ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲାର ସଦର ମହକୁମା ଖୋର୍ଦ୍ଧା ପୌର ପରିଷଦ, କିନ୍ତୁ ଆଜି ବି ଅନେକ ଜନବସତି, ସାହିରେ ନାଳ ନାହିଁ । ଏହାଠାରୁ ଆହୁରି ଆଶ୍ଚର୍ଯ୍ୟଜନକ, ଘର ଆଗରେ, ରାସ୍ତା ଉପରେ ନାଳ ପାଣି ବର୍ଷେ ନୁହେଁ କି ଦୁଇ ବର୍ଷ ୪-୫ ବର୍ଷ ଧରି ଜମି ରହୁଛି, କିନ୍ତୁ ଏନେଇ ପୌର ପରିଷଦ ନିକଟରେ ସୂଚନା ନାହିଁ । ବର୍ତ୍ତମାନ ଭୁବନେଶ୍ୱର ସମେତ ଗ୍ରାମାଂଚଳର କେତେକ ସ୍ଥାନରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପାଇବା ପରେ ପୌର ପ୍ରଶାସନ ପକ୍ଷରୁ ଜମି ରହିଥିବା ନାଳ ପାଣି ଉପରେ ମଶାମରା ଔଷଧ ସିଂଚନ କରି ନିଜ ଦାୟିତ୍ୱ ଖସାଇ ଦେଇଛି ।

Advertisment

ଖୋର୍ଦ୍ଧା ସହରର ହାଉସିଂବୋର୍ଡ କଲୋନୀ, ୫ ନମ୍ବର ୱାର୍ଡ କଂଟାଛକ ନିକଟବର୍ତୀ ଜନବସତି, ଠେଙ୍ଗାହାଟ, ମୁଖ୍ୟ ସଡ଼କର ନୂଆ ବସ୍ଷ୍ଟାଣ୍ଡ ଠାରୁ ପରିବା ବଜାର ଆଦି ଅନେକ ଅଂଚଳରେ ନାଳ ନାହିଁ । ଅନେକ ସ୍ଥାନର ଅବସ୍ଥା ନକହିବା ଭଲ ୫ ନମ୍ବର ୱାର୍ଡ଼ ବାସିନ୍ଦାଙ୍କ କହିବା କଥା ତାଙ୍କ ସାହିରେ ନାଳ ରହିଛି, କିନ୍ତୁ ଏହା ବର୍ଷ ବର୍ଷ ଧରି ସଫା ହେଉନାହିଁ । ଅଭିଯୋଗ କରିବା ପରେ ମଧ୍ୟ ପୌର ପ୍ରଶାସନ କିମ୍ବା ସ୍ଥାନୀୟ କାଉନ୍ସିଲର ଏଥିପ୍ରତି କୌଣସି ପଦକ୍ଷେପ ନେଉନାହାନ୍ତି । ବର୍ତମାନ ଭୁବନେଶ୍ୱର ଓ ଉପକଣ୍ଠ ବ୍ଲକରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପାଇବା ପରେ ଖୋର୍ଦ୍ଧା ସ୍ୱାସ୍ଥ୍ୟ ବିଭାଗ ଓ ପୌର ପ୍ରଶାସନ ପକ୍ଷରୁ ଜମି ରହିଥିବା ନାଳ ପାଣି ଉପରେ ମଶାମରା ଔଷଧ ସିଂଚନ କରି ନିଜ ଦାୟିତ୍ୱ ନିର୍ବାହ କରିଛନ୍ତି ।

ଏନେଇ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଜୀବନ୍ତ କୁମାର ଆଚାର୍ଯ୍ୟ କହିଛନ୍ତି ଯେ ଭୁବନେଶ୍ୱରରେ ୧୦୦ ଡେଙ୍ଗୁ ମାମଲା ରେକର୍ଡ ହୋଇଛି । ଏହା ମଧ୍ୟରୁ ୭୩ଟି ଭୁବନେଶ୍ୱର ମହାନଗର ନିଗମ ଅଂଚଳର ହୋଇଥିବା ବେଳେ ୨୭ଟି ଗ୍ରାମାଂଚଳରୁ ଆସିଛି । ତେବେ ଅନେକ ମାମଲା ଏଭଳି ରହିଛି ଯାହାର "ଉଦ୍ଗମ ସ୍ଥାନ'କୁ ଚିହ୍ନଟ କରାଯାଇପାରିନାହିଁ । ଜିଲ୍ଲାର ସଦର ମହକୁମା ଖୋର୍ଦ୍ଧା ଓ ଭୁବନେଶ୍ୱର ମଧ୍ୟରେ ଦୈନିକ ସହସ୍ରାଧିକ ବ୍ୟକ୍ତି ସରକାରୀ, ଶିକ୍ଷା, ବ୍ୟବସାୟ ଆଦି କାର୍ଯ୍ୟପାଇଁ ନିୟମିତ ଯାତାୟତ କରୁଛନ୍ତି । ଏଭଳି ସ୍ଥଳେ ଖୋର୍ଦ୍ଧା ଡେଙ୍ଗୁ ସଂକ୍ରମଣ ବ୍ୟାପିବା କ୍ଷେତ୍ରରେ ଏକ ସମ୍ବେଦନଶୀଳ ଅଂଚଳ ହୋଇରହିଛି । ଏନେଇ ଡା ଆଚାର୍ଯ୍ୟ କହିଛନ୍ତି ଯେ ମଶାମରା ଔଷଧ ସିଂଚନ କରିବା ଓ ସଚେତନତା ସୃଷ୍ଟି କରିବାକୁ ସ୍ୱାସ୍ଥ୍ୟାବିଭାଗ ନିକଟରେ ଆବଶ୍ୟକ କର୍ମଚାରୀ ନାହାନ୍ତି । ତଥାପି ଯେଉଁଠି ପାଣି ଜମିରହୁଛି ସେଠାରେ ମଶାମରା ଔଷଧ ପକାଯାଉଛି, ଲଟାବୁଦା ଆଦି କଟାଯାଉଛି, ୫ଟି ମଶାଧୂଆଁ ଗାଡ଼ି ଦ୍ୱାରା ଧୂଆଁ ଛଡ଼ାଯାଉଛି । ଯଦି ଅଧିକ କର୍ମଚାରୀ ଯୋଗାଇଦିଅନ୍ତା ତେବେ ଏହି କାମକୁ ତ୍ୱରାନ୍ୱିତ କରାଯାଇପାରନ୍ତା ।

ଅପରପକ୍ଷରେ, ଖୋର୍ଦ୍ଧା ସହରର ନାଳନର୍ଦ୍ଦମାର ଦୟନୀୟ ସ୍ଥିତିରେ ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତିଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ୍ ନଉଠାଇବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଏନେଇ ପୌର ନିର୍ବାହୀ ଅଧିକାରୀ ରିଜୱାନା କ୍ୱାକବ୍ କହିଛନ୍ତି ଯେ ସହରର କେତେକ ସ୍ଥାନରେ ନାଳ ନାହିଁ । ତଥାପି ଲଟାବୁଦା କାଟିବା, ମାଲାଥିଅନ (ଏକ ପ୍ରକାର କୀଟ ଓ ମଶାନାଶକ ରସାୟନ) ସିଂଚନ କରାଯାଉଛି । ଯେଉଁ ସ୍ଥାନରେ ନାଳ ନାହିଁ ସେନେଇ ଆକ୍ସନ ପ୍ଲାନ ପଠାଯାଇଛି । ସରକାରଙ୍କ ଅନୁମୋଦନ ହୋଇ ନିର୍ମାଣ ହେବାକୁ ସମୟ ଲାଗିବ ।