ହୋଇଥିଲା। ଗତବର୍ଷ ସେପ୍ଟେମ୍ବର-ଅକ୍ଟୋବର ମାସରେ ଡେଙ୍ଗୁ ସହରରେ ଆତଙ୍କ ଖେଳାଇଥିଲା। ୨୦୨୧ ଅଗଷ୍ଟ ଶେଷ ସୁଦ୍ଧା ଜିଲ୍ଲାରେ ମାତ୍ର ୪୮୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ସେପ୍ଟେମ୍ବର ୧ରୁ ଅକ୍ଟୋବର ୫ ତାରିଖ, ମାତ୍ର ୩୫ ଦିନ ଭିତରେ ସଂଖ୍ୟା ୧୧୦୨ରେ ପହଞ୍ଚିଥିଲା। ଗତବର୍ଷ ଜିଲ୍ଲାରୁ ମୋଟ୍‌ ୧୭୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ରାଉରକେଲାର ଥିଲେ। ତେବେ ସର୍ବାଧିକ ଆକ୍ରାନ୍ତ ଆର୍‌ଏସ୍‌ପି, ରେଲୱେ କଲୋନି ଆଦି ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର