ଢେଙ୍କାନାଳ : ଜିଲ୍ଲାରେ ଗତ ଦୁଇଦିନ ମଧ୍ୟରେ ୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନେ ସମସ୍ତେ ଯୁବକ । ଭୁବନେଶ୍ବର ଓ ପୁରୀରୁ ସେମାନେ ଜ୍ବରରେ ଆକ୍ରାନ୍ତ ହୋଇ ଘରକୁ ଆସିବା ପରେ ଡେଙ୍ଗୁ ରୋଗରେ ପୀଡ଼ିତ ଥିବା ଜଣାପଡିଛି। କରୋନା ସାଙ୍ଗକୁ ଜିଲ୍ଳାରେ ଡେଙ୍ଗୁର ଆବିର୍ଭାବ ସାଧାରଣରେ ଚିନ୍ତାର ବିଷୟ ହୋଇଛି।

Advertisment

ସୂଚନା ଅନୁଯାୟୀ, ଜିଲ୍ଳାରୁ ବହୁ ଲୋକ କଟକ, ଭୁବନେଶ୍ବର, ପୁରୀରେ କାର୍ଯ୍ୟ କରୁଥିବାବେଳେ ପ୍ରାୟତଃ ସେମାନେ ଯିବାଆସିବା କରିଥାନ୍ତି । କରୋନା ମହାମାରୀ ପାଇଁ ଜିଲ୍ଲା ବାହାରକୁ ଯାତାୟାତ କରୁଥିବା ଲୋକମାନେ ସତର୍କ ହୋଇ କୋଭିଡ୍ ନିୟମ ପାଳନ କରି ଯାଉଛନ୍ତି। ବର୍ତ୍ତମାନ ବାହାର ଜିଲ୍ଲାକୁ ଯାତାୟତ କରୁଥିବା ଲୋକମାନଙ୍କ ପାଇଁ ଡେଙ୍ଗୁ ଏକପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପୁରୀ ଓ ଭୁବନେଶ୍ବରରେ କାର୍ଯ୍ୟରତ ୩ଜଣ ଯୁବକ ଡେଙ୍ଗୁ ସଂକ୍ରମିତ ହୋଇ ଜିଲ୍ଲାକୁ ଫେରିବା ପରେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଓଡ଼ାପଡ଼ା ବ୍ଲକ ରାଣୀପାଳ ଅଞ୍ଚଳର ବୋଲି ଜଣାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଭୁବନେଶ୍ବର ଟଙ୍କପାଣି ରୋଡ୍‌ରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଛନ୍ତି। ସେ ଅସୁସ୍ଥ ହେବାରୁ ଘରକୁ ଚାଲିଆସିଥିଲେ। ପରେ ସେ ଜ୍ବରରେ ପୀଡ଼ିତ ହୋଇ ସୁସ୍ଥ ନ ହେବାରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ପରୀକ୍ଷା କରାଇଥିଲେ। ତାଙ୍କର ଡେଙ୍ଗୁ ପଜିଟିଭ୍ ଥିବା ଚିହ୍ନଟ ହୋଇଥିଲା। ଓଡ଼ାପଡ଼ା କାଶିଆଡ଼ିହ ଗ୍ରାମର ଜଣେ ବ୍ୟକ୍ତି ମଧ୍ୟ ପୁରୀ ରଥଯାତ୍ରାକୁ ଡ୍ୟୁଟିରେ ଯାଇ ଫେରିବା ପରେ ଡେଙ୍ଗୁରେ ଆକ୍ରାନ୍ତ ଥିବା ଜଣାପଡିଛି। ସେହିପରି ଭାପୁର ଶିମିଳିପାଟଣା ଗ୍ରାମର ଜଣେ ଯୁବକ ଭୁବନେଶ୍ବର ପଟିଆ ସ୍ଥିତ ଏକ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରୁଥିବା ବେଳେ ଗତ ଶୁକ୍ରବାର ଘରକୁ ଆସି ସେ ଜ୍ବରରେ ପୀଡ଼ିତ ହେଲେ। ଜ୍ବର ନ ଛାଡିବାରୁ ତାଙ୍କ ରକ୍ତ ପରୀକ୍ଷାରୁ ସେ ଡେଙ୍ଗୁ ଆକ୍ରାନ୍ତ ଥିବା ଜଣାପଡ଼ିଛି।

ପ୍ରକାଶ ଥାଉକି, ଢେଙ୍କାନାଳ ପାଇଁ ଡେଙ୍ଗୁ ରୋଗ ନୂଆ ନୁହଁ। ଗତ ୮ ବର୍ଷ ଧରି ଜିଲ୍ଲାରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଆସୁଛନ୍ତି। ୨୦୧୩ ମସିହାରେ ୪୧୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୧୪ରେ ୨୭୪ ଜଣ, ୨୦୧୫ରେ ୪୪ ଜଣ, ୨୦୧୬ରେ ୧୧୭ ଜଣ, ୨୦୧୭ରେ ୫୧ ଜଣ, ୨୦୧୮ରେ ୬୧ ଜଣ, ୨୦୧୯ରେ ୯୬ ଜଣ, ୨୦୨୦ ରେ ୫ ଜଣ, ୨୦୨୧ରେ ୪ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଗତ ୭ ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଥିବା ବେଳେ ଗତକାଲି ଓ ଆଜି ଆଉ ୩ ଜଣ ଚିହ୍ନଟ ହୋଇଛନ୍ତି। ତେବେ ଅଦ୍ୟାବଧି କୌଣସି ଡେଙ୍ଗୁ ରୋଗୀ ମୃତ୍ୟୁବରଣ କରିନଥିବା ବିଭାଗୀୟ ଅଧିକାରୀଙ୍କଠାରୁ ଜଣାଯାଇଛି।

ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତାରାଣୀ ମିଶ୍ର କହିଛନ୍ତି ଯେ, ଚିହ୍ନଟ ସମସ୍ତ ଡେଙ୍ଗୁ ରୋଗୀ ଢେଙ୍କାନାଳ ଜିଲ୍ଲା ବାହାରେ କାର୍ଯ୍ୟ କରୁଥିଲେ, ସେଠାରୁ ଆକ୍ରାନ୍ତ ହୋଇଆସିଛନ୍ତି। ଏବେ ସେମାନଙ୍କ ଅବସ୍ଥା ଭଲ ଅଛି ଏବଂ ସମସ୍ତେ ସୁସ୍ଥ ଅଛନ୍ତି। ଡେଙ୍ଗୁ ରୋଗୀଙ୍କ ଚିକତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସ୍ବତନ୍ତ୍ର ୱାର୍ଡ ରହିଛି। ସେଠାରେ ରହି ରୋଗୀମାନେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ଜିଲ୍ଲାରେ ଡେଙ୍ଗୁ ରୋଗ ପାଇଁ ସେତେ ଭୟ ନାହିଁ। ସହରଠାରୁ ଗାଁ ପର୍ଯ୍ୟନ୍ତ ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ ଚାଲିଛି ବୋଲି ସେ କହିଥିଲେ।