ରାଉରକେଲା: ସହରରେ ପୂର୍ବାପେକ୍ଷା ଡେଙ୍ଗୁ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଯେତିକି ବି ରୋଗୀ ଡେଙ୍ଗୁ ପରୀକ୍ଷା କରିବାକୁ ଆର୍ଜିଏଚ୍ ଆସୁଛନ୍ତି। କିଟ୍ ନଥିବାରୁ ଫେରି ଯାଉଛନ୍ତି। ଦିନେ କି ଦୁଇ ଦିନ ନୁହେଁ ମାସ ମାସ ଧରି ଏଭଳି ସମସ୍ୟା ଲାଗି ରହୁଛି। ସମସ୍ୟା କିପରି ସମାଧାନ ହେବ, ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଦେଉନଥିବା ରୋଗୀମାନେ ଅଭିଯୋଗ କରିଛନ୍ତି। ଗତ ମାସକ ତଳେ ଏଭଳି ସମସ୍ୟା ଉପୁଜିଥିଲା। ରୋଗୀମାନେ ପାଟିତୁଣ୍ଡ କରିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଚେତା ପଶିଥିଲେ। ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଚିଠି ଲେଖିବା ପରେ କିଟ୍ ଆସିଥିଲା। ଯେତିକି କିଟ୍ ଆସିଲା, ତାହା କିଛି ଦିନ ମଧ୍ୟରେ ଶେଷ ହୋଇଗଲା।
ଏବେ ପ୍ରାୟ ୧୫ଦିନରୁ ଅଧିକ ହେବ କିଟ୍ ନଥିବାରୁ ଦୈନିକ ୧୦ରୁ ୨୦ ରୋଗୀ ଡାକ୍ତରଖାନା ଆସି ଫେରି ଯିବାକୁ ବାଧ୍ୟ ହେଉଛନ୍ତି। ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ପଚାରିବାରୁ ସେ ଏ ସଂକ୍ରାନ୍ତରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରୁ ନାହାନ୍ତି। ଓଲଟା କିଟ୍ ଆସିଲେ, ଆସନ୍ତୁ ବୋଲି ଉତ୍ତର ରଖୁଛନ୍ତି। ଯାହାକୁ କେନ୍ଦ୍ର କରି ପରୀକ୍ଷା କେନ୍ଦ୍ରରେ ଅଧିକାଂଶ ସମୟରେ କର୍ମଚାରୀ ଓ ରୋଗୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଛି। କିଟ୍ ନଥିବାରୁ ଭରପୁର ଫାଇଦା ଉଠାଉଛନ୍ତି ଘରୋଇ କ୍ଲିନିକ୍, ପାଥୋଲାବ। ପାଖରେ ଟଙ୍କା ନଥିବାରୁ କିଛି ଗରିବ ରୋଗୀ ଘରୁ ଫେରିଯିବାକୁ ବାଧ୍ୟ ହେଉଛନ୍ତି। ଆଉ କିଛି ଲୋକ ଧାର ଉଧାର କରି ଘରୋଇ ହସ୍ପିଟାଲ, କ୍ଲିନିକ୍ ରେ ଡେଙ୍ଗୁ ପରୀକ୍ଷା କରିବାକୁ ବାଧ୍ୟ ହେଉଛନ୍ତି।
ମୁଖ୍ୟ କଥା ହେଉଛି ସମସ୍ତ ସରକାରୀ ଡ଼ାକ୍ତରଖାନାରେ ଡ଼େଙ୍ଗୁ ପରୀକ୍ଷା ସମ୍ପୂର୍ଣ୍ଣ ମାଗଣା ବ୍ୟବସ୍ଥା ରହିଛି। କିନ୍ତୁ ଘରୋଇ କ୍ଲିନିକ୍ ରେ ଡେଙ୍ଗୁ ପରୀକ୍ଷା ପାଇଁ ୭ ଶହ ଟଙ୍କାରୁ ୧୮ ଶହ ଟଙ୍କା ନେଉଛନ୍ତି। ଯାହାଫଳରେ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରୋଗୀ ଅଙ୍କିତ କୁମାର ଶ୍ରୀବାସ୍ତବ କୁହନ୍ତି ଯେ, ସାମାନ୍ୟ ଜ୍ବର ହୋଇଥିଲା। ମ୍ୟାଲେରିଆ, ପେଟିଲେଟ୍ ଓ ପରୀକ୍ଷା କରିବା ପାଇଁ ଡ଼ାକ୍ତର ପରାମର୍ଶ ଦେଲେ। ଦୁଇଟି ଟେଷ୍ଟ କରିବା ପରେ ଡେଙ୍ଗୁ ଟେଷ୍ଟ କରିବା ପାଇଁ ୧୮ ଦିନ ହେବ ଆସୁଛି କିନ୍ତୁ କିଟ୍ ନଥିବାରୁ ମନାକରୁଛନ୍ତି। ଘରୋଇ କ୍ଲିନକ୍ ରେ ଟେଷ୍ଟ କରିବା ପାଇଁ କହୁଛନ୍ତି । ସରକାର ବିନା ମୂଲ୍ୟରେ ଟେଷ୍ଟ ସୁବିଧା ଥିବା ବଳେ ଘରୋଇ କ୍ଲିନକ୍ ରେ ଟେଷ୍ଟ କରିଲେ ୧୮ ଶହ ଟଙ୍କା ନେଉଛନ୍ତି । ମୋରି ଭଳି ଅନେକ ରୋଗୀ ଅଛନ୍ତି। ଟେଷ୍ଟ କରିବା ପାଇଁ ଅପେକ୍ଷା କରିଛନ୍ତି । କେବେ ଆସିବ ସଠିକ୍ ଖବର ମଧ୍ୟ ନାହିଁ। କେବଳ ଅଙ୍କିତ ଶ୍ରୀବାସ୍ତବ ନୁହେଁ, ଦୈନିକ ଏମିତି ୧୦ରୁ ଅଧିକ ରୋଗୀ ଡାକ୍ତରଖାନା ଆସି ଫେରିଯାଉଛନ୍ତି।