ରାଉରକେଲା: ସୁନ୍ଦରଗଡ଼ରେ ଏବେ ଡେଙ୍ଗୁ ଆତଙ୍କ। ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି। ଆଜି ସୁଦ୍ଧା ସୁନ୍ଦରଗଡ଼ରେ ମୋଟ ୬୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ କେବଳ ରାଉରକେଲା ସହରରେ ୫୭ ରୋଗୀ ଚିହ୍ନଟ ହୋଇଛନ୍ତି। ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ୭ରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

Advertisment

ବୀରମିତ୍ରପୁରରେ ୨ ଓ ଜିଲ୍ଲାର ଅନ୍ୟ ସ୍ଥାନରୁ ୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଭକ୍ତମୋହନ ସ୍ବାଇଁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଧିକାଂଶ ଆକ୍ରାନ୍ତ ସଂଖ୍ୟା ହେଉଛନ୍ତି ରାଉରକେଲା ଇସ୍ପାତ ସହରାଞ୍ଚଳର। ସର୍ବାଧିକ ଡେଙ୍ଗୁ ରୋଗୀ ସେକ୍ଟର-୧୪ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହି ଅଞ୍ଚଳକୁ ଡେଙ୍ଗୁ ହଟ୍‌ସ୍ପଟ ଭାବେ ଘୋଷଣା କରାଯାଇଛି। ରେଲୱେ କଲୋନି, ମାଲଗୋଦାମ, ବାଲୁଘାଟ, ଗୋପବନ୍ଧୁପାଲୀ, ଛେଣ୍ଡକଲୋନି ଓ ଅନ୍ୟ କିଛି ରୋଗୀ ଇସ୍ପାତ ସହରାଞ୍ଚଳର ବୋଲି ଜଣାପଡ଼ିଛି।

ବସ୍ତି ଓ କଲୋନିର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାରୁ ଦିନକୁ ଦିନ ସହରରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଡେଙ୍ଗୁରୋଗୀ ସହରବାସୀଙ୍କ ଚିନ୍ତା ବଢ଼ାଇଥିଲାବେଳେ ରାଉର‌କେଲା ମହାନଗର ନିଗମ (ଆର୍‌ଏମ୍‌ସି) ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ପର୍ଯ୍ୟନ୍ତ ସେମିତି କୌଣସି ପଦକ୍ଷେପ ନିଆଯାଇ ନାହିଁ। ଡେଙ୍ଗୁରୋଗୀ ଚିହ୍ନଟ ‌ହେବା ପରେ ମଧ୍ୟ ଆର୍‌ଏମ୍‌ସି ପରିମଳ ବିଭାଗ ପକ୍ଷରୁ କଲୋନି ଓ ବସ୍ତିରେ ମଶା ଧୂଆଁ ଛଡ଼ା ଯାଉନଥିବା କଲୋନିବାସୀ ଅଭିଯୋଗ କରିଛନ୍ତି।

ସହରର ପ୍ରମୁଖ ଡ୍ରେନ୍‌ ଠାରୁ ଆରମ୍ଭ କରି ଛୋଟ ଡ୍ରେନ୍‌ରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ପଡ଼ିଥିବାରୁ କେବଳ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉ ନାହିଁ, ଡେଙ୍ଗୁ ହେବାର ମଧ୍ୟ ସମ୍ଭାବନା ରହିଛି। ସେପଟେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ସେକ୍ଟର ଅଞ୍ଚଳରେ ସଫାସୁତୁରାକୁ ପ୍ରାଥମିକ ଦିଆଯାଉଛି। ଡେଙ୍ଗୁ ବ୍ୟାପିବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସ୍ଥିତି ଉପରେ ନଜର ରଖାଯାଇଛି। ଆବଶ୍ୟକ ଔଷଧ ସମସ୍ତ ଡାକ୍ତରଖାନାରେ ମହଜୁତ ରଖାଯାଇଛି। ଟେଷ୍ଟିଂକୁ ବୃଦ୍ଧି କରାଯାଇଛି ବୋଲି ଡାକ୍ତର ସ୍ବାଇଁ କହିଛନ୍ତି। ସହରରେ ବଢ଼ିଚାଲିଥିବା ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ରୋକିବାକୁ ଉଭୟ ଆର୍‌ଏମ୍‌ସି ଓ ଜିଲ୍ଲା ସ୍ବାସ୍ଥ୍ୟବିଭାଗ ଧ୍ୟାନ ଦେବାର ଆବଶ୍ୟକତା ରହିଛି।